• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜରାୟୁ କର୍କଟ ବିରୋଧରେ ଲଢ଼ିବାକୁ ଆସିଲା ଅମୋଘ ଅସ୍ତ୍ର । ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ସ୍ୱଦେଶୀ ଭ୍ୟାକସିନ୍ । ଦୂର ହେଇଯିବ ଦୁରାରୋଗ୍ୟ ଜରାୟୁ କର୍କଟ । ଏଥିପାଇଁ ବାହାରିଲା ସଂଜୀବନୀ । ସେରମ୍ ଇନଷ୍ଟିଚ୍ୟୁଟ୍ ବାହାର କରିଛି ସ୍ୱଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଡୋଜ୍ ଭାରତ ସରକାରଙ୍କୁ ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବାବେଳେ ଏହାର ବଜାର ଦର ୨ଶହରୁ ୪ ଶହ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସେରମ୍ ସିଇଓ ଅଦର ପୁନାଓ୍ୱାଲା । ଏଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ବାୟୋଟେକ୍ନୋଲୋଜିର ମିଳିତ ଉଦ୍ୟମରେ ପ୍ରସ୍ତୁତ କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍‌ର ଆଜି ହୋଇଛି ଶୁଭାରମ୍ଭ । ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜୀତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଟିକାର ଶୁଭାରମ୍ଭ କରି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା କହିଛନ୍ତି- ଏଭଳି ଟିକା ଉଦ୍ଭାବନ ପାଇଁ ପ୍ରାୟ ୧୦ବର୍ଷ ରିସର୍ଚ୍ଚ କରିବାକୁ ପଡିଛି । ଟିକାର ସଫଳତା ସମ୍ପର୍କରେ ଅନୁଧ୍ୟାନ ପାଇଁ ୨ ହଜାର ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରାଯାଇଥିଲା । ଟିକା ପ୍ରଥମେ ଭାରତରେ ଉପଲବ୍ଧ ହେବ ଓ ପରେ ବିଦେଶକୁ ଯିବ ।

ପ୍ରଥମ ପର୍ଯ୍ୟାୟରେ ଭାରତ ସରକାରଙ୍କୁ ୨୦ କୋଟି ଡୋଜ୍ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକାର ଦର ଡୋଜ୍ ପିଛା ୨ ଶହରୁ ୪ ଶହ ଟଙ୍କା ପାଖାପାଖି ରହିବ । କିନ୍ତୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ । ସେପଟେ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂ କହିଛନ୍ତି ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ମହିଳା ଓ କିଶୋରୀମାନଙ୍କୁ ଜରାୟୁ କର୍କଟ କବଳରୁ ସୁରକ୍ଷା ଦେବାକୁ ମୋଦି ସରକାରଙ୍କ ଲକ୍ଷ୍ୟ ସଫଳ ହୋଇଛି । ଆୟୁଷ୍ମାନ ଭାରତ ଯୋଜନାରେ ଏହି ଟିକା ହିତାଧିକାରୀଙ୍କୁ ଉପଲବ୍ଧ ହେବ । ସ୍କୁଲ ସ୍ତରରୁ ଅର୍ଥାତ୍ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଯୋଜନା ରହିଛି ।

କର୍କଟ ରୋଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ-ଭାରତରେ କିଶୋରୀ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଶତ୍ରୁ ସାଜିଛି ଜରାୟୁ କର୍କଟ । ୧୫ରୁ ୪୪ ବର୍ଷ ବୟସ୍କାଙ୍କୁ ଏହି କର୍କଟ ଅଧିକ ଆକ୍ରମଣ କରିଥାଏ । ୯୮ ପ୍ରତିଶତ ରୋଗୀ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସୁଥିବାରୁ ଆଉ ଆରୋଗ୍ୟ ସମ୍ଭବ ହେଉନାହିଁ । ଫଳରେ ଶେଷରେ ମୃତ୍ୟୁ ଘଟୁଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି-୨୦୧୯ରୁ ଆଜି ସୁଦ୍ଧା ୪୧ ଲକ୍ଷରୁ ଅଧିକ ମହିଳାଙ୍କର ଜରାୟୁ କର୍କଟରେ ମୃତ୍ୟୁ ଘଟିଲାଣି । ଏମିତିକି ପ୍ରତି ୮ ମିନିଟ୍‌ରେ ଏହି ରୋଗରେ ଜଣେ ମହିଳାଙ୍କର ପ୍ରାଣ ଯାଉଛି ।

ସଚେତନତାର ଅଭାବ ଓ ଜରାୟୁ କର୍କଟକୁ ଏକ ସାଧାରଣ ରୋଗ ଭାବି ଅବହେଳା ପରେ ପ୍ରାଣଘାତୀ ସାଜୁଛି । ବିଦେଶରେ ଏହାର ପ୍ରତିଷେଧକ ଟିକା ମିଳୁଛି, ହେଲେ ବହୁମୂଲ୍ୟ । ଏମିତିକି ଡୋଜ୍ ପିଛା ୧୧ ହଜାରରୁ ଅଧିକ ଟଙ୍କା ପଡୁଛି । ତେଣୁ ଭାରତରେ କମ୍ ଦରରେ ଜରାୟୁ କର୍କଟ ଟିକା ଉପଲବ୍ଧ ହେଲେ ତାହା କେବଳ ମହିଳା ନୁହଁନ୍ତି କିଶୋରୀଙ୍କ ମୃତ୍ୟୁହାରକୁ ବି ବହୁ ମାତ୍ରାରେ ରୋକି ପାରିବ ।

ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ କିଶୋରୀମାନଙ୍କୁ ଜରାୟୁ କ୍ୟାନସର ସଂଜିବନୀ ଦେବାକୁ ସ୍ଥିର କରିଛନ୍ତି । ସ୍କୁଲ ସ୍ତରରେ ଟିକାକାରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଡୋଜ୍ ଟିକା ଦିଆଯିବାର ୬ ରୁ ୭ ମାସ ପରେ ଦିଆଯିବ ଦ୍ୱିତୀୟ ଡୋଜ୍ ।