/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750420161.jpg)
Mangalsutra Story
ଚମ ଧୁଡୁ ଧୁଡୁ ହାତ । ଦେହରେ ଧୋତି-କୁର୍ତ୍ତା । କାନ୍ଧରେ ପୁଟୁଳି, ହାତରେ ବାଡ଼ି । ଆଉ ସାଙ୍ଗରେ ପତ୍ନୀ। ପାଦବି ସଳଖ ପଡୁନି। ପତ୍ନୀର ହାତ ଧରି ଥରି ଥରି ଚାଲୁଛନ୍ତି । ପହଞ୍ଚିଛନ୍ତି ଗହଣା ଦୋକାନରେ ସୁନା କିଣିବାକୁ । ଦୋକାନୀଙ୍କ ଆଗରେ ଖୋଲି ଦେଇଛନ୍ତି ଝାଳ ବୁହା ପରିଶ୍ରମର ପୁଟୁଳି । ଢ଼ାଳି ଦେଇଛନ୍ତି ଗଦା ଗଦା କଏନ୍ ।
ମହାରାଷ୍ଟ୍ର ଜଲନା ଜିଲ୍ଲା ଅମ୍ବୋରା ଜାହାଗିର ଗାଁର ୯୩ ବର୍ଷୀୟ ନିବୃତ୍ତି ସିନ୍ଦେ। ବୟସ ବଢ଼ିଛି ହେଲେ କମିନି ପ୍ରେମ । ଆଜି ବି ପତ୍ନୀଙ୍କ ପାଇଁ ଜୀବିତ ରହିଛି ତାଙ୍କର ଅନାବିଳ ଭଲ ପାଇବା । ମମତାଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ଗଢ଼ିଥିଲେ, ଇଏ ବୃଦ୍ଧ ଜଣକ ନିଜ ପତ୍ନୀଙ୍କ ପାଇଁ ତାଜମହଲ ତ ନୁହେଁ ପୂରଣ କରିଛନ୍ତି ଇଚ୍ଛା । ତାଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଧାଇଁ ଆସିଛନ୍ତି।
ନିବୃତ୍ତି ସିନ୍ଦେ ଓ ପତ୍ନୀ ଶାନ୍ତାବାଈ ଆଷାଢ଼ ଏକାଦଶୀ ପାଇଁ ଚାଲି ଚାଲି ପାନ୍ଧରପୁରକୁ ତୀର୍ଥଯାତ୍ରାରେ ଆସିଥିଲେ । ଛତ୍ରପତି ସାମ୍ଭାଜୀନଗରଠାରେ ଥିବା ଏକ ଗହଣା ଦୋକାନକୁ ଯାଇଥିଲେ । ଦୋକାନ ଭିତରେ ପଶିବା ପରେ କର୍ମଚାରୀମାନେ ଭାବିଥିଲେ ଏହି ବୃଦ୍ଧ ଦମ୍ପତି ଭିକ ମାଗିବାକୁ ଆସିଛନ୍ତି । କିନ୍ତୁ ଦୋକାନୀଙ୍କୁ ନିବୃତ୍ତି ଯାହା କହିଥିଲେ ତା' ଶୁଣି ସମସ୍ତଙ୍କ ହୋସ୍ ଉଡିଯାଥିଲା ।
ଅଧିକ ପଢ଼ନ୍ତୁ: ପୋଲିସ ଗାଡ଼ି ବନେଟ୍ ଉପରେ କେକ୍ କାଟିଲେ DSPଙ୍କ ପତ୍ନୀ, ଭିଡିଓ ଦେଖି ତାତିଲେ ଲୋକେ
ପତ୍ନୀଙ୍କ ପାଇଁ ମାଗିଥିଲେ ମଙ୍ଗଳସୂତ୍ର । ସିନ୍ଦେ ନିଜ ଅଣ୍ଟାରୁ ପୁଟୁଳି ଖୋଲି ଭିକ ମାଗି ଆଣିଥିବା ୧୨୦୦ ଟଙ୍କା ଖୁଚୁରା ଢ଼ାଳି ଦେଇଥିଲେ। ବୟସର ଅପରାହ୍ନରେ ପତ୍ନୀଙ୍କ ପ୍ରତି ନିବୃତ୍ତିଙ୍କ ଏଭଳି ଭଲ ପାଇବା ଦେଖି ବିମୁଗ୍ଧ ହୋଇ ଯାଇଥିଲେ ଗହଣା ଦୋକାନ ମାଲିକ । ଏମାନଙ୍କ ପ୍ରେମ ଆଗରେ ତାଙ୍କୁ ତୁଚ୍ଛ ଲାଗିଥିଲା ଟଙ୍କା। ସିନ୍ଦେଙ୍କ ସରଳତା ତାଙ୍କୁ ବେଶ ପ୍ରଭାବିତ କରିଥିଲା । ଆଉ ତାଙ୍କ ଠାରୁ ମାତ୍ର ୨୦ ଟଙ୍କା ରଖି ସେ ଚାହୁଁଥିବା ସୁନା ହାର ତାଙ୍କୁ ଭେଟି ଦେଇଥିଲେ । ପ୍ରତି ବଦଳରେ ମାଗିଥିଲେ ଦମ୍ପତ୍ତିଙ୍କଠାରୁ ଆଶୀର୍ବାଦ ।
ଦୋକାନୀଙ୍କ ଏଭଳି ସହାୟତା ଦେଖି ଖୁସିରେ ବୃଦ୍ଧ ଦମ୍ପତ୍ତିଙ୍କ ଆଖିରୁ ଲୁହ ଝରି ଆସିଥିଲା । ସେଇଠି ସମସ୍ତଙ୍କ ଆଗରେ ପତ୍ନୀଙ୍କ ବେକରେ ପିନ୍ଧାଇ ଦେଇଥିଲେ ହାର । ସ୍ଥାନୀୟ ଲୋକଙ୍କ କହିବା କଥା ଏ ଦମ୍ପତି ସବୁବେଳେ ଏକାଠି ରୁହନ୍ତି ଓ ସବୁ ସ୍ଥାନକୁ ସାଥୀ ହୋଇଯାଆନ୍ତି ।
ଯେତେବେଳେ ନିବୃତ୍ତି ଯବାନ ଥିଲେ ସେତେବେଳେ ସିନା କରିପାରି ନଥିଲେ କିନ୍ତୁ ବୃଦ୍ଧ ବୟସରେ ସେ ତାହା କରି ଦେଖାଇବାକୁ ପ୍ରୟାସ କରିଛନ୍ତି । ରହିବାକୁ ମୁଣ୍ଡ ଉପରେ ଛାତ ନଥିଲେ ବି ମାଗି ଯାଚି ଟଙ୍କା ଯୋଗାଡ କରି ପତ୍ନୀଙ୍କ ଇଚ୍ଛା ପୂରଣ କରିଛନ୍ତି । ଟଙ୍କାଏ ଟଙ୍କାଏ ସଞ୍ଚୟ କରି ଗହଣା ଦୋକାନରୁ ଆଣିଛନ୍ତି ନିଜ ଅର୍ଦ୍ଧାଙ୍ଗିନୀ ପାଇଁ ମଙ୍ଗଳସୂତ୍ର । ବୟସର ଅପରାହ୍ନରେ ସେମାନେ ପହଞ୍ଚିଥିଲେ ହେଁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା କମିନି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)