• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଃ ବାଃରେ ସ୍ୱାସ୍ଥ୍ୟବିଭାଗ । ହାତ ଖଣ୍ଡିଆ ହୋଇଥିଲା, ଡାକ୍ତର ଲେଖିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍‌ । ମେଡିକାଲ ଯାଇଥିଲେ ଟିଟି ନେବାକୁ, ହେଲେ ଡାକ୍ତରଙ୍କ କଥାରେ ନର୍ସ ଫୋଡ଼ିଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ । ଆଉ ଏଥିପାଇଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବାଲେଶ୍ୱର ନୀଳଗିରି ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜ୍ୟୋତି ପ୍ରକାଶ ସେଠୀ ନାମକ ଜଣେ ନାବାଳକର ବ୍ଲେଡ୍‌ରେ ହାତ କଟି ଯାଇଥିଲା । ତେଣୁ ସେ ବାପାଙ୍କ ସହ ଟିଟି ନେବା ପାଇଁ ନୀଳଗିରି ମେଡିକାଲ ଯାଇଥିଲେ । ଆଉ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ସବୁ ଶୁଣିବା ପରେ ବି ପ୍ରେସ୍‌କ୍ରିପ୍‌ସନ୍‌ରେ ଲେଖିଥିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ତାହା ପୁଣି ଗୋଟିଏ ନୁହେଁ ତିନୋଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । କାରଣ ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିଲା ।

ତେବେ ଡାକ୍ତର ବାବୁ ପ୍ରେସ୍‌କ୍ରିପ୍‌ସନ୍‌ରେ କ’ଣ ଲେଖିଲେ ତାହା ଜ୍ୟୋତିକୁ କିମ୍ବା ତାଙ୍କ ବାପାଙ୍କୁ ଜଣାନଥିଲା । ଡାକ୍ତର ଯାହା ଲେଖିଛନ୍ତି ସେହି ଅନୁସାରେ ଇଞ୍ଜେକ୍ସନ ନେବା ପାଇଁ ଲାଇନ୍‌ରେ ଛିଡ଼ା ହେଲେ । ଆଉ ତାଙ୍କ ପାଳି ପଡ଼ିବା ପରେ ଇଞ୍ଜେକ୍ସନ ବି ନେଲେ । ଠିକ୍‌ ଏତିକିବେଳେ ଖୋଲିଯାଇଥିଲା ଡାକ୍ତରଙ୍କ ପୋଲ୍ । କାରଣ ଗୋଟିଏ ଇଞ୍ଜେକ୍ସନ ଦେବା ପରେ ପରବର୍ତ୍ତୀ ତାରିଖରେ ଆସି ଆଉ ଏକ ଇଞ୍ଜେକ୍ସନ ନେବା ପାଇଁ ଜ୍ୟୋତିଙ୍କୁ କହିଥିଲେ ନର୍ସ ।

ନର୍ସଙ୍କ ଏଭଳି କଥା ଶୁଣି ଜ୍ୟୋତିଙ୍କ ବାପାଙ୍କ ମନରେ ସନ୍ଦେହ ହେଲା । ପୁଅର ହାତ କଟିଯାଇଥିଲା । ଟିଟି ନେବାକୁ ସେ ଆସିଥିଲା । ଗୋଟିଏ ଟିଟି ନେବା ପରେ ପୁଣି ପରବର୍ତ୍ତୀ ତାରିଖ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ତାପରେ ସେ ଜାଣିପାରିଥିଲେ ଟିଟି ବଦଳରେ ତାଙ୍କ ପୁଅକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଛି ।

ଭୁଲ ଇଂଜେକସନ ଦିଆଯିବା ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ନାବାଳକଙ୍କ ଅଭିଭାବକଙ୍କ ସମେତ ଅନ୍ୟମାନେ ଏନେଇ ଶିଶୁ ରୋଗ ବିଶେଷଜ୍ଞଙ୍କୁ ପଚାରିବାରୁ ସେ କଥାଟିକୁ ହାଲୁକା ଭାବେ ନେଇଛନ୍ତି । ଏହାସହ ପରେ ଜ୍ୟୋତିଙ୍କୁ ଟିଟାନାସ ଇଞ୍ଜେକସନ ବି ଦିଆଯାଇଛି ।

ତେବେ ଏନେଇ ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର ସିଂହ କହିଛନ୍ତି, ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିଲା । ତେଣୁ ତାକୁ ମଧ୍ୟ କୁକୁର କାମୁଡ଼ା ଇଞ୍ଜେକସନ ଲେଖି ଦେଇଛି । ଏହାଦ୍ୱାରା ପିଲାଟିର କିଛି କ୍ଷତି ହେବନି । ଏହାକୁ ପ୍ରତିଷେଧକ ହିସାବରେ ଦିଆଯାଇଛି । ତେଣୁ ଏହାର କୋର୍ସ ପୂରଣ କରିବାକୁ ଆହୁରି ୨ଟି ଇଞ୍ଜେକସନ ନେବାକୁ କୁହାଯାଇଛି । ଫଳରେ ଭବିଷ୍ୟତରେ କୁକୁର କାମୁଡ଼ିଲେ କୌଣସି ଅସୁବିଧା ହେବନି ।

(ରିପୋର୍ଟ-ବିଶ୍ୱମ୍ବର ଦାସ, ନୀଳଗିରି)