• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ କାଣ୍ଡିକିଗୁଡ଼ାରେ ଅଜଣା ରୋଗର ଆତଙ୍କ । ସପ୍ତାହେ ଭିତରେ ୩ ଜଣଙ୍କର ମୃତ୍ୟୁ ହେବାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ, ରୋଗୀର ହାତ ଗୋଡ଼ ଓ ମୁହଁ ଫୁଲି ଯାଉଛି । ଦୁର୍ବଳ ହୋଇ ବିଛଣାରେ ପଡ଼ି ରହୁଛନ୍ତି । ଆଉ ୧୫ରୁ ୨୦ ଦିନ ଭିତରେ ତାଙ୍କର ମୃତ୍ୟୁ ହେଉଛି ।

ପ୍ରଥମେ ୨ ଜଣ ପ୍ରାଣ ହରାଇଥିବା ବେଲେ ଗତକାଲି ଜଣକୁ ପ୍ରଥମେ ରାମଗିରି ଓ ପରେ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଣି ଅବସ୍ଥା ଗୁରୁତର ଥିବାରୁ ଜୟପୁର ଓ ତା ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି । ଆଜି ସାତ ଜଣିଆ ଡାକ୍ତରୀ ଦଳ ପହଞ୍ଚିବେ ବୋଲି କୁହାଯାଇଛି । ଗତବର୍ଷ ମଧ୍ୟ ଏହି ସମୟରେ ଏଭଳି ଅଜଣା ରୋଗରେ ୬ ଜଣକର ମୃତ୍ୟୁ ହୋଇଥିଲା । ଗାଁରେ ୨ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳେଇ ଦେଇଛି ।

ସେପଟେ ମାଲକାନଗିରି ଜିଲ୍ଲା ମାଥିଲିରେ ଅଜଣା ରୋଗର ଆତଙ୍କ ଦେଖିବାକୁ ମିଳିଛି । ୧୦ ଦିନ ଭିତରେ ୬ ଜଣଙ୍କର ମୃତ୍ୟୁ ପରେ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ କାହାକୁ ଜ୍ୱର ହେଉଛି ତ କାହାର ଗୋଡ଼ ଫୁଲିଯାଇଛି । ଘରେ ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି । ତିନି ଚାରି ଦିନ ପଡ଼ି ରହିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି, ହେଲେ ଲୋକେ ଡାକ୍ତରଖାନା ଯିବାକୁ ରାଜି ହେଉନାହାନ୍ତି । ଯିଏ ମେଡିକାଲ ଯାଉଛି ତାର ମୃତ୍ୟୁ ହେଉଛି ବୋଲି ଗାଁ ଲୋକେ ଭାବି ନେଇଛନ୍ତି ।

ତା ବଦଳରେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି । ଏପରିକି ଡାକ୍ତରୀ ଦଳକୁ ବି ଲୋକେ ସହଯୋଗ କରୁନାହାନ୍ତି, ଯାହା ଫଳରେ ରୋଗ ନିରୁପଣରେ ସମସ୍ୟା ହେଉଥିବା ସୂଚନା ମିଳିଛି । ତେବେ ଗତ ୧୫ ଦିନ ହେଲା ଏହି ରୋଗ ବ୍ୟାପିଥିବା ଲୋକେ କହିଛନ୍ତି ।