• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୬୬ ପିଲାଙ୍କ ମୃତ୍ୟୁ ପଛରେ ଭାରତ ନିର୍ମିତ କଫ୍‌ ସିରପ ! ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ଡ୍ରଗସ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରପ୍ ସେବନ ପରେ ଗାମ୍ବିଆରେ କିଛି ଶିଶୁ ଗୁରୁତର ହେବା ସହ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।

ଔଷଧ ସେବନ ପରେ ଶିଶୁମାନଙ୍କ ଠାରେ ବୃକକ୍ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଶିଶୁମାନଙ୍କ ମୃତ୍ୟୁ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ ହୃଦୟ ବିଦାରକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ ଆହୁରି ତଦନ୍ତ କରାଯାଉଛି ।

ଔଷଧ ନମୁନାରେ ଡାଇ ଇଥାଇଲିନ୍ ଗ୍ଲାଇକଲ ଓ ଏଥିଲିନ୍ ଗ୍ଲାଇକଲ୍ ଥିବା ସୂଚନା ମିଳିଛି । ଏଗୁଡିକ ଅତ୍ୟନ୍ତ ବିଷାକ୍ତ ଓ ମନୁଷ୍ୟପାଇଁ ଘାତକ । ଏହାଦ୍ୱାରା ପେଟରେ ଯନ୍ତ୍ରଣା, ବାନ୍ତି, ଝାଡା, ପରିସ୍ରାରେ ସମସ୍ୟା, ମୁଣ୍ଡ ବିନ୍ଧା, ମାନସିକ ଅବସ୍ଥାରେ ପରିବର୍ତ୍ତନ ସହ ଗୁରୁତର କିଡନି ସମସ୍ୟା ଦେଖା ଦେଇଥାଏ । ଏଥିଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ସୂଚନା ମିଳିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ହରିୟାଣା ଭିତ୍ତିକ ହରିଆନା ଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ୪ କଫ୍‌ ସିରପ୍‌ ଆଫ୍ରିକାର ଗାମ୍ବିଆକୁ ରପ୍ତାନୀ କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯିବା ଆବଶ୍ୟକତା ରହିଛି । ଅନ୍ୟ ଦେଶକୁ ଏହି କଫ୍‌ ସିରପ୍‌ ରପ୍ତାନୀ ହେଲେ, ସ୍ଥିତି ସାଂଘାତିକ ହୋଇପାରେ ।

ଅନ୍ୟପଟେ ପ୍ରାଥମିକ ତଦନ୍ତ ଅନୁସାରେ, ସଂପୃକ୍ତ କମ୍ପାନୀ ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଅନୁମତି ନେଇ ଔଷଧ ନିର୍ମାଣ କରିଛି । ତେବେ ସେହି କଫ୍‌ ସିରପ୍‌ କେବଳ ଗାମ୍ବିଆକୁ ରପ୍ତାନୀ କରାଯାଇଛି ।