• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ା କାଶୀପୁର ହଇଜାରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ । ଫଳରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଏବଂ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳର ଆକ୍ରାନ୍ତମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ସମ୍ପୃକ୍ତ ଅଞ୍ଚଳରେ ମେଡିକାଲ ଟିମ୍ ମୁତୟନ ମଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ, ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ପାଇଁ କଲେରା ପ୍ରୋଟୋକଲ୍ ଅନୁସାରେ, ଜାରି ରହିଛି ପ୍ରତିକାର ବ୍ୟବସ୍ଥା । କିଛି ଦିନ ତଳେ ଖୋଜ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ବିଡିଓ ଆକ୍ରାନ୍ତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

ତେବେ କାଶୀପୁର ବ୍ଲକରେ ହଇଜା ନୂଆ ନୁହେଁ । ଗତ ୧୫ ବର୍ଷ ତଳ ତଥା ୨୦୦୭ରେ ପ୍ରତି ଘରେ ଘରେ ବ୍ୟାପିଥିଲା ମାରାତ୍ମକ ହଇଜା । ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ବି ହୋଇଥିଲା । କେବଳ ୨୦୦୭ ନୁହଁ, ୨୦୧୦ ଏବଂ ୨୦୧୨ରେ ବି କଲବଲ କରିଥିଲା କଲେରା । ଆଉ ସେହି କଲେରା ଏବେ ପୁଣି ମୁଣ୍ଡ ଟେକି ମାଡ଼ିଚାଲିଛି କାଶୀପୁରର ଏ ଗାଁରୁ ସେ ଗାଁକୁ ।