Liver transplantation unit at SCB Medical College and Hospital yet to begin
ବଡ଼ ବଡ଼ କୋଠା, ବଡ଼ ଡାକ୍ତରଖାନା, ବଡ଼ ଆଶା। ସେଥିରେ ପୁଣି କଟକଏସସିବି କୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ। ହେଲେ ୧୦ ବର୍ଷ ତଳୁ ୨୨ କୋଟିର ବ୍ୟୟ ବରାଦ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଏବଂ ଦୁଇ ଦୁଇ ଥର ଶୁଭାରମ୍ଭ ସତ୍ତ୍ବେ କଟକ ବଡ଼ ମେଡିକାଲରେ ଆରମ୍ଭ ହୋଇପାରୁନି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଦ୍ୱିତୀୟ ଥର ପାଇଁ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଏସସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଲିଭର ଟ୍ରାନସ୍ ପ୍ଲାଣ୍ଟେସନ୍ ଓପିଡିର ଉଦଘାଟନ ଅବସରରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ରୋଗୀ ଭାବେ ବିଚିତ୍ରା ନନ୍ଦ ଖଟୁଆଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ଐତିହାସିକ ବୋଲି କହିଥିଲେ।
ହେଲେ ୟା ଭିତରେ ପାଖାପାଖି ୧୫ ମାସ ପରେ ବି ପ୍ରଥମ ପଞ୍ଜିକୃତ ରାଉରକେଲାର ସେ ବିଚିତ୍ରା ନନ୍ଦ ଖଟୁଆଙ୍କ ଟ୍ରାନ୍ସ ପ୍ଲାଣ୍ଟ କେଉଁଠି ହେଲା ତାହା ତ ଜଣା ନାହିଁ, ଏସସିବି ପାଇଁ ଏବେ ଯାଏ ସ୍ବପ୍ନରେ ରହିଯାଇଛି ଟ୍ରାନ୍ସପ୍ଲାଣ୍ଟେସନ୍ ବ୍ୟବସ୍ଥା। ଯାହାର ପରିଣାମ ଓଡ଼ିଶା ରୁ ଲିଭର ଟ୍ରାନ୍ସ ପ୍ଲାଣ୍ଟର ସୁବିଧା ନପାଇ ଉନ୍ନତ ଚିକିତ୍ସା ପାଇଁ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଛି। ଯେଉଁଥିପାଇଁ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିବା ସହ ଏସ୍ସିବିରେ କାହିଁକି ଏ ବ୍ୟବସ୍ଥା ଆରମ୍ଭ ହୋଇ ପାରୁନାହିଁ ବୋଲି କି ସରକାରଙ୍କ ଆନ୍ତରିକତାକୁ ପ୍ରଶ୍ନ କରିଛନ୍ତି ଅଭିନେତା ଶ୍ରୀତମ ନନ୍ଦ।
ଅଧିକ ପଢ଼ନ୍ତୁ: କାନ୍ଧରେ ରୋଗୀ, ଷ୍ଟ୍ରେଚରରେ ଯାଉଛି ଗ୍ୟାସ ସିଲିଣ୍ଡର
ଏପଟେ ରୋଗିଣା ଦେହ ନେଇ ବଡ଼ ମେଡିକାଲରେ ଚକ୍କର କାଟରୁଥିବା କଟକ ବାରଙ୍ଗ ଅଞ୍ଚଳର କବିରାଜ ରାଉତ। ବର୍ଷେ ହେଲା ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ କେବଳ ମେଡିସିନ ଖାଇ ବଞ୍ଚିଥିବା କବିରାଜଙ୍କ କହିବା କଥା, ଲିଭର ଅଧାରୁ ଅଧିକ ଖରାପ ହୋଇଥିବାରୁ ଡାକ୍ତର ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଛନ୍ତି। ଏଥିପାଇଁ ବାହାରକୁ ଗଲେ ୪୦ ଲକ୍ଷ ଟଙ୍କା ଦରକାର। ତେଣୁ ଟଙ୍କା ଆସିବ କେଉଁଠୁ, ବାହାରକୁ ଯିବି କେମିତି ବୋଲି ପ୍ରଶ୍ନ କରିଛନ୍ତି କବିରାଜ।
ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା କଥା ଏସସିବିରେ ଲିଭର ପ୍ରତିରୋପଣ ପାଇଁ ମୋଟ୍ ୨୭୦ ରୋଗୀ ପଞ୍ଜୀକରଣ କରି ସାରିଲେଣି। ସେଭିତରୁ ଅର୍ଥାଭାବ ଏବଂ ଟ୍ରାନ୍ସପ୍ଲାଣ୍ଟେସନ୍ ସୁବିଧା ନପାଇ କେହି କେହି ଆଖି ବି ବୁଜିଲେଣି। ଆସନ୍ତା ଦୁଇ ମାସ ଭିତରେ ଏସସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା ଆରମ୍ଭ
ହୋଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।
ରିପୋର୍ଟ: ପ୍ରଭାତ ବିଷୋୟୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675955478.jpg)