Advertisment

Effects of Diabetes: ମଧୁମେହର ସାଂଘାତିକ ପରିଣାମ...ସ୍ମୃତିଶକ୍ତି ଚୋରାଇ ନେଉଛି ଏହି ଭୟଙ୍କର ରୋଗ

ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ମଧୁମେହ ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଅତିକ୍ରମ କରିସାରିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମଧୁମେହ ଏପରି ଏକ ଅବସ୍ଥା ଯେଉଁଥିରେ ଶରୀର, ଇନସୁଲିନକୁ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଡାଇବେଟିସ୍‌ର ପରିଣାମ

ଡାଇବେଟିସ୍‌ର ପରିଣାମ

ଆଧୁନିକ ଯୁଗର ତାଳେ ତାଳେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଫିସରେ ସିଷ୍ଟମ ଆଗରେ ବସିବା, ଘଣ୍ଟା ଘଣ୍ଟା ମୋବାଇଲ ବ୍ୟବହାର, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା, ଘର ଭିତରେ ସମୟ କଟାଇବା ଓ ବ୍ୟାୟାମ ନକରିବା ଯୋଗୁଁ ଦିନକୁ ଦିନ ରୋଗଗ୍ରସ୍ତ ହୋଇପଡ଼ୁଛି ମଣିଷ । ଏହାବ୍ୟତୀତ ଫାଷ୍ଟଫୁଡ଼, ଥଣ୍ଡା ପାନୀୟ ସାଙ୍ଗକୁ ତେଲ ମସଲା ଯୁକ୍ତ ଖାଦ୍ୟ ମଣିଷ ଶରୀରକୁ ଅଧିକ ରୋଗାକ୍ରାନ୍ତ କରିପକାଉଛି । ଏଥିଯୋଗୁଁ ଅନେକ ଲୋକ ଡାଇବେଟିସ ବା ମଧୁମେହ ରୋଗରେ ପୀଡ଼ିତ ହେଉଛନ୍ତି । ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ଓ ଛୋଟ ଛୋଟ ପିଲାମଧ୍ୟ ଏହି ରୋଗରେ ଘାଣ୍ଟି ହେଉଛନ୍ତି ।

Advertisment

ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ମଧୁମେହ ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଅତିକ୍ରମ କରିସାରିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମଧୁମେହ ଏପରି ଏକ ଅବସ୍ଥା ଯେଉଁଥିରେ ଶରୀର, ଇନସୁଲିନକୁ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ । ଫଳରେ ବ୍ଲଡ ସୁଗାର ବା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ ।

ଇନସୁଲିନ୍ ହିଁ ରକ୍ତରେ ଗ୍ଲୁକୋଜ ବା ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିବାର କାମ କରିଥାଏ। ଇନସୁଲିନ୍ ପ୍ରସ୍ତୁତ ନ ହେଲେ ଶରୀରରେ ଗ୍ଲୁକୋଜର ମାତ୍ରା ବଢ଼ିଯାଇଥାଏ । ଏହି ସ୍ଥିତିକୁ ମଧୁମେହ ବୋଲି କୁହାଯାଏ। ରକ୍ତ ଶର୍କରା ସ୍ତର ଅତ୍ୟଧିକ ହୋଇଗଲେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚିଥାଏ । ଡାଇବେଟିସ କାରଣରୁ ସ୍ମୃତି ଶକ୍ତି ଦୁର୍ବଳ ହେବା ସହ ମସ୍ତିଷ୍କ ରୋଗ ଡିମେନ୍ସିଆର ଆଶଙ୍କା ବଢ଼ିଯାଏ ବୋଲି ଅନେକ ବିଶ୍ୱାସ କରନ୍ତି । ତେବେ ପ୍ରକୃତରେ କ’ଣ ମଧୁମେହ ରୋଗ ଡିମେନ୍ସିଆର କାରଣ ହୋଇପାରେ କି?

Advertisment

ଡାଇବେଟିସ ବା ମଧୁମେହ ସାଧାରଣତଃ ୨ ପ୍ରକାରର । ଟାଇପ-୧ ଓ ଟାଇପ୍-୨ ଡାଇବେଟିସ । ଟାଇପ୍-୧ ଡାଇବେଟିସ ଶତକଡ଼ା ୫ ଭାଗ ଥିବା ବେଳେ ଟାଇପ୨- ଡାଇବେଟିସ ଶତକଡ଼ା ୯୫ ଭାଗ ରହିଛି। ଟାଇପ-୧ ଡାଇବେଟିସ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍ ରୋଗର ଲକ୍ଷଣ ଦେଖାଯାଏ। ଟାଇପ୍-୨ ଡାଇବେଟିସ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ ରୋଗର ଇତିହାସ ଥାଏ।

ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଟାଇପ୍ ୨ ଡାଇବେଟିସ ଯୋଗୁଁ ଡିମେନ୍ସିଆର ବିପଦ ରହିଛି । ଡିମେନ୍ସିଆ ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ। ଏଥିଯୋଗୁଁ ଲୋକଙ୍କର ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର କ୍ଷମତା ହ୍ରାସ ପାଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ, ଉଚ୍ଚ ରକ୍ତ ଶର୍କରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ। ସୁଗର ଲେବେଲ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ରହିଲେ, ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତି ପହଞ୍ଚେ । ମଧୁମେହ ଯୋଗୁଁ ଡିମେନ୍ସିଆର ଆଶଙ୍କା ଥିବା ଅନେକ ଅଧ୍ୟୟନରୁ ଜଣାପଡ଼ିଛି । କେବଳ ଏତିକି ନୁହେଁ ଏହା ଏକାଗ୍ରତା, ଧ୍ୟାନ, ସ୍ମୃତି ଏବଂ ସୂଚନା ପ୍ରକ୍ରିୟାକରଣକୁ ମଧ୍ୟ ପ୍ରଭାବିତ କରିପାରେ।

ଟାଇପ୍ ୨ ଡାଇବେଟିସ ମସ୍ତିଷ୍କରେ ଅନେକ ସମସ୍ୟା ସୃଷ୍ଟି କରେ। ଏଥିଯୋଗୁଁ ମସ୍ତିଷ୍କରେ ପର୍ଯ୍ୟାପ୍ତ ଅମ୍ଳଜାନ ଅଭାବ ସୃଷ୍ଟି ହୋଇଥାଏ , ଯାହା ମସ୍ତିଷ୍କ କୋଷଗୁଡ଼ିକୁ ଦୁର୍ବଳ କରିଦିଏ। କିଛି ଗବେଷଣାରୁ ଜଣାପଡିଛି , ମଧୁମେହ ମସ୍ତିଷ୍କରେ ଆମିଲଏଡ୍ ପ୍ରୋଟିନ୍ ସଂରକ୍ଷଣକୁ ବୃଦ୍ଧି କରିପାରେ, ଯାହା ଆଲଜାଇମର ରୋଗର ଲକ୍ଷଣ ସହିତ ଜଡିତ। ତେବେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଲେ ଡିମେନ୍ସିଆର ଆଶଙ୍କା ହ୍ରାସ ପାଇଥାଏ । କୌଣସି ବ୍ୟକ୍ତି ଟାଇପ୍ ୨ ଡାଇବେଟିସରେ ପୀଡ଼ିତ ଥିଲେ, ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଏବଂ ଭଲ ଜୀବନଶୈଳୀ ଦ୍ୱାରା ଡିମେନ୍ସିଆକୁ ଏଡ଼ାଇ ହେବ ।

ମଧୁମେହର କାରଣ

• ମଧୁମେହର ବିଭିନ୍ନ କାରଣ ରହିଛି। ବିଶେଷତଃ ଏହା ବଂଶାନୁକ୍ରମିକ, ବୟସ ବଢ଼ିଲେ ଓ ଶରୀରର ମୋଟାପଣ ବଢ଼ିଲେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

• କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ଜୀବନଶୈଳୀ ମଧୁମେହର କାରଣ ପାଲଟେ।

• ଯେଉଁ ଲୋକମାନେ ଉପଯୁକ୍ତ ପରିମାଣରେ ଶୋଇ ପାରନ୍ତି ନାହିଁ । ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ ।

• ସବୁବେଳେ ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ ଶର୍କରା ସ୍ତର ବଢ଼ିଥାଏ ।

• ଯେଉଁ ଲୋକମାନେ ଅଫିସରେ ଚେୟାରରେ ବସି କାମ କରିବା ସହ ବ୍ୟାୟାମ କରୁନାହାନ୍ତି । ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ ।

ଏହି ଲକ୍ଷଣ ଦେଖାଦେଲେ ମଧୁମେହ ପରୀକ୍ଷା କରାନ୍ତୁ

• କୌଣସି କାରଣ ବିନା ଓଜନ ହ୍ରାସ ହେବା
• ଶକ୍ତିର ଅଭାବ ଅନୁଭବ କରିବା
• ଅତ୍ୟଧିକ ତୃଷାର୍ତ୍ତ ଅନୁଭବ କରିବା
• ବାରମ୍ବାର ପରିସ୍ରା କରିବା
• ବିନା କାରଣରେ ଦୁର୍ବଳ ଲାଗିବା
• ହାତ ଗୋଡ ବ୍ୟଥା ହେବା
• ଶୀଘ୍ର ଘା' ନ ଶୁଖିବା
• ବାରମ୍ବାର ସଂକ୍ରମଣର ଶିକାର ହେବା

ଏହି ସବୁ ଖାଦ୍ୟ ବର୍ଜନ କରନ୍ତୁ

• ମଧୁମେହ ରୋଗୀ ସପ୍ଟ ଡ୍ରିଙ୍କ୍ରୁ ଦୂରେଇ ରହିବା ଉଚିତ୍ । ଏଥିରେ କାର୍ବୋହାଇଡ୍ରେଟ ଏବଂ ମିଠାର ଭାଗ ଅଧିକ ରହିଥାଏ । ସପ୍ଟ ଡ୍ରିଙ୍କ୍ରେ ଫ୍ରୁଟକୋଜ୍ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ ।
• ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରିଜ୍ ପରି ସ୍ନାକ୍ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି ଖାଦ୍ୟରେ ମଇଦା ଅଧିକ ଏବଂ ସୋଡିୟମ୍-କାର୍ବସ୍ ମଧ୍ୟ ଅଧିକ ପରିମାଣରେ ମିଳିଥାଏ।
• ମଧୁମେହ ରୋଗୀ ମାଂସ ଓ ଚର୍ବି ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଉଚିତ। ମଟନ୍,ଚିକେନ,ଲୁଣି ମାଛ ବା ଶୁଖୁଆ ଆଦି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଚର୍ବି ଓ ଲୁଣର ଭାଗ ଅଧିକ ରହିଥାଏ, ଯାହା ରକ୍ତଚାପକୁ ବୃଦ୍ଧି କରାଇବା ସହ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ ।
• ବଟର, ଚକୋଲେଟ୍ କ୍ରିମ, କ୍ରାକର ଆଦି ଖାଦ୍ୟଠାରୁ ମଧୁମେହ ରୋଗୀ ଦୂରରେ ରହିବା ଉଚିତ୍ । କାରଣ ଏଥିରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରାନ୍ସ ଫ୍ୟାଟ୍ ରକ୍ତରେ ଶର୍କରା ସ୍ତରକୁ ସିଧାସଳଖ ବୃଦ୍ଧି କରେ ନାହିଁ, କିନ୍ତୁ ଏହାର ବ୍ୟବହାର ଇନସୁଲିନ୍ ପ୍ରତିରୋଧ ଏବଂ ପେଟର ଚର୍ବି ସମସ୍ୟାକୁ ବଢାଇଥାଏ ।

ମଧୁମେହ ରୋଗକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଖାଦ୍ୟପେୟ ଉପରେ ରୋଗୀ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ମଧୁମେହ ରୋଗୀ ପ୍ରତି ୨ ଘଣ୍ଟାକୁ ଥରେ କିଛି ହାଲୁକା ଖାଦ୍ୟ ସେବନ କରିବା ଉଚିତ । ତେବେ କର୍ମବ୍ୟସ୍ତତା କିମ୍ବା ଅନ୍ୟ କୌଣସି କାରଣରୁ ଏହା ସମ୍ଭବ ହେଉନଥିଲେ ଦିନକୁ ୪ ରୁ ୫ଥର ନିଶ୍ଚୟ ଖାଦ୍ୟ ସେବନ କରନ୍ତୁ। ଏହି ଖାଦ୍ୟ ମଧ୍ୟରେ ସକାଳେ ଓ ସନ୍ଧ୍ୟାରେ ଜଳଖିଆ, ଖରାବେଳେ,ରାତ୍ରି ଭୋଜନ ସହ ଅନ୍ୟ ସମୟରେ ହାଲକା ଖାଦ୍ୟ ଖାଆନ୍ତୁ। ମଧୁମେହ ରୋଗୀ ନିଜ ଖାଦ୍ୟରେ ବିଶେଷ କରି ପ୍ରୋଟିନ୍ ଖାଦ୍ୟ ନିଶ୍ଚୟ ସାମିଲ କରନ୍ତୁ।

କାର୍ବୋହାଇଡ୍ରେଟ ଥିବା ଖାଦ୍ୟ କମ୍ ପରିମାଣରେ ଖାଆନ୍ତୁ। ଜଳଖିଆରେ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ କମ୍ ମାତ୍ରାରେ, ଖରାବେଳର ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହେ। ଖାଦ୍ୟପେୟ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଡାଇବେଟିସ କିମ୍ବା ମଧୁମେହ ହେବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରି ଏନେଇ ପଦକ୍ଷେପ ନିଅନ୍ତୁ । ଏଥିସହିତ ମଧୁମେହରୁ ବଞ୍ଚିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ । ଏଥିପାଇଁ ସକାଳୁ କିଛି ସମୟ ଚାଲିବା ଏବଂ ଦୌଡିବା, ଧନୁରାସନ, କପାଳଭାତି ଏବଂ ଶବାସନ ଭଳି ଯୋଗ ଅଭ୍ୟାସ କରିବେ ଉଚିତ୍ । ଏଥିସହିତ ପୋଷକ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । 

Diabetes Diabetes Risk Memory Loss
Advertisment
Advertisment