• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

  • କେଉଁ ହସ୍ପିଟାଲ ନେଇଛନ୍ତି କେତେ ଟଙ୍କା ?

ରାଉରକେଲା, ଭୁବନେଶ୍ୱର (ପଓ୍ୱନ ତିଓ୍ୱାରୀ, ସ୍ୱାତୀ ଜେନା) : କୋଭିଡ ପାଇଁ ଚିକିତ୍ସା ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୯୧୫ କୋଟିରୁ ଅଧିକ ଟଙ୍କା । ଏହାର ସିଂହ ଭାଗ ଅର୍ଥାତ ୯୫ ପ୍ରତିଶତ ରାଶି ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲକୁ ଦିଆଯାଇଛି । ତେବେ ଗୋଟିଏ ଲେଖାଏଁ ଘରୋଇ ହସ୍ପିଟାଲକୁ ରୋଗୀ ପିଛା ୩ରୁ ୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ କଟକ ଏସସିବିରେ କିନ୍ତୁ ଖର୍ଚ୍ଚ ହୋଇଛି ହଜାର ଟଙ୍କାରୁ ବି କମ୍ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଲିଖିତ ଉତ୍ତରରୁ ଜଣାପଡିଛି, ସରକାରୀ ତହବିଲରୁ ସବୁଠାରୁ ଅଧିକ ଟଙ୍କା ନେଇଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ । ତେବେ ସରକାର ନିଜସ୍ୱ ଭିତ୍ତିଭୂମି ନ ସଜାଡ଼ି କରଦାତାଙ୍କ କୋଟି କୋଟି ଟଙ୍କାରେ ଘରୋଇ ହସ୍ପିଟାଲକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି ।

କଥାରେ ଅଛି କାହାର ପୁଷମାସ ତ ଆଉ କାହାର ସର୍ବନାଶ । ଅର୍ଥାତ କରୋନାରେ ନିଜ ଆତ୍ମୀୟଙ୍କୁ ହରାଇ କିଛି ଲୋକ ସର୍ବନାଶ ହୋଇଗଲେ । କିନ୍ତୁ ତାଙ୍କୁ ଚିକିତ୍ସା କରି ମାଲାମାଲ ହୋଇଗଲେ ଅନେକ ଘରୋଇ ହସ୍ପିଟାଲ । ଏମିତିକି ଜଣେ ଜଣେ ରୋଗୀଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲ ସରକାରଙ୍କଠାରୁ ହାରାହାରି ୫ ଲକ୍ଷ ୧୮ ହଜାର ଟଙ୍କା ନେଇଛନ୍ତି । ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ଏହାର ଏକ ଉଦାହରଣ । ଏହି ହସ୍ପିଟାଲରେ ମାତ୍ର ୧ ହଜାର ୪୯୦ ରୋଗୀଙ୍କ ଚିକିତ୍ସା ପାଇଁ ମୋଟ୍ ୭୭ କୋଟି ୩୨ ଲକ୍ଷ ୬୪ ହଜାର ଟଙ୍କା ନେଇଛି ।

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି । କୋଭିଡ ହସ୍ପିଟାଲ ସମ୍ଭନ୍ଧୀୟ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କଟକର ମେଡିଇରା ହସ୍ପିଟାଲ ୮୦ ରୋଗୀଙ୍କ ପାଇଁ ନେଇଛି ୨କୋଟି ୪୫ ଲକ୍ଷ ଟଙ୍କା ସେହିପରି ବରଗଡ଼ର ଏମସିଏଚ ବିଲ୍ଡିଂକୁ ହସ୍ପିଟାଲ କରାଯାଇ ୭୦୪ ରୋଗୀଙ୍କ ଚିକିତ୍ସା ପାଇଁ ୧୮ କୋଟି ୫୨ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । ଏପଟେ ଏସବୁ ହସ୍ପିଟାଲ ଗୁଡିକର ଅଡିଟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ରାଜ୍ୟର କେଉଁ ଘରୋଇ ହସ୍ପିଟାଲକୁ ସମର୍ପିତ ଅର୍ଥାତ ଡେଡିକେଟେଡ୍ କୋଭିଡ ହସ୍ପିଟାଲ କରାଯିବ ? ତାହା ସରକାରଙ୍କ ଇଛାଧୀନ ବ୍ୟାପାର । ଜନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୧୦ ଦିନ ପାଇଁ ମେଡିସିନ୍ ସହ ପ୍ରତି ଅକ୍ସିଜେନ ଓ ନନ୍ ଅକ୍ସିଜେନ୍ ବେଡ୍ ପାଇଁ ହାରାହାରି ଏକ ଲକ୍ଷ ୧୭ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ହେଲେ ଚିକିତ୍ସା ପାଇଁ କିଏ ରୋଗୀ ପିଛା ୫ ଲକ୍ଷ ପାଇଛି ତ ଆଉ କିଏ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲ ପରି ଜଣେ ରୋଗୀ ପିଛା ହାରାହାରି ୧୦ ହଜାର ନେଇଛି ।

ଗତ ୨ବର୍ଷରେ ରାଜ୍ୟ ସରକାର ଅଦ୍ୟାବଧି କୋଭିଡରେ ୭ ଲକ୍ଷ ୮୫ ହଜାର ରୋଗୀଙ୍କ ମାଗଣା ଚିକିତ୍ସାରେ ମୋଟ୍ ୯୧୫ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ମଧ୍ୟରେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ୬୬ ହଜାରରୁ ଅଧିକ ରୋଗୀ । ଯେଉଁଠି ହାରାହାରି ୧ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏପଟେ ଘରୋଇ ହସ୍ପିଟାଲ ପ୍ରୀତି ଓ ଦୂର ଦୃଷ୍ଟିହୀନତାକୁ ନେଇ କଡା ସମାଲୋଚନା କରିଛି ବିଜେପି । ସେପଟେ ସରକାରୀ ସ୍ତରରେ ଭିତ୍ତିଭୂମୀ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୂର୍ବତନ ଓମସା ସଭାପତି ।