• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଣ୍ଟାକ୍ଟ ଲେନ୍‌ସ । ଏହାକୁ ଆଜି କାଲିର ଯୁବ ପିଢ଼ି ଖୁବ୍‌ ମାତ୍ରାରେ ବ୍ୟବହାର କରୁଛନ୍ତି । କାରଣ ଚଷମା ପିନ୍ଧିଲେ ଷ୍ଟାଇଲ୍ କମିଯିବ । ତେଣୁ ଚଷମା ବଦଳରେ କଣ୍ଟାକ୍ଟ ଲେନ୍‌ସ । ଆଖିରେ ପୁରା ଫିଟ୍‌ ହୋଇଯିବ । ଆଉ ବଜାରରେ ରଙ୍ଗବେରଙ୍ଗର କଣ୍ଟାକ୍ଟ ଲେନ୍‌ସ ବି ବିକ୍ରି ହେଉଛି । କାରଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଆଖିକୁ ଏକ ନୂଆ ପରିଚୟ ଦେବା ପାଇଁ ଯୁବ ପିଢ଼ି ଆଗ୍ରହ ଦେଖାଉଛନ୍ତି । ମ୍ୟାଚିଂ ଡ୍ରେସ ସାଙ୍ଗକୁ ରଙ୍ଗ ବେରଙ୍ଗର ମ୍ୟାଚିଂ କଣ୍ଟାକ୍ଟ ଲେନ୍‌ସ ପିନ୍ଧିବା ଯୁବପିଢ଼ିଙ୍କ ସୌକ ପାଲଟିଲାଣି ।

ତେବେ ଏହି କଣ୍ଟାକ୍ଟ ଲେନ୍‌ସ କେତେ ଯେ ମାରାତ୍ମକ ହୋଇପାରେ ତାହା ଆପଣ କେତେ ଭାବି ନଥିବେ । ଜଣେ ବ୍ୟକ୍ତି ନିୟମିତ କଣ୍ଟାକ୍ଟ ଲେନ୍‌ସ ପରିଧାନ କରିଥାନ୍ତି । ଏମିତିକି ରାତି ସମୟରେ ତାହାକୁ ପିନ୍ଧି ଶୋଇପଡ଼ନ୍ତି ମଧ୍ୟ । ଆଉ ଏହି ଅଭ୍ୟାସ ତାଙ୍କ ପାଇଁ ଆଣିଦେଲା ବଡ଼ ବିପଦ । ଦିନେ ରାତିରେ ସେ କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଯାଇଥିଲେ । ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।

ଏହି ଘଟଣା ଘଟିଛି ଫ୍ଲୋରିଡାର ଜଣେ ବ୍ୟକ୍ତି ମାଇକ୍‌ କ୍ରୁମୋହଲଙ୍କ କ୍ଷେତ୍ରରେ । ତାଙ୍କ ବୟସ ମାତ୍ର ୨୧ । ସେ ଦିନ ସାରା କାମ କରି ଥକି ଯାଇଥିଲେ । ତେଣୁ ଘରକୁ ଫେରିବା ପରେ ଶୋଇପଡ଼ିଥିଲେ । ଆଉ କଣ୍ଟାକ୍ଟ ଲେନ୍‌ସ ବାହାର କରିବା ପାଇଁ ଭୁଲିଯାଇଥିଲେ । ପାଖାପାଖି ୭ ବର୍ଷ ହେବ ସେ ଆଖିରେ ଲେନ୍‌ସ ବ୍ୟବହାର କରି ଆସୁଛନ୍ତି । ଏହାରି ଭିତରେ ତାଙ୍କ ଆଖିରେ ପିଙ୍କ୍‌ ଆଇ ଇନ୍‌ଫେକ୍‌ସନ ମଧ୍ୟ ହୋଇଥିଲା । ସେ ଏହାକୁ ସାମାନ୍ୟ ଭାବି ଅଣଦେଖା କରିଥିଲେ । କିନ୍ତୁ ଦିନକୁ ଦିନ ଏହା ଅଧିକରୁ ଅଧିକ ହେବାରେ ଲାଗିଲା । ଯାହାର ପରିଣାମ, ଆଜି ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି ।  

ତେବେ ଡାକ୍ତରଙ୍କ କହିବାନୁଯାୟୀ, ଆଖିରେ ଇନ୍‌ଫେକ୍ସନ ହେବା ଦ୍ୱାରା ଏଭଳି ଘଟିଛି । ବିରଳ ଫ୍ଲେସ୍‌ ଇଟିଂ ବା ମାଂସ ଖିଆ ବ୍ୟାକ୍‌ଟେରିଆ ଯୋଗୁଁ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ବ୍ୟାକ୍‌ଟେରିଆର କାମ ହେଲା ସେ ମାଂସକୁ କୋରି କୋରି ନଷ୍ଟ କରିଦେବ ବା ଆଖିର ଟିସୁ ଗୁଡ଼ିକୁ ଖାଇଦେବ । ତେବେ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୋଉଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ ହୋଇପାରେ । ସବୁବେଳେ କଣ୍ଟାକ୍ଟ ଲେନ୍‌ସ ଲଗାଇ ନଶୋଇବାକୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଛନ୍ତି । ଏହାଦ୍ୱାରା ଆଖିରେ ଇନ୍‌ଫେକ୍ସନ ବଢ଼ିପାରେ ।