• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ୪ଜଣଙ୍କର ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି। ଅବଶିଷ୍ଟ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ରାଉରକେଲା ତହସିଲଦାର ଓ ମେଡ଼ିକାଲ ଟିମ୍ ଏନେଇ ତଦନ୍ତ କରୁଛନ୍ତି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହୋଇନାହିଁ।

ସେହିପରି ସମ୍ବଲପୁରରେ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୮ ଅସ୍ବାଭାବିକ ମୃତ୍ୟୁ ମଧ୍ୟରୁ ୫ ଅଂଶୁଘାତଜନିତ। ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ୭ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଜଣାପଡିଛି। ଅବଶିଷ୍ଟ ୧୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତ ମାସ ୨୯ରୁ ୧ ତାରିଖ ଭିତରେ ସମ୍ବଲପୁରରେ ୧୮ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।

ସେଥିରେ ଦର୍ଶାଯାଇଛି ଯେ, ମୋଟ ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ମଧ୍ୟରୁ ୯ ଜଣଙ୍କ ଜୀବନ ପ୍ରକୃତରେ ଅଂଶୁଘାତରେ ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ୬ ଜଣଙ୍କ ମୃତ୍ୟୁ ଅନ୍ୟ କାରଣ ଘଟିଛି ଏବଂ ୮୧ଟି ମୃତ୍ୟୁ ଏବେବି ତଦନ୍ତାଧୀନ ରହିଛି । ସେପଟେ ରାଉରକେଲାରେ ଗତ ୨ ଦିନ ଭିତରେ ୧୦ ଜଣଙ୍କ ମୃତ୍ୟୁ ହିଟୱେ ଯୋଗୁଁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ- ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ପ୍ରଭାବରେ ଓଡ଼ିଶାର ସ୍ଥଳଭାଗ ଆଡ଼କୁ ଅଧିକ ଜଳୀୟ ବାଷ୍ପ ଆସିଛି । ଯେହେତୁ ବର୍ଷା ହେଉନାହିଁ, ତେଣୁ ସେ ଆବଶ୍ୟକତାଠାରୁ ଅଧିକ ଜଳୀୟବାଷ୍ପ ସେମିତି ବାୟୁମଣ୍ଡଳରେ ଘୂରି ବୁଲୁଛି । ଯାହାଦ୍ୱାରା ପ୍ରଚଣ୍ଡ ଗରମ ସାଙ୍ଗକୁ ଜନଜୀବନକୁ ଦୁର୍ବିସହ କରୁଛି ଗୁଳୁଗୁଳି । ଯାହା ଫଳରେ ମଣିଷ ଶରୀର ଏହାକୁ ସହ୍ୟ କରିପାରୁନି । ଯଦିଓ ଆଗାମୀ ୨ରୁ ୩ଦିନ ଯାଏଁ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ, ହେଲେ ୪୦ ତଳକୁ ଖସିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now