• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏମ୍ସ ପ୍ଲସ୍‌ ହେବ ଏସ୍‌ସିବି ମେଡ଼ିକାଲ । ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ଏସସିବି ମେଡିକାଲରେ ପହଞ୍ଚି ସ୍ଥିତି ତଦାରଖ କରିଥିଲା ଓଟିଭି ଟିମ୍‌ । ପଂଜୀକରଣ କେନ୍ଦ୍ର ସାମ୍ନାରେ ଛିଡ଼ା ହୋଇଥିଲେ ଶହଶହ ଲୋକ । କିଏ କିଏ ବସି ବି ପଡ଼ିଥିଲେ ।

ଟିକେଟ୍‌ ପାଇଁ ଲମ୍ବା ଲାଇନ୍‌ କରିଥିଲେ ଶହଶହ ଲୋକ । ମେଡିକାଲ କାନ୍ଥରେ ସ୍ପଷ୍ଟ ଲେଖାଯାଇଛି କି ଘରେ ବସି ଅନଲାଇନ୍‌ରେ ଆପଣ କରିପାରିବେ ଟିକେଟ୍‌ । ଏମିତିକି କେଉଁ ସମୟରେ ଟିକେଟ୍‌ କରିପାରିବେ ସେନେଇ ସବିଶେଷ ତଥ୍ୟ ବି ଦିଆଯାଇଛି । ହେଲେ ବାସ୍ତବରେ ଯଦି ଆପଣ ଅନଲାଇନ୍‌ ଟିକେଟ୍‌ କରିବାକୁ ପ୍ରୟାସ କରୁଛନ୍ତି ତାହାଲେ ରାତି ସରିଯିବ ହେଲେ ଟିକେଟ୍‌ ହେବନି । ଏକଥା ଆମେ ନୁହେଁ ବରଂ ରୋଗୀଙ୍କ ସମ୍ପର୍କୀୟ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଏସସିବିରେ ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ ?

ବାଲେଶ୍ୱର ଅଞ୍ଚଳରୁ ନିଜ ବାପାଙ୍କୁ ନେଇ ଜଣେ ବ୍ୟକ୍ତି କଟକ ଏସସିବି ଆସିଥିଲେ । ସାଇନ୍‌ବୋର୍ଡ ପଢିବା ପରେ ଅନଲାଇନ୍ ଟିକେଟ କାଟିବା ପାଇଁ ରାତି ସାରା ମୋବାଇଲରେ ଚେଷ୍ଟା କଲେ ହେଲେ ଲାଭ କିଛି ହେଲାନି । ମୋବାଇଲରେ ଲେଖିଲା YOUR SERVICE IS NOT PRIVATE । ତେଣୁ ରାତିସାରା ଅନିଦ୍ରା ହୋଇ ଟିକେଟ୍‌ କାଟିକାଟି ଥକିଯିବା ପରେ ଏବେ ପୁଣି ସେହି ଲାଇନ୍‌ରେ ଛିଡ଼ା ହୋଇ କରୁଛନ୍ତି ଟିକେଟ୍‌ ।

ସୂଚନା ଅନୁସାରେ, ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ।

ଖାଲି ଏତିକି ନୁହେଁ ବରଂ କାଉଣ୍ଟରରେ କମ୍ପ୍ୟୁଟର ଅଛି ହେଲେ କର୍ମଚାରୀ ନାହାନ୍ତି । ଅନଲାଇନ୍‌ରେ ଟିକେଟ କାଟି ମୋବାଇଲରେ ଦେଖେଇବା ପରେ ଆପଣଙ୍କୁ କାଉଣ୍ଟରରୁ ପ୍ରିଣ୍ଟ ଆଉଟ୍ ମିଳିବା କଥା । ହେଲେ କାଉଣ୍ଟରରେ ତାଲା ପଡୁଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଏମିତି ଅବସ୍ଥାକୁ ମାନିବାକୁ ନାରାଜ ମେଡ଼ିକାଲ କର୍ତ୍ତୃପକ୍ଷ । ଓଲଟି ବୈଷୟିକ ତ୍ରୁଟିକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି।

ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କଥା କହୁଛନ୍ତି ରାଜ୍ୟ ସରକାର । ଏଥିଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ବାସ୍ତବସ୍ଥିତି କଣ ତାହା ଆପଣଙ୍କ ସାମ୍ନାରେ । ଏମିତି ଅବ୍ୟବସ୍ଥାରେ ମେଡିକାଲ ଚାଲିଲେ ଏସସିବି ଏମ୍ସ ପ୍ଲସ୍‌ ହୋଇପାରିବ ତ?

  • Reported by:
  • PRAVAT BISOI