ବଢ଼ୁଛି ତାତି, କଲବଲ ପଶ୍ଚିମ ଓଡ଼ିଶାବାସୀ । ସେପଟେ ରାଜ୍ୟରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଏପରି ମୃତ୍ୟୁ ବଢ଼ିବାରେ ଲାଗିଛି । ତେବେ ଏଥିରୁ ଅଧିକାଂଶ ମୃତ୍ୟୁ ଅଶଂଘାତ ଜନିତ ହେଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
Also Read
ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି। ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ସତର୍କତା ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।
ଅଧିକ ପଢ଼ନ୍ତୁ: ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି, ୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ
ତେବେ କେବଳ ରାଉରକେଲା ସହରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ୪ ଜଣଙ୍କର ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି । ଅବଶିଷ୍ଟ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରାଉରକେଲା ତହସିଲଦାର ଓ ମେଡିକାଲ ଟିମ୍ ଏନେଇ ତଦନ୍ତ କରୁଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହୋଇନାହିଁ । ଏସବୁ ଭିତରେ ରାଜ୍ୟବ୍ୟାପୀ ଆସିଥିବା ୧୪୧ଟି ଅଭିଯୋଗ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତଜନିତ ବୋଲି SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ସମ୍ବଲପୁରରେ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୮ ଅସ୍ବାଭାବିକ ମୃତ୍ୟୁ ମଧ୍ୟରୁ ୫ ଅଂଶୁଘାତଜନିତ। ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ୭ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଜଣାପଡିଛି। ଅବଶିଷ୍ଟ ୧୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତ ମାସ ୨୯ରୁ ୧ ତାରିଖ ଭିତରେ ସମ୍ବଲପୁରରେ ୧୮ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା।
ସେପଟେ ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପାଇଁ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି ।