• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୫ବର୍ଷ ତଳେ ପ୍ରାଣଘାତୀ ଜାପାନିଜ୍ ଏନସେଫାଲାଇଟିସ୍‌ ରୋଗର ଭୟାବହତା ମନରୁ ନଲିଭୁଣୁ ମାଲକାନଗିରିରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗତ ୧୧ ଦିନ ଭିତରେ ୭ଜଣଙ୍କ ପ୍ରାଣହାନୀ ପରେ ସୃଷ୍ଟି ହୋଇଛି । ଆତଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ତ ଡେରା ପକାଇଛି, ହେଲେ ରୋଗର କାରଣ ଧରାପଡ଼ିନି । ତେଣେ କୋରାପୁଟରେ ବି ସମାନ ଢଙ୍ଗରେ ୩ଜଣଙ୍କ ଜୀବନ ଗଲାଣି ।

ଏବେ ମୃତ୍ୟୁର ଇଲାକା ପାଲଟିଛି ମାଲକାନଗିରିର ହଳଦୀକୁଣ୍ଡ । ଗାଁ ମୁଣ୍ଡ କମ୍ପୁଛି କାନ୍ଦବୋବାଳିରେ । ଆଜି ୩୫ ବର୍ଷୀୟ ଆଉତ୍ୟୁ ମାଡ଼କାମୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କିଛି ଦିନ ହେଲା ଏଠି ଘାରିଛି କୋକୁଆ ଭୟ । ଗାଁ ଲୋକଙ୍କ କହିବାନୁସାରେ ହଠାତ୍ ଗୋଡ଼ ଫୁଲୁଛି, ତାପରେ ଜ୍ୱର ଆସୁଛି ଓ ଶେଷରେ ଜୀବନ ଯାଉଛି । ଏବେ ବି ଗାଁରେ ୧୨ରୁ ୧୫ଜଣ ଅସୁସ୍ଥ ଅଛନ୍ତି । ଗଲା ୧୦ଦିନ ହେଲା ମୃତ୍ୟୁର ଏହି ଧାରାରେ ବ୍ରେକ୍ ଦେବାକୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାଁରେ ଡେରା ପକାଇଛି ମେଡିକାଲ୍ ଟିମ୍ ।

ଲୋକଙ୍କ ରକ୍ତନମୁନା ସହ ପାଣି ସାମ୍ପଲ ବି ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି । ଜ୍ୱରରେ ଆକ୍ରାନ୍ତ ମାନଙ୍କୁ ବୁଝାଇ ସୁଝାଇ ଚିକିତ୍ସା ପାଇଁ ଅଣାଯାଉଛି । ମାଥିଲିରୁ ଯାଇଥିବା ମେଡିକାଲ ଟିମକୁ ସହଯୋଗ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ପଠାଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି-ଆକ୍ରାନ୍ତମାନେ ମେଡିକାଲ ଆସିବାକୁ ଅମଙ୍ଗ ହେଉଛନ୍ତି । ଆଶାକର୍ମୀ, ଅଙ୍ଗନଓ୍ୱାଡ଼ି ଦିଦିଙ୍କୁ ସଚେତନତା କାମରେ ଲଗାଯାଇଛି । ଅଧିକାଂଶ ରୋଗୀ ପେଟ ରୋଗରେ ପୀଡ଼ିତ ଥିବାରୁ ଏହା ଅତ୍ୟଧିକ ମଦ୍ୟପାନ ଜନିତ ସମସ୍ୟା ହେଉଥିବା ଅନୁମାନ କରାଯାଉଛି ।

ସମାନ ସ୍ଥିତି କୋରାପୁଟ ଜିଲ୍ଲା କାଣ୍ଡିକିଗୁଡ଼ା ଗାଁରେ । ଏଠି ବି ସପ୍ତାହେ ଭିତରେ ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଆତଙ୍କିତ । ସେମାନଙ୍କ କହିବା କଥା ରୋଗୀର ହଠାତ୍ ହାତ ଗୋଡ଼ ଓ ମୁହଁ ଫୁଲି ଯାଉଛି, ଦୁର୍ବଳ ହୋଇ ୧୫ରୁ ୨୦ ଦିନ ବିଛଣାରେ ପଡ଼ି ରହିବା ପରେ ମୃତ୍ୟୁ ଘଟୁଛି । ୫ଦିନ ତଳେ ୨ଜଣଙ୍କର ପ୍ରାଣ ଯାଇଥିବାବେଳେ ଗତକାଲି ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାମଗିରି ଓ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେ ବଞ୍ଚି ନଥିଲେ ଖବର ପାଇ ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ଚିକିତ୍ସା ଚଳାଇଥିବାବେଳେ ଆଉ ଏକ ସାତ ଜଣିଆ ଡାକ୍ତରୀ ଦଳକୁ କାମରେ ଲଗାଯାଇଛି । ଗତବର୍ଷ ବି ଠିକ୍ ଏହି ସମୟରେ ଅଜଣା ରୋଗରେ ଗାଁର ୬ ଜଣକର ମୃତ୍ୟୁ ହୋଇଥିଲା ତେବେ ସଚେତନତାର ଅଭାବ ଓ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଲୋକମାନେ ମେଡିକାଲ ଆସୁନଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ବୈପାରୀଗୁଡା ମେଡିକାଲ ଅଫିସର କହିଛନ୍ତି. ।

୨୦୧୬ ମସିହାରେ ମାଲକାନଗିରି ଜିଲ୍ଲାରେ ମାରାତ୍ମକ ଜାପାନିଜ୍ ଏନସେଫାଲାଇଟିସ୍‌ ଉଗ୍ର ରୂପ ନେଇଥିଲା । ଏମିତିକି ଏଥିରେ ଆକ୍ରାନ୍ତ ହୋଇ ଶତାଧିକ ଶିଶୁଙ୍କର ଜୀବନହାନୀ ଘଟିଥିଲା । ସେତେବେଳେ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚହଳ ପକାଇଥିବା ଏହି ରୋଗର ଭୟାବହତା ମନରୁ ନଯାଉଣୁ ପୁଣି ଏକ ଅଜଣାରୋଗ ଚିନ୍ତା ବଢ଼ାଇଛି ।

ମାଲକାନଗିରିରୁ ଜୀତେନ୍ଦ୍ର ବେଉରାଙ୍କ ଓ ଜୟପୁରରୁ ଟି. ଗୌରୀଶଙ୍କରଙ୍କ ରିପୋର୍ଟ