/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753091024.jpg)
ଓଜନ ବଢ଼ିବାର କାରଣ
ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ବନ୍ଧନ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଭିନ୍ନ ଥାଏ । ବିବାହ ସହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବନା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିବାହ ପରେ ମହିଳା ଓ ପୁରୁଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆପଣାର ଲୋକଙ୍କୁ ପର କରି ନୂଆ ଘରକୁ ଯାଏ ଝିଅ । ବିବାହ ପରେ ସ୍ଥାନ, ଖାଦ୍ୟ ସବୁଥିରେ ପରିବର୍ତ୍ତନ ହୋଇଥାଏ । ବିଶେଷକରି ମହିଳାମାନଙ୍କ ଜୀବନଶୈଳୀ ବିବାହ ପରେ ପୁରା ବଦଳି ଯାଇଥାଏ, ଆଉ ଏହାର ପ୍ରଭାବ ଉଭୟ ସ୍ୱାମୀସ୍ତ୍ରୀଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟରେ ଉପରେ ପଡ଼ିଥାଏ । ଏବେ ବିବାହିତ ଦମ୍ପତିଙ୍କୁ ନେଇ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏକ ବଡ଼ ଖୁଲାସା କରିଛି ।
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ନିୟମିତ ବ୍ୟବଧାନରେ ଭାରତୀୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା କରିବା ସହ ଲୋକଙ୍କୁ ସଚେତନ କରିଥାଏ । କିଛି ଦିନ ପୂର୍ବରୁ ଆଇସିଏମଆର କରିଥିବା ଅଧ୍ୟୟନରୁ ଜଣାପଡ଼ିଛି, ୭୧ ପ୍ରତିଶତରୁ ଅଧିକ ଭାରତୀୟ ମେଟାବୋଲିଜିମ୍ ଦୃଷ୍ଟିରୁ ଅସୁସ୍ଥ । ରିପୋର୍ଟ ଅନୁସାରେ ଲକ୍ଷ ଲକ୍ଷ ଭାରତୀୟ ବାହାରୁ ପତଳା ଦେଖାଯାଆନ୍ତି ସତ କିନ୍ତୁ ସେମାନଙ୍କ ରକ୍ତରେ ଶର୍କରା, ଖରାପ କୋଲେଷ୍ଟ୍ରଲ୍ ଏବଂ ଚର୍ବି ଅଂଶ ଅଧିକ ଥାଏ । ଏବେ ଆଇସିଏମଆରର ନୂତନ ଅଧ୍ୟୟନରେ ଭାରତୀୟଙ୍କୁ ନେଇ ଚିନ୍ତାଜନକ ତଥ୍ୟ ଆସିଛି । ବିବାହ ପରେ ଦମ୍ପତି ମେଦବହୁଳତାର ଶିକାର ହେଉଥିବାର ଏକ ରିପୋର୍ଟ ପ୍ରକାଶ ପାଇଛି ।
କରେଣ୍ଟ ଡେଭଲପମେଣ୍ଟସ ଇନ ନ୍ୟୁଟ୍ରିସନରେ ପ୍ରକାଶିତ ଆଇସିଏମଆର ତଥ୍ୟ ଅନୁଯାୟୀ, ବିବାହ ପରେ ଫୁଡ ସେୟାରିଂ ଠାରୁ ଆରମ୍ଭ କରି ନୂତନ ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁଁ ବିବାହିତ ଦମ୍ପତିମାନେ ଅଜାଣତରେ ପରସ୍ପରର ଓଜନ ବୃଦ୍ଧି କରୁଛନ୍ତି। ଏହି କାରଣରୁ ଭାରତରେ ୪ ଦମ୍ପତିଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି । ୩୦ ବର୍ଷରୁ କମ୍ ବୟସର ଦମ୍ପତିଙ୍କ ମଧ୍ୟରେ ମୋଟାପଣର ଚିନ୍ତାଜନକ ହାର ଦେଖିବାକୁ ମିଳିଛି । କେରଳ, ମଣିପୁର, ଦିଲ୍ଲୀ, ଗୋଆ ଏବଂ ଜମ୍ମୁ ଏବଂ କାଶ୍ମୀର ଅଞ୍ଚଳରେ ଏପରି ସମସ୍ୟା ଅଧିକ ଦେଖିବା ପାଇଁ ମିଳୁଛି ।
ଦମ୍ପତିଙ୍କ ମଧ୍ୟରେ ମେଦବହୁଳତାର ସର୍ବାଧିକ ହାର କେରଳ (୫୧.୩ ପ୍ରତିଶତ)ରେ ରହିଛି । ତା’ପଛକୁ ଜମ୍ମୁ ଏବଂ କାଶ୍ମୀର (୪୮.୫ ପ୍ରତିଶତ), ମଣିପୁର (୪୭.୯ ପ୍ରତିଶତ), ଦିଲ୍ଲୀ (୪୭.୧ ପ୍ରତିଶତ), ଗୋଆ (୪୫ ପ୍ରତିଶତ), ତାମିଲନାଡୁ (୪୨.୭ ପ୍ରତିଶତ) ଏବଂ ପଞ୍ଜାବ (୪୨.୫ ପ୍ରତିଶତ) ରେ ରହିଛି ସର୍ବାଧିକ ମେଦବହୁଳତାର ହାର ।
ଦମ୍ପତିଙ୍କ ଓଜନ ବୃଦ୍ଧିର କାରଣ
ଆଇସିଏମଆର, ଜାତୀୟ କର୍କଟ ରୋଗ ନିବାରଣ ଏବଂ ଗବେଷଣା ପ୍ରତିଷ୍ଠାନ, ଟେରି ସ୍କୁଲ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ଗବେଷକମାନଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଓ ଭାରତର ୫୨,୭୩୭ ବିବାହିତ ଦମ୍ପତିଙ୍କ ତଥ୍ୟ ନେଇ ଗବେଷକମାନେ ବିଶ୍ଳେଷଣ କରିଥିଲେ । ଏଥିପାଇଁ ଏହାକୁ ଦେଶର ସର୍ବବୃହତ ଗବେଷଣା ଭାବରେ ବିବେଚନା କରାଯାଉଛି । ସହରାଞ୍ଚଳ, ଧନୀକ ପରିବାରରେ ଏହି ହାର ଯଥେଷ୍ଟ ଅଧିକ ରହିଛି ।
ବିବାହ ପରେ ଦମ୍ପତିମାନେ ରେଡି ଟୁ ଇଟ୍ ମିଲ୍, ଫାଷ୍ଟଫୁଡ୍, ଅତ୍ୟଧିକ ଖାଇବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟାପରେ ପ୍ରେଜେଣ୍ଟେସନ୍ ଦେବା ଏବଂ ସପ୍ତାହାନ୍ତରେ ଆରାମ କରିବା ଆରମ୍ଭ କରନ୍ତି, ଯାହା ସେମାନଙ୍କର ଓଜନ ବୃଦ୍ଧିର କାରଣ ହୋଇଥାଏ । ଏହା ସହିତ ସହରରେ ଲୋକମାନେ ନିଜ ପରିବାର ଠାରୁ ଦୂରରେ ରହୁଛନ୍ତି ଏବଂ କିଛିଟା ଅଧିକ ଆୟ କରିବା ପାଇଁ ସମୟ ସ୍ଥିର ନଥିବା ଚାକିରି ମଧ୍ୟ କରନ୍ତି । ଏସବୁ କାରଣ ଯୋଗୁଁ ସେମାନେ ସଠିକ ସମୟରେ ଖାଇପାରନ୍ତି ନାହିଁ କିମ୍ବା ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାଆନ୍ତି । ସହରାଞ୍ଚଳ ଦମ୍ପତିଙ୍କ ମଧ୍ୟରେ ମୋଟାପଣ ହାର ୩୮.୪% ଥିଲାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୨.୧% ରେକର୍ଡ କରାଯାଇଛି। ଧନୀ ପରିବାରରେ ଏହି ଅନୁପାତ ୪୭.୬% ରେ ପହଞ୍ଚି ଯାଇଛି । ଏଥିରୁ ସ୍ପଷ୍ଟ ଆର୍ଥିକ ସମୃଦ୍ଧି ସହିତ ମୋଟାପଣ ସ୍ତର ବୃଦ୍ଧି ପାଉଛି।
ବିଶେଷଜ୍ଞଙ୍କ ମତ କ’ଣ ?
୩୦ ବର୍ଷ ବୟସରୁ କମ ବର୍ଗର ଦମ୍ପତିଙ୍କ ମଧ୍ୟରେ ମୋଟାପଣ ବା ମେଦବହୁଳତା ଏକ ପ୍ରମୁଖ ଚିନ୍ତାର କାରଣ ସାଜିଛି । କେରଳର ଯୁବ ଦମ୍ପତିଙ୍କ ମଧ୍ୟରେ ଏହି ସମସ୍ୟା ସର୍ବାଧିକ ୪୨.୮ ପ୍ରତିଶତ, ଗୋଆରେ ୩୭ ପ୍ରତିଶତ, ଜମ୍ମୁ ଏବଂ କାଶ୍ମୀରରେ ୩୧.୬ ପ୍ରତିଶତ ଏବଂ ତାମିଲନାଡୁରେ ୨୯.୬ ପ୍ରତିଶତ ରହିଛି । ମେଦବହୁଳ ସମ୍ବନ୍ଧୀୟ ମେଟାବୋଲିକ୍ ରୋଗ ଗୁଡ଼ିକ ଖୁବ ଶୀଘ୍ର ଆରମ୍ଭ ହୋଇଯାଉଥିବା ପରିସଂଖ୍ୟାନରୁ ଜଣାପଡ଼ୁଛି । ବିଶେଷଜ୍ଞଙ୍କ ଅନୁସାରେ ଯୁବ ଦମ୍ପତିମାନେ ସେମାନଙ୍କ ସର୍ବାଧିକ ପ୍ରଡକ୍ଟିଭ ବା କିଛି ନୂଆ କରିବା ସମୟରେ ମଧୁମେହ, ହୃଦରୋଗ ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ଶିକାର ହେଉଛନ୍ତି ।
ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ମେଦବହୁଳତା ଅନ୍ୟତମ । ଛୋଟ ଛୁଆଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି । ମଧୁମେହରୁ ବଞ୍ଚିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । ମଧୁମେହ ଆକ୍ରାନ୍ତଙ୍କ ଶରୀରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଥିବାରୁ ଏପରି କୁହାଯାଇଥାଏ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ଲାଗି ଏହା ଏକ ବୃହତ୍ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ମେଦବହୁଳତା ଏକ ଏମିତି ରୋଗ, ଯାହାକୁ ନିୟନ୍ତ୍ରଣ କରାଯାଇପାରିବ, ହେଲେ ସଂପୂର୍ଣ୍ଣ ଭାବରେ ଶେଷ କରାଯାଇପାରିବ ନାହିଁ । ନିୟମିତ ବ୍ୟାୟାମ ସହିତ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ଓଜନ କମ କରିବା ପାଇଁ ଡାଏଟ ଫଲୋ କରିବା ଆବଶ୍ୟକ । ଅତ୍ୟଧିକ ମିଠା, ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ଖାଦ୍ୟରେ ସନ୍ତୁଳନ ରଖିବା ଜରୁରୀ । ସୁସ୍ଥକର ଖାଦ୍ୟ ଓ ଜୀବନଶୈଳୀ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)