National Nutrition Month 2025 Reminder: Avoid These Foods in Morning & Evening
ଶରୀର ପାଇଁ ପୋଷଣର ଆବଶ୍ୟକତା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛେ। ଅପପୁଷ୍ଟି ଓ ବିଭିନ୍ନ ପୁଷ୍ଟି ଅଭାବ ଜନିତ ସମସ୍ୟାର ନିରାକରଣ ପାଇଁ ଗ୍ରାମରୁ ସହର ଯାଏଁ ସରକାରଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏସବୁ ପରେ ମଧ୍ୟ ବର୍ତ୍ତମାନ ପୋଷଣ ଠିକ୍ ପାଉନଥିବା ହେତୁ ଶିଶୁମୃତ୍ୟୁ ତଥା ଅନ୍ୟାନ୍ୟ ବ୍ୟାଧି ସମାଜରେ ଦେଖାଯାଉଛି। ଏଥିପାଇଁ ଜନସାଧାରଣଙ୍କୁ ଜାଗ୍ରତ କରିବାକୁ ପ୍ରତି ବର୍ଷ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଏ।
ବିଭିନ୍ନ ଥିମ୍ ବା ଉଦ୍ଦେଶ୍ୟ ରଖି ଲୋକମାନଙ୍କ ମଧ୍ୟରେ ସହଜରେ ସତର୍କତା ବାର୍ତ୍ତା ପହଞ୍ଚାଇବା ଏହାର ଲକ୍ଷ୍ୟ। ଏକ ସୁସ୍ଥ ଭାରତବର୍ଷ ଗଠନ ପାଇଁ ଏହା ଅଧିନରେ ପୋଷଣ ଅଭିଯାନ ପରି ଉନ୍ନତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ ଏହା ୧୯୮୨ରୁ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଦ୍ୱାରା ପାଳିତ ହୋଇଆସୁଅଛି। ତେବେ ଆସନ୍ତୁ ଆଜି କଥା ହେବା ଚଳିତ ବର୍ଷ ପୋଷଣ ମାସର ଥିମ୍ “ଇଟ୍ ରାଇଟ୍ ଫର୍ ଏ ବେଟର୍ ହେଲଥ (ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଖାଆନ୍ତୁ)” ବିଷୟରେ।
କାହିଁକି ସଠିକ୍ ପୋଷଣଯୁକ୍ତ ଖାଦ୍ୟ
ଯେବେ ଆମେ ଉପଯୁକ୍ତ ବା ସଠିକ୍ ଖାଦ୍ୟ ବିଷୟରେ କଥା ହେଉ, ସେତେବେଳେ ଆମେ ଆମର ଉତ୍ତମ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଥାଉ। ଏକ ସନ୍ତୁଳିତ ପୋଷଣଯୁକ୍ତ ଖାଦ୍ୟ ଯାହା ଶ୍ୱେତସାର, ପୁଷ୍ଟିସାର, ଭିଟାମିନ୍ସ ଓ ଫ୍ୟାଟ୍ ପରି ବିଭିନ୍ନ ଖାଦ୍ୟସାରକୁ ସନ୍ତୁଳିତ କରେ ଏବଂ ଆମକୁ ଅପପୁଷ୍ଟି ଓ ଓଜନବୃଦ୍ଧିରୁ ରକ୍ଷା କରେ, ସେପରି ଖାଦ୍ୟର ପରିକଳ୍ପନା ଆମେ କରିବା ଉଚିତ୍। ଭାରତରେ ଖାଦ୍ୟ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ ଭାବନାଗତ କାରକ କହିଲେ ଭୁଲ୍ ହେବ ନାହିଁ। ଆମର ବିଭିନ୍ନ ପରମ୍ପରା ତଥା ପର୍ବପର୍ବାଣି ସବୁ ଖାଦ୍ୟ ସହ ଜଡ଼ିତ। ଏସବୁ ଖାଦ୍ୟ ଆମର ସ୍ଥାନୀୟ ପନିପରିବା ଓ ଫଳ ତଥା ଶସ୍ୟ ଅନୁସାରେ ହିଁ କାହିଁ କେଉଁକାଳରୁ ବ୍ୟବହାର ହୋଇଆସୁଛି। ତେଣୁ ଖାଦ୍ୟରେ ଏକ ପ୍ରକାର ଭେରାଇଟି ବା ବିଭିନ୍ନତା ରହିଛି ଯାହା ପ୍ରକୃତରେ ଆମର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜରୁରୀ।
ପାରମ୍ପାରିକ ଖାଦ୍ୟରୁ ପୋଷଣ
ଯଦି ଆମେ ଭାରତର ଖାଦ୍ୟ ପରମ୍ପରା କଥା ଆଲୋଚନା କରିବା ତେବେ ପ୍ରାୟ ପ୍ରତିଟି ଖାଦ୍ୟ ଆବଶ୍ୟକ ଖାଦ୍ୟସାରରେ ସମୃଦ୍ଧ ଏବଂ ଋତୁଗତ ପରିବର୍ତ୍ତନ ଅନୁସାରେ ଏହା ସେବନର ବିଧି ରହିଛି। ହେଲେ ସମୟ ବଦଳିବା ସହ ଆମମାନଙ୍କ ରୁଚି ତଥା ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି, ଯାହା ଆମର ଖାଦ୍ୟାଭ୍ୟାସ ମଧ୍ୟ ବଦଳାଇ ଦେଇଛି। ଏହା ବଦଳୁଥିବା ଅଭ୍ୟାସରେ ଅଳ୍ପ ସମୟରେ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟର ଚାହିଦା ବେଶ୍ ବଢ଼ିଛି।
ଏଣୁ ବିଭିନ୍ନ ଫାଷ୍ଟ ଫୁଡ୍ ଓ ଜଙ୍କ୍ ଫୁଡ୍ର ପ୍ରଭାବରୁ ମୁକୁଳି ଆମର ପାରମ୍ପାରିକ ତଥା ସହଜରେ ମିଳୁଥିବା ଜିନିଷରୁ ଅଳ୍ପ ସମୟରେ କିପରି ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ତିଆରି କରିବା, ଆମେ ସେ ଦିଗରେ ଯତ୍ନବାନ୍ ହେବା ଆବଶ୍ୟକ ରହିଛି। ଉଦାହରଣ ସ୍ୱରୂପ, ସକାଳ ଜଳଖିଆରେ ପିଜ୍ଜା କିମ୍ୱା ବ୍ରେଡ୍ ଆଦି ନଖାଇ ଘରେ ଉପମା, ବେସନ ଚକୁଳି ତଥା ଏମିତି ହିଁ କିଛି ତିଆରି କରି ଖାଇପାରିବା। ସେହିପରି ସନ୍ଧ୍ୟାର ସ୍ନାକ୍ସ ଓ ରାତି ଖାଇବା ଆମେ ଘରେ ପ୍ରସ୍ତୁତ କରି ସ୍ୱାସ୍ଥ୍ୟକର ଜିନିଷ ଖାଇବା।
ପୋଷଣ ମାସର ଆହ୍ୱାନ
ପୋଷଣ ମାସ ପାଳନ କରି ସତର୍କତା ପ୍ରସାର କରିବା ଦ୍ୱାରା ଜନସ୍ୱାସ୍ଥ୍ୟ ଉପରେ ନିର୍ଦ୍ଦିଷ୍ଟ ପ୍ରଭାବ ପଡ଼େ। ଆନିମିଆ ତଥା ରକ୍ତହୀନତା ପରି ସମସ୍ୟାରୁ ମହିଳା ଓ ଶିଶୁମାନଙ୍କୁ ରକ୍ଷା କରିବାକୁ ବିଭିନ୍ନ ପୋଷଣ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଜଣେଇବା ଦ୍ୱାରା ପ୍ରାୟ ୫୭ ପ୍ରତିଶତ ଲୌହ ଅଭାବ ଜନିତ ରୋଗ କମିଛି। ଏହି ଦୃଷ୍ଟିରୁ କମ୍ୟୁନିଟି ବା ଗୋଷ୍ଠୀଗତ ଶିକ୍ଷା ପାଇଁ ଏପରି ପୋଷଣ ସପ୍ତାହ ବା ମାସ ପାଳନର ଆବଶ୍ୟକତା ରହିଛି। ଗ୍ରାମ୍ୟ ଓ ସହର ସ୍ତରରେ ଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ୱାରା ପୋଷଣ ଜନିତ ସତର୍କତା ବାର୍ତ୍ତା ସମସ୍ତଙ୍କ ପାଖରେ ପହଂଚାଇବା ସମ୍ଭବ ହେଉଛି।
ଆମେ ଆମର ପରିବାର ସ୍ତରରେ ତଥା ବ୍ୟକ୍ତିଗତ ଭାବେ ମଧ୍ୟ ଏପରି ସକର୍କତା ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇ ବିଭିନ୍ନ ହିତକାରକ କାର୍ଯ୍ୟକ୍ରମ କରିପାରିବା। ଆମେ ନିତିଦିନ ଭେଟୁଥିବା ଅପପୁଷ୍ଟିର ଶିକାର ମାଆ ଓ ପିଲାମାନଙ୍କୁ ଆଇରନ୍ ସପ୍ଲିମେଣ୍ଟ ଦେବା ସହ ଡାକ୍ତରଙ୍କ ପାଖକୁନ ନେଇ ସେମାନଙ୍କ ଚିକିତ୍ସା କରିପାରିବା। ସ୍କୁଲ କଲେଜ ସ୍ତରରେ ମଧ୍ୟ ଠିକ୍ ପୋଷଣଯୁକ୍ତ ଖାଦ୍ୟ ନେଇ ସଚେତନତା ଦେଖାଇ ପାରିବା। ଆମେ ସର୍ବଦା ସରକାର ଉପରେ ନିର୍ଭର ନକରି କିଛି କାର୍ଯ୍ୟକ୍ରମ ଆମ ବ୍ୟକ୍ତିଗତ ସ୍ତରରେ ହାତକୁ ନେଲେ, ଅନ୍ୟମାନେ ଉତ୍ସାହିତ ହେବେ ଏବଂ ଏକ ସୁନ୍ଦର ସ୍ୱାସ୍ଥ୍ୟକର ରାଜ୍ୟ ତଥା ଦେଶ ସୃଷ୍ଟି ହୋଇପାରିବ। ପୋଷଣ ସପ୍ତାହ ତଥା ମାସ ପାଳନର ଏହି ମହତ୍ୱ ଆମକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)