• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାର କହୁଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିଛି । ରୋଗୀଙ୍କୁ ମିଳୁଛି ଉନ୍ନତ ଚିକିତ୍ସା ସେବା । କିନ୍ତୁ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲ ଗୁଡ଼ିକରେ କେମିତି ଅଛି ସ୍ଥିତି? ସେଠାରେ ରୋଗୀ ଦେଖିବା ଲାଗି ଅଛନ୍ତି ତ ଆବଶ୍ୟକ ଡାକ୍ତର ଓ ପ୍ରଫେସର? କଟକରୁ ନେଇ ବୁର୍ଲା ଆଉ ବ୍ରହ୍ମପୁର ଯାଏଁ, ସବୁଠି ଡାକ୍ତର ଓ ପ୍ରଫେସର ସଙ୍କଟ । ଏପଟେ ପଦବୀ ପୂରଣ ଉଦ୍ଦେଶ୍ୟରେ ସରକାରଙ୍କ ଠିକା ନିଯୁକ୍ତିକୁ ମୁହଁ ମୋଡ଼ୁଛନ୍ତି ବିଶେଷଜ୍ଞ ଡାକ୍ତର ।

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା । ରାଜ୍ୟର ସବୁ ସରକାରୀ ମେଡିକାଲ କଲେଜରେ ଡାକ୍ତର ଓ ପ୍ରଫେସର ମରୁଡ଼ି । ରାଜ୍ୟର ସବୁଠାରୁ ବଡ଼ ମେଡିକାଲ ବୋଲାଉଥିବା କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ମେଡିସିନ୍ ବିଭାଗରେ ୪୫ ଡାକ୍ତର ପଦବୀ ଥିବା ବେଳେ, ଅଛନ୍ତି ମାତ୍ର ୨୨ ଜଣ । ସେମାନଙ୍କ ଭିତରୁ ୧୪ ଜଣ ଠିକା ଡାକ୍ତର । ମେଡିସିନ୍ ବିଭାଗରେ ୮ଟି ୟୁନିଟ୍ ପାଇଁ ଅଛନ୍ତି ମାତ୍ର ୪ ପ୍ରଫେସର । ୟୁରୋଲୋଜି ଓ ନେଫ୍ରୋଲୋଜି ଭଳି ସୁପର ସ୍ପେସାଲିଟି ବିଭାଗ ପ୍ରଫେସର ଶୂନ୍ୟ । ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ରୋଗୀ ଦେଖୁଛନ୍ତି ଠିକାରେ ନିଯୁକ୍ତ ପ୍ରଫେସର ।

ସେହିଭଳି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ- ଭିମସାରର ୩୬ଟି ପ୍ରଫେସର ପଦବୀରୁ ୮ ଫାଙ୍କା ୭୧ଟି ଆସୋସିଏଟ୍ ପ୍ରଫେସର ପଦବୀରୁ ୨୧ଟି, ୧୪୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୩୬ଟି ଏବଂ ୨୨୩ ସିନିୟର ରେସିଡେଣ୍ଟ ବା ଟ୍ୟୁଟର ପଦବୀରୁ ୯୫ଟି ଖାଲି ପଡ଼ିଛି । ଏପଟେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ମଧ୍ୟ ସମାନ ଅବସ୍ଥା । ଏଠାକାର ମୋଟ୍ ୩୯ଟି ପ୍ରଫେସର ପଦବୀରୁ ୪ଟି ଖାଲି ପଡ଼ିଥିବା ବେଳେ ୮୧ଟି ଆସୋସିଏଟ୍ ପ୍ରଫେସର ପଦବୀରୁ୧୮ଟି ଓ ୧୬୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୧୫ଟି, ୧୨୪ଟି ଟ୍ୟୁଟର ଓ ସିନିୟର ରେସିଡେଣ୍ଟ ପଦବୀରୁ ୩୩ଟି ପଦବୀ ଖାଲି ରହିଛି, ଯାହାକୁ ନେଇ ବିଭିନ୍ନ ମହଲରେ ଦେଖାଦେଲାଣି ଅସନ୍ତୋଷ ।

ଅପରପକ୍ଷରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ଅଭାବରୁ ମେଡିକାଲ ପାଠ୍ୟକ୍ରମରେ ସିଟ୍ କଟିବା ଆଶଙ୍କା ଥିବାରୁ ଠିକା ନିଯୁକ୍ତି କରି କାମ ଚଳାଇବାକୁ ରାଜ୍ୟ ସରକାରଙ୍କ ଯୋଜନା ବି ଫସର ଫାଟିଛି । ବିଭିନ୍ନ ମେଡିକାଲ କଲେଜରେ ଖାଲି ଥିବା ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍ ପ୍ରଫେସର ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲା ଡିଏମ୍ଇଟି । ହେଲେ ଠିକା ନିଯୁକ୍ତି ପାଇଁ ଅମଙ୍ଗ ହେଉଛନ୍ତି ବିଶେଷଜ୍ଞ ଡାକ୍ତର ୫୦ ପ୍ରଫେସର ପଦବୀ ପାଇଁ ମାତ୍ର ୧୦ ଜଣ ଆବେଦନ କରିଥିବା ବେଳେ ୧୪୪ ଆସୋସିଏଟ୍ ପ୍ରଫେସର ଲାଗି ଆବେଦନ କରିଥିଲେ ୧୦୪ ଜଣ ଯାଞ୍ଚ ।

ପରେ ସେମାନଙ୍କ ଭିତରୁ ୭ ଜଣଙ୍କୁ ପ୍ରଫେସର ଓ ୭୧ ଜଣଙ୍କୁ ଆସୋସିଏଟ୍ ପ୍ରଫେସର ପଦବୀର ସାକ୍ଷାତକାର ଲାଗି ଡକାଯାଇଥିଲା । ହେଲେ ସାକ୍ଷାତକାର ଦିନ ଅଧିକାଂଶ ନ ଆସିବାରୁ ମାତ୍ର ଜଣେ ପ୍ରଫେସର ଓ ୨୦ ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଡିଏମ୍ଇଟି କହିଛନ୍ତି, ଚୁକ୍ତିଭିତ୍ତିକ ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀ ଲାଗି ଥିବା ଯୋଗ୍ୟତା ମାନଦଣ୍ଡ କାରଣରୁ ପୂରଣ ହୋଇପାରିଲାନି ଆବେଦନ କରାଯାଇଥିବା ପଦବୀ ।