• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୁକୁର ଶୋଇଛି, ବିଲେଇ ତା’ ସହ ଗେଲ ହେଉଛି । ଖେଳୁଛି..ପୁଣି ତା ଉପରେ ଶୋଇ ପଡୁଛି । କିଛି ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିବ । ଆଉ ଭାବୁଥିବେ କୁକୁର ବିଲେଇଙ୍କର ସମ୍ପର୍କ ଜମା ଭଲ ନୁହେଁ । ଉଭୟ ଉଭୟଙ୍କୁ ଦେଖିବା ମାତ୍ରେ ଖିଙ୍କାରି ହୁଅନ୍ତି, କାମୁଡ଼ା କାମୁଡ଼ି ଦଉଡ଼ା ଦଉଡ଼ି ହୁଅନ୍ତି । ହେଲେ ସେମାନେ କେମିତି ସାଙ୍ଗ ହୋଇ ଏକାଠି ରହୁଛନ୍ତି?

ଜଗତସିଂହପୁର ଜିଲ୍ଳା ସଦର ବ୍ଲକ୍ ଅନ୍ତର୍ଗତ କଂଟିଲୋରେ କୁକୁର ଓ ବିଲେଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଉଭୟେ ସାଙ୍ଗ ହୋଇ ଖେଳୁଛନ୍ତି, ସାଙ୍ଗ ହୋଇ ଶୋଉଛନ୍ତି ପୁଣି ସାଙ୍ଗ ହୋଇ ଖାଉଛନ୍ତି । ଏମିତି କାଳିଆ କୁକୁର ଶୋଇଥିବା ବେଳେ ବିଲେଇ ତା’ ଉପରେ ଡେଇଁ କୁଦି ଆରାମରେ ଖେଳୁଛି । କୁକୁରଟି ଠିଆ ହୋଇଗଲା ପରେ ବିଲେଇ ପେଟ ତଳେ ଏମିତି ଗଳୁଛି, ଦେଖିବା ପରେ ଆପଣ ବି ଅନୁମାନ କରିପାରିବେ ଉଭୟଙ୍କ ମଧ୍ୟରେ ଭଲପାଇବା କେତେ ନିବିଡ଼ ।

ତେବେ କୁକୁର ଓ ବିଲେଇ ମଧ୍ୟରେ ଏଭଳି ସଂପର୍କକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ହେଉଥିବା ବେଳେ ଏମିତି ସମ୍ପର୍କ ଈଶ୍ୱରଙ୍କ ଲୀଳା ବୋଲି କହିଛନ୍ତି ପିପୁଲ୍ ଫର୍ ଆନିମଲ୍‌ର ସଦସ୍ୟ ପ୍ରଦୀପ ମିତ୍ର । ବେଳେବେଳେ ହିଂସ୍ର ପଶୁମାନେ ମଧ୍ୟ ସ୍ନେହପୂର୍ଣ୍ଣ ଆଚରଣ କରିଥାନ୍ତି...।  ମଣିଷ ସେମାନଙ୍କଠୁ କିଛି ଶିଖିବା ଦରକାର ବୋଲି ସେ କହିଛନ୍ତି ।

ସେପଟେ କୁକୁର ବିଲେଇଙ୍କ ସମ୍ପର୍କକୁ ନେଇ ଜିଲ୍ଳା ଆନିମଲ ହେଲ୍ପ ଲାଇନ୍‌ର ପ୍ରାଣୀ ଚିକିତ୍ସକ କହିଛନ୍ତି ମଣିଷମାନଙ୍କ ପରି ପଶୁମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାର ଆଚରଣ ଦେଖା ଦେଇଥାଏ । ତେଣୁ ସେହି ଦୁଇ ପ୍ରାଣୀ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ଜେନେଟିକାଲି ଉଭୟ ଶାନ୍ତ ସ୍ୱଭାବର ହୋଇଥିବାରୁ ସେମାନଙ୍କ ମଧ୍ୟରେ ଏଭଳି ବନ୍ଧୁତା ସୃଷ୍ଟି ହୋଇପାରିଛି । ମଣିଶ ସେମାନଙ୍କଠାରୁ କିଛି ଶିଖିବା ଦରକାର ବୋଲି ସେ ମଧ୍ୟ କହିଛନ୍ତି ।

ଅନେକ ସମୟରେ ଦେଖାଯାଉଛି ମଣିଷ ନିଷ୍ଠୁର ହୋଇଯାଉଛି...ଏମିତିକି ଖାଇବାରେ ବିଷ ଦେଇ ଜୀବଜନ୍ତୁଙ୍କୁ ମାରିବାକୁ ବି ପଛାଉନାହିଁ । ହେଲେ ଜଗତସିଂହପୁରରେ କୁକୁର ଓ ବିଲେଇଙ୍କ ମଧ୍ୟରେ ଥିବା ସମ୍ପର୍କ ଦେଖିଲେ ସ୍ପଷ୍ଟ ବୁଝାପଡ଼ିବ ସ୍ନେହ ଥିଲେ ସମ୍ପର୍କ ବେଶ୍‌ ଭଲ ରହେ ।

(ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ)