• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) : ଉପକାରୀ ଧଳା କଲରା । ସବୁଜ କଲରା ଠାରୁ ଦର ସାମାନ୍ୟ ଅଧିକ ଥିବା ବେଳେ ଏହାର ଗୁଣ ମଧ୍ୟ ସେହିପରି । କୋରାପୁଟ ଜିଲ୍ଲାରେ ଏବେ ଧଳା କଲରା ଚାଷ, ଚାଷୀ ମନରେ ନୂତନ ଆଶାର କିରଣ ଭରି ଦେଇଛି । ଚାଷୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି ଜୀବିକା ମିଶନ । ବର୍ତ୍ତମାନ କୋରାପୁଟ, ଲକ୍ଷ୍ମୀପୁର, ଦଶମନ୍ତପୁର, ବୋରିଗୁମ୍ମା, କୋଟପାଡ,ସେମିଳିଗୁଡା, ବୈପାରୀଗୁଡା, ନନ୍ଦପୁର, ନାରାୟଣପାଟଣା ଓ ଲମତାପୁଟ ବ୍ଲକରେ ଚାଷ ହେଉଛି ଧଳା କଲରା ।

ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା । ଉଦ୍ୟାନ ଭିତ୍ତିକ କୃଷି ପାଇଁ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ତେବେ କୋରାପୁଟ ଜିଲ୍ଲାରେ କଫି ,କାଜୁ, କପା, ଧୂଆଁପତ୍ର, ଅଦା , ଆମ୍ବ ଭଳି ଭଳିକି ଭଳି ଫସଲ ଚାଷ ହୁଏ । କିନ୍ତୁ ଏବେ କୋରାପୁଟ ଜିଲ୍ଲାରେ ହେଉଛି ଧଳା କଲରା ଚାଷ ।

ପ୍ରଥମେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଧଳା କଲରା ଚାଷ ପାଇଁ ପୋଡ଼ାଗଡ, କାକିରିଗୁମ୍ମା, ପଞ୍ଚଡା ଓ ଭିତରଗଡଠାରେ ଚାଷୀଙ୍କୁ ଯୋଗାଇ ପ୍ରୋତ୍ସାହନ ଦିଆଯାଇଥିଲା । ବଜାରରେ ସାଧାରଣ କଲରା କେଜି ୩୦/୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଧଳା କଲରା କେଜି ୬୦/୭୦ ଟଙ୍କାରେ ରେ ବିକ୍ରି ହେଉଛି । ଯାହା ଚାଷୀଙ୍କୁ ଅଧିକ ଉତ୍ସାହିତ କରୁଛି । ଏହି କଲରା ସାଧାରଣ କଲରାଠାରୁ ଅଧିକ ପିତା ।

ଡାଇବେଟିସ, ଚର୍ମରୋଗ ଓ କୃମି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ସଦୃଶ । ଆଉ ଏଥିପାଇଁ ଧଳା କଲରାର ଅଧିକ ଚାହିଦା ଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ଓ ଆୟୁର୍ବେଦ ଡାକ୍ତର । ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଧଳା କଲରାର ଚାହିଦା ବଜାରରେ ଢେର ଅଧିକ ରହିଛି । ଏହି ଚାଷର ସଫଳତାକୁ ଦେଖି ଜିଲ୍ଲାର କୋରାପୁଟ, ଲକ୍ଷ୍ମୀପୁର, ଦଶମନ୍ତପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରସାର କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡିଛି ।