/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749031983.jpg)
କେମିତି କମାଇବେ ଓଜନ
କିଛିଦିନ ତଳେ ଜଣେ ବନ୍ଧୁଙ୍କ ସହ କଥା ହେବା ସମୟରେ ସେ କହିଲେ କୌଣସି ଏକ ୱେବ୍ସାଇଟ୍ରୁ ଦେଖି ସେ ତାଙ୍କ ଓଜନ ହ୍ରାସ କରିବା ପାଇଁ ଉପଯୁକ୍ତ ଡାଏଟ୍ ନେବା ଆରମ୍ଭ କରିଛନ୍ତି। କିପରି କଣ ସବୁ ନେଉଛନ୍ତି ପଚାରିବା ବେଳେ ସେ କହିଲେ, ଦିନରେ ଥରେ ଭାତ ଖାଉଛନ୍ତି, ବାକି ସବୁ ସମୟରେ ଫଳ ଓ କାକୁଡ଼ି ଓ ଗାଜର ଭଳି ସାଲାଡ୍ ଖାଦ୍ୟ ନେଉଛନ୍ତି। ତେବେ ତାଙ୍କୁ ପରାମର୍ଶ ଦିଆଯାଇଛି ଯେ ମଧ୍ୟାହ୍ନ ଭୋଜନ ବେଳେ ମଧ୍ୟ ଭାତ କମ୍ ଆଣି ତା ସହ କାକୁଡ଼ି ଓ ଅନ୍ୟ ସିଝା ଖାଦ୍ୟ ଖାଇବାକୁ। ସେ ଆହୁରି ମଧ୍ୟ କହିଲେ ଏସବୁ ଖାଦ୍ୟ ଖାଇ ସେ ବହୁତ ଚିନ୍ତାଗ୍ରସ୍ତ ହୋଇସାରିଲେଣି ଯେ କୌଣସି ସୁଆଦିଆ ଚିଜ ଟିକେ ମୁହଁରେ ଦେଇହେଉନି। ମୁଁ ସେସବୁ ଶୁଣି ତାଙ୍କୁ ଯାହା କହିଲି ସେକଥା ପରେ, ତେବେ ଏକଥାରୁ ଆପଣମାନଙ୍କ ମଧ୍ୟରୁ ବି କେତେଜଣ ନିଜେ ଏହା ଅନୁଭବ କରିଥିବା ନିଶ୍ଚିତ। ନୁହେଁ କି ?
ଆମର ସାଧାରଣତଃ ଧାରଣା ଆମେ ଯେଉଁ ଖାଦ୍ୟ ଖାଉ ତାହା ଆମ ଓଜନ ବଢ଼ିବାର କାରଣ। ହେଲେ ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଖାଦ୍ୟରେ ଅନେକ କାରକ ଥାଏ ଯାହା ଓଜନ ବଢ଼ିବାକୁ ଦିଏ। ଏହି ବିଷୟରେ ଆଲୋଚନା କରିବା ପୂର୍ବରୁ ମୁଁ ପ୍ରଥମେ ଆପଣଙ୍କୁ ଆମ ଭାରତୀୟ ଖାଦ୍ୟର ପୋଷକ ତତ୍ତ୍ୱ ଉପରେ ସମ୍ୟକ୍ ଧାରଣା ଦେବି। ଭାରତୀୟ ଉପମହାଦେଶରେ ଅଞ୍ଚଳ ଭିତ୍ତିରେ ଖାଦ୍ୟର ପ୍ରାଧାନ୍ୟତା ଅଲଗା ଅଲଗା ହୋଇଥାଏ। ଉତ୍ତର ଭାରତରେ ଶୁଷ୍କ ଜଳବାୟୁ ଥିବାରୁ ସେପଟେ ମକ୍କା, ବାଜରା, ଗହମ ଆଦି ଚାଷ ହେବା ସହଜ। ଏଣୁ ସେପଟେ ଲୋକେ ଭାତ ଅପେକ୍ଷା ରୁଟି, ମକ୍କା ରୁଟି, ବାଜରା ରୁଟି ପ୍ରଭୃତି ବେଶୀ ଖାଇବାର ଦେଖାଯାଏ।
ମଧ୍ୟ ଭାରତ ତଥା ଦକ୍ଷିଣ ଭାରତରେ ଭାତର ପ୍ରାଧାନ୍ୟ ରହିଛି କାରଣ ଏହାର ଜଳବାୟୁ ଆର୍ଦ୍ର ଥିବାରୁ ଏଠାରେ ଧାନ ଚାଷ ଅନୁକୁଳ ହୋଇଥାଏ। ଏଣୁ ଦକ୍ଷିଣ ତଥା ଉପକୂଳ ରାଜ୍ୟଗୁଡ଼ିକରେ ଭାତ ପ୍ରଧାନ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ପୋଷଣ ବିଜ୍ଞାନ ଅନୁସାରେ ଗହମ ଓ ଚାଉଳର କ୍ୟାଲୋରୀ ପାଖାପାଖି ସମାନ। ତେବେ ଗହମରେ ଅପେକ୍ଷାକୃତ ଅଧିକ ଫାଇବର ଓ ପ୍ରୋଟିନ୍ ଥାଏ, କିନ୍ତୁ ଏହାକୁ ଅଟା କରିବା ପରେ ଏଥିରେ ଥିବା ପ୍ରୋଟିନ୍ ଗ୍ଲୁଟେନ୍ ଯୋଗୁଁ ଶରୀରରେ ୟୁରିକ୍ ଏସିଡ୍ ବଢ଼େ ଯାହା ପରେ କିଡନି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ। ତେଣୁ ମକ୍କା ଓ ବାଜରା ରୁଟି ଆଦିରେ ଫାଇବର୍ ଅଧିକା ଥିବା ହେତୁ ଏହା ଶ୍ୱେତସାରକୁ ସନ୍ତୁଳିତ କରିପାରେ।
ତେବେ ଭାତ ହେଉ କି ରୁଟି, ତା ସହ ଭାରତୀୟମାନେ ହରଡ଼, ମୁଗ, ଇତ୍ୟାଦି ଡାଲି, ବିଭିନ୍ନ ପରିବା ପ୍ରସ୍ତୁତ ତରକାରି, ଖଟା ଇତ୍ୟାଦି ଖିଆଯାଏ। ପାରମ୍ପାରିକ ଭାରତୀୟ ରୋଷେଇରେ ବ୍ୟବହୃତ ମସଲା ପ୍ରକୃତରେ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ। ଆଣ୍ଟିଅକ୍ସିଡାଣ୍ଚରେ ଭରପୂର ଭାରତୀୟ ମସଲା ଆମେ ଘରେ ପ୍ରସ୍ତୁତ କରି ବ୍ୟବହାର କରିବା ଉଚିତ୍। ତେବେ ମୁଖ୍ୟ କଥା ହେଉଛି ଆମେ ଆମ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରୁଥିବା ତେଲର ପରିମାଣ। ଓଡ଼ିଶା ଓ ପଶ୍ଚିମ ବଂଗରେ ପ୍ରାୟ ସୋରିଷ ତେଲ ବ୍ୟବହାର ହେବା ବେଳେ ଦକ୍ଷିଣରେ ବ୍ୟବହାର ହୁଏ ନଡ଼ିଆ ତେଲ ଏବଂ ଉତ୍ତରରେ ବାଦାମ ତେଲ। ହେଲେ ବର୍ତ୍ତମାନ ତେଲ ପ୍ରସ୍ତୁତ କରିବା ବେଳେ ରିଫାଇନ୍ ହେବା ବେଳେ ଏଥିରେ ଥିବା ଉପାଦେୟ ସ୍ନେହସାର ନଷ୍ଟ ହୋଇଯାଉଛି। ଏଣୁ ଆମେ ଚେଷ୍ଟା କରିବା ପ୍ରାକୃତିକ ଉପାୟରେ ଘଣା ତେଲ ବ୍ୟବହାର କରିବା। ମସଲାକୁ ସିଧଆସଳଖ ତେଲରେ ନ ଭାଜି ପରିବା ସହ ମିଶାଇ ପକାଇବା କିମ୍ୱା ପାଣିରେ ଗୋଳି ଦେବା। ଏମିତି ହେଲେ ମସଲାର ଆବଶକୀୟ ଗୁଣ ଅପରିବର୍ତ୍ତନୀୟ ରହିବ।
ଓଜନ କମାଇବା ପାଇଁ ଯଦି ଆପଣ ଦିନସାରା କେବଳ କାକୁଡ଼ି, ଗାଜର ଖାଇବେ ତେବେ ଫାଇବର ଆପଣଙ୍କ ଶରୀରକୁ ମିଳିବ ସତ, କିନ୍ତୁ ଧିରେ ଧିରେ ଶରୀରର ମିନେରାଲ୍ସ ପରିମାଣ ବଢ଼ିବାରେ ଲାଗିବ। ଆଜିକାଲି ଓଜନ ବଢ଼ିବାର ମୁଖ୍ୟ କାରଣ ହେଉଛି କମ୍ ଶାରୀରିକ ପରିଶ୍ରମ। ଏଣୁ ଆମେ ଖାଉଥିବା ଖାଦ୍ୟକୁ ଉପଯୋଗ କରିବା ପାଇଁ ଆମକୁ କିଛି ବ୍ୟାୟାମ ନିୟମିତ କରିବାକୁ ହେବ। ଏହାଦ୍ୱାରା କେବଳ ଦେହ ନୁହେଁ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖାଦ୍ୟ ଖାଇବା ଆଗରୁ ସାଲାଡ୍ ଖାଇବା। କାକୁଡ଼ି, ଗାଜର ଆଦି ପରିବା ଖାଦ୍ୟ ଆଗରୁ ଖାଆନ୍ତୁ ଯେପରି ଭାତ ଓ ଅନ୍ୟାନ୍ୟ ଖାଦ୍ୟ ଆପଣ କମ୍ ନେବେ। ଏହାଦ୍ୱାରା ଭୋକ ଡେରିରେ ହେବ।
ଆପଣଙ୍କ ଖାଇବା ଥାଳିରେ ସବୁଠାରୁ ଅଧିକ ପରିମାଣର ସାଲାଡ୍ ରହିବା ଆବଶ୍ୟକ, ତା ପରେ ଡାଲି ଓ ତରକାରି ଆଦି ଏବଂ ସବୁଠାରୁ କମ୍ ପରିମାଣର ଭାତ। କିନ୍ତୁ ଭାତ ବା ରୁଟି ରହିବା ଆବଶ୍ୟକ। ଯଦି ଆପଣ ଏହାକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଚାଉଳ ଜାଗାରେ ମାଣ୍ଡିଆ, ସୁଆଁ, କୋଡୋ ଆଦି ମିଲେଟ୍ ବ୍ୟବହାର କରିପାରିବେ କିମ୍ୱା ଦଲିଆ ଆଦି ଖେଚୁଡ଼ି ନେଇପାରିବେ। ଏହା ଆପଣଙ୍କ ଓଜନ ସମନ୍ତୁଳନରେ ରଖିବା ସହ ଏକ ପୂର୍ଣ୍ଣ ଆହାର ହେବ।
ଆମ ଭାରତୀୟ ଖାଦ୍ୟ ପରମ୍ପରାରେ ମିଠାର ଅନନ୍ୟ ପ୍ରଚଳନ ରହିଛି। ମିଠା ବିନା ଆମ ମନ୍ଦିର ଭୋଗରୁ ନେଇ ଘରେ ଭୋଜି ଅସମ୍ଭବ। ତେବେ ରିଫାଇନ୍ଡ ସୁଗର ବା ସାଧାରଣ ଚିନିକୁ ଆପଣ ବାଦ ଦେଇ ଗୁଡ଼ ବ୍ୟବହାର କରନ୍ତୁ। ଏହାର କ୍ୟାଲୋରୀରେ ବେଶୀ କିଛି କମ୍ ନଥିଲେ ମଧ୍ୟ ଗୁଡ଼ରେ ବିଭିନ୍ନ ମିନେରାଲ୍ସ ଥାଏ। ହେଲେ ଯଦି ଆପଣଙ୍କର ମିଠା ଖାଇବାକୁ ବହୁତ ଇଛା ହେଉଛି ତେବେ ଆପଣ ସେଓ, ଖଜୁରୀ, ତରଭୁଜ, ପିଜୁଳି ପରି ବିଭିନ୍ନ ଫଳ ଖାଆନ୍ତୁ। ଏହା ଆପଣଙ୍କ କ୍ରେଭିଂ କମାଇବ ଏବଂ ଅଧିକ କ୍ୟାଲୋରୀ ମଧ୍ୟ ବଢ଼ାଇବ ନାହିଁ। ହେଲେ ବଜାରରେ ମିଳୁଥିବା ଫ୍ୟାନ୍ସି ମିଠାରୁ ଦୂରରେ ରୁହନ୍ତୁ।
ଯଦି ଆପଣଙ୍କର କୌଣସି ମେଡିକାଲ୍ କମ୍ପ୍ଲିକେସନ୍ ବା ଶାରୀରିକ ସମସ୍ୟା ଯେପରିକି ଡାଇବେଟିସ୍, ଫ୍ୟାଟି ଲିଭର, ଥାଇରଏଡ୍ ନାହିଁ, ତେବେ ଆପଣ ଏପରି ଖାଦ୍ୟ ପ୍ରସ୍ତୁତ କରି ଅଳ୍ପ ଅଳ୍ପ କରି ପେଟ ଖାଲି ନ ରଖି ଖାଇବେ ଏବଂ ଆବଶ୍ୟକ ପରିମାଣର ଶାରୀରିକ ବ୍ୟାୟାମ କରିବେ, ତେବେ ଆପଣଙ୍କ ଓଜନ ସନ୍ତୁଳିତ ରହିବ। ହେଲେ ଯଦି ଆପଣଙ୍କର ଉପରୋକ୍ତ କିଛି ସମସ୍ୟା ଅଛି ତେବେ କୌଣସି ଡାଏଟିସିଆନ୍ ବା ପୁଷ୍ଟି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ତେବେ ଖାଦ୍ୟରେ ରିଫାଇନ୍ଡ ଚିନି, ମଇଦା, ତେଲ ତଥା ବାହାରର ଫାଷ୍ଟ ଫୁଡ୍ ଓ ଛଣା ହେଇଥିବା ଖାଦ୍ୟର ନିହାତି ଭାବେ ବାରଣ କରନ୍ତୁ। ଭାରତୀୟ ଖାଦ୍ୟର ଏକ ଉକ୍ତୃଷ୍ଟ ଉପାଦାନ ହେଉଛି ଘିଅ। କିନ୍ତୁ ଆପଣ ଦେଶୀ ଘିଅ ନିୟମିତ ଅନ୍ତରରେ ଖାଦ୍ୟରେ ନେଇପାରିବେ ଯାହା ସ୍ନେହସାରର ଏକ ଉତ୍ସ ହେଇପାରିବ। କିନ୍ତୁ ବଜାରରେ ମିଳୁଥିବା ପ୍ୟାକେଟ୍ ଘିଅ ନେବା ବାରଣ କରନ୍ତୁ।
ଭାରତୀୟ ରୋଷେଇ ପଦ୍ଧତିରେ ଅନେକ ସ୍ୱାସ୍ଥ୍ୟକର ଅଭ୍ୟାସ ଓ ପଦ୍ଧତି ରହିଛି। ସମୟାନୁସାରେ ଆମେ ସେସବୁରେ ଅନେକ ପରିବର୍ତ୍ତନ କରି ବର୍ତ୍ତମାନ ଏହାକୁ ସ୍ୱାସ୍ଥ୍ୟ ଅନୁପଯୋଗୀ ବୋଲି କହୁଛେ। କିନ୍ତୁ ଯଦି ପ୍ରାକୃତିକ ତଥା ପାରମ୍ପାରିକ ଉପାୟରେ ଆମେ ରୋଷେଇ କରିବା ତେବେ ଭାରତୀୟ ଖାଦ୍ୟ ହିଁ ଆମ ପାଇଁ ଉପଯୁକ୍ତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)