• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ । ଜାରି ରହିଥିବା ମୁଣ୍ଡଫଟା ଖରା ଆଉ ତାତିରେ ଗତ ୨୪ ଘଣ୍ଟା ଭିତରେ ୨୦ରୁ ଅଧିକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଏବେ ରାଜ୍ୟବ୍ୟାପୀ ହଇଚଇ । ତେବେ ଏଭଳି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତଜନିତ କି ନୁହଁ, ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତା ୩ ଦିନ ଯାଏଁ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି ସତର୍କତା ଜାରି କରାଯାଇଛି ।

ଆକାଶରୁ ଖରା ତ ନୁହଁ, ଖସିପଡୁଛି ନିଆଁ ଝୁଲ...ସତେଯେମିତି ଯମଦୂତ ସାଜି କାହାକୁ ମରଣମୁହଁକୁ ଭିଡ଼ି ନେଉଛି ତ ଆଉ କାହାକୁ କଲବଲ କରି ଛାଡିଦେଇଛି ଡାକ୍ତରଖାନା ଭିତରେ....ଏଭଳି ଆତଙ୍କ ଭିତରେ ଡାକବାଜି ଯନ୍ତ୍ର ଧରି ସତର୍କବାଣୀ ଶୁଣାଉଛି ପ୍ରଶାସନ । ହିଟୱେଭର ହଟ୍ ସ୍ପଟ୍ ସାଜିଛି ଝାରସୁଗୁଡ଼ା । ଯେଉଁଠି ଗତ ୨୪ ଘଣ୍ଟା ଭିତରେ ସାତ ସାତ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ, ଦୋହଲାଇ ଦେଇଛି ସମସ୍ତଙ୍କୁ ।

ଆଉ ରାଉରକେଲାର କଥା ବର୍ଣ୍ଣନା କରିବା ସହଜ ନୁହଁ । ଧାଡ଼ିରେ ରଖାଯାଇ ଥିବା ମୃତଦେହ ଗୁଡ଼ିକର ପୋଲିସ ଉପସ୍ଥିତିରେ ଗୋଟି ଗୋଟି କରି କରାଯାଇଛି ପଞ୍ଚନାମା । ଏଭଳି ଭାବେ ୧୨ଟି ମୃତଦେହର ବ୍ୟବଚ୍ଛେଦ କରି, ଏହା ଅଂଶୁଘାତଜନିତ ନା ନୁହଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଡ଼ିକାଲ ଟିମ୍ ଗଠନ କରି ତଦନ୍ତ କରାଯାଉଛି ।

ଆଉ କିଛି ବ୍ୟକ୍ତି ମରଣମୁହଁରୁ ବର୍ତ୍ତିବା ସହ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଭାବେ ଗତ ୨୪ ଘଣ୍ଟା ଭିତରେ ଭର୍ତ୍ତି ହେଲେଣି ୫୦ରୁ ଅଧିକ । କେବଳ ଝାରସୁଗୁଡ଼ା କି ରାଉରକେଲା ନୁହେଁ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଭଳି ଅନେକ ଜିଲ୍ଲାରୁ ଆସିଛି ଅଂଶୁଘାତଜନିତ ମୃତ୍ୟୁର ଅଭିଯୋଗ ।

ସେହିପରି ଯାଜପୁର ଜିଲ୍ଲାର ଜିଲ୍ଲା ମେଡ଼ିକାଲରେ ୧୧ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ଜଣେ ମହିଳା ଓ ପୁରୁଷ ପୋଲିଂ କର୍ମଚାରୀ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସିଂଘିଯୁବା ଗାଁରେ ଗାଡ଼ି ଚଳାଇ ପେଟ ପୋଷୁଥିବା ସମାରୁ ବାଗ୍ ନାମକ ଜଣେ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ଗୁରୁବାର ଦିନ ଏହି ଜିଲ୍ଲାର କମିରା ଗାଁର ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଉଭୟ ଘଟଣାର ତଦନ୍ତ କରୁଛି ବିନିକା ପୋଲିସ । ଏସବୁ ଭିତରେ ଗ୍ରୀଷ୍ମପ୍ରବାହ ସହ ତାଳଦେଇ ବଢୁଥିବା ଅସ୍ୱାଭାବିକ ମୃତ୍ୟୁ ଘଟଣା ହଇଚଇ ଖେଳାଇ ଦେଇଛି । କାରଣ ମୃତାହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶ୍ରମିକ ଶ୍ରେଣୀର ।

ଯେଉଁମାନଙ୍କ ପ୍ରାଣହାନୀ ପରେ ଚେତା ପଶିଥିବା ସରକାରୀ କଳ ଏବେ ତତ୍ପର ହୋଇଉଠିଛି । ହିଟୱେଭର ପିକ୍ ଆୱାରରେ ବାହାରକୁ ବାହାରିବାକୁ ବାରଣ କରିବା ସହ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି SRC ଚରମବାଣୀ ଶୁଣାଇଛନ୍ତି ।

ହେଲେ ଖଟିଖିଆ ଓ ଶ୍ରମିକଙ୍କ ପ୍ରଶ୍ନ, କାମ ନକଲେ ଘର ପରିବାର ଚଳିବ କେମିତି ? ରାଜ୍ୟରେ ଆସନ୍ତା ୩ ଦିନ ପାଇଁ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବାରୁ ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାର ମେଡ଼ିକାଲ ଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପଦକ୍ଷପ ନିଆଯାଇଥିବା ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now