• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର l କେଇଖଣ୍ଡ ପଲଥିନ ଓ ଗଛ ଡାଳ ସାଜିଛି ସାହାରା l ଜୀବଜନ୍ତୁଙ୍କ ଦାଉରୁ ରକ୍ଷା ପାଇବାକୁ ଘରେ କବାଟ ବଦଳରେ ବନ୍ଧା ହୋଇଛି ପଲିଥିନ l ଯେଉଁଠି ରୋଷେଇ କରୁଛନ୍ତି, ସେଇଠି ମାଟି ଉପରେ ଶୋଇଯାଉଛନ୍ତି l ଖରା, ବର୍ଷା, ଶୀତ ସବୁବେଳେ ଏହି ଝାଟି ମାଟି ଘର ଏମାନଙ୍କ ଲାଗି ପାଲଟିଛି ସାହାରା l ଏହି ଅବସ୍ଥା ଦିନେକି ଦୁଇଦିନର ନୁହଁ ଦୀର୍ଘ ବର୍ଷ ଧରି ଏଭଳି ଅବସ୍ଥାରେ ରହୁଛନ୍ତି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ତିଆଡ଼ିପଲ୍ଲୀ ଗ୍ରାମର ଯୋଗେନ୍ଦ୍ର ମହାରଣା ଓ ସାବିତ୍ରୀ ବେହେରାଙ୍କ ପରିବାର l

ଅଧିକ ପଢ଼ନ୍ତୁ: ୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଉଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି l

ଉଭୟ ପରିବାରର ନିଜସ୍ୱ ଯାଗା ନାହିଁ କି ଭଡା ଘର ନେବାକୁ ସମର୍ଥ ନୁହଁନ୍ତି । ଫଳରେ ଠାକୁର ଜମି ଉପରେ ଏପରି ଦୁଃଖେ କଷ୍ଟେ ରହି ଆସୁଛନ୍ତି l ନିର୍ବାଚନ ସମୟରେ ନେତା ଭୋଟ ମାଗିବାକୁ ଆସନ୍ତି ଓ ସମସ୍ୟାର ସମାଧାନ ଲାଗି ପ୍ରତିଶୃତି ଦେଇ ଚାଲିଯାନ୍ତି l ମାତ୍ର ନିର୍ବାଚନ ଶେଷ ହେବାପରେ ଏ ଅଭାବି ପରିବାରକୁ ପାସୋରି ଦିଅନ୍ତି । ବାରମ୍ୱାର ଗୁହାରୀ କରିଥିଲେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଦୁଇ ଅସହାୟ ପରିବାର l ଅନ୍ୟପଟେ ଦୁଇ ପରିବାରଙ୍କୁ ସହାୟତା ଲାଗି ଯଥାଶୀଘ୍ର ପଦକ୍ଷେପ ନିଆଯାଉଛି କହିଛନ୍ତି କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ l

ତେବେ ଏଠି ପ୍ରଶ୍ନ ଉଠୁଛି ଭୂମିହୀନଙ୍କ ଲାଗି ହୋଇଥିବା ସରକାରଙ୍କ ମାଳମାଳ ଯୋଜନା କତେ ସଫଳ ? କାହିଁକି ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ମିଳୁନି ଲାଭ ? ତେବେ ଏହି ଖବର ପ୍ରସାରଣ ପରେ ଦୁଇ ଅସହାୟ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ କିଭଳି ସହାୟତା ଯୋଗାଉଛି ତାହା ଦେଖିବାକୁ ବାକି ରହିଲା l

ଗଞ୍ଜାମ କବିସୂର୍ଯ୍ୟନଗରରୁ ପୀତବାସ ଦାଶଙ୍କ ରିପୋର୍ଟ