ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା । ଘର ଲୋକ ବି ଆଶା ଛାଡ଼ି ଦେଇଥିଲେ । ହେଲେ ଚିକିତ୍ସା ବିଜ୍ଞାନର ଚମତ୍କାରିତାରୁ ଜଣେ ୨୪ ବର୍ଷୀୟ ରୋଗୀ ପାଇଛନ୍ତି ନୂଆ ଜୀବନ । ଆଉ ଏଭଳି ଅସମ୍ଭବ ସମ୍ଭବ ହୋଇଛି ଭୁବନେଶ୍ୱର ଏମ୍ସରେ । ୧୨୦ ମିନିଟ୍ ଧରି ହାର୍ଟବିଟ୍ ବନ୍ଦ ! ତଥାପି ବଞ୍ଚିଗଲା ଜୀବନ ।
ଚିକିତ୍ସା ବିଜ୍ଞାନର ଚମତ୍କାରିତା, ପୁନର୍ଜନ୍ମ ପାଇଲେ ଶୁଭକାନ୍ତ । ବିଶ୍ୱାସ ନହେଲେ ବି ଏ ଚମତ୍କାର ଘଟିଛି ଭୁବନେଶ୍ୱର ଏମ୍ସରେ । ନୟାଗଡ଼ ଓଡ଼ପଲା ଗାଁର ୨୪ ବର୍ଷୀୟ ଶୁଭକାନ୍ତ ସାହୁ । ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ୍ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ । ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ ।
ହେଲେ ହାର୍ଟ ବିଟ୍ କମୁଥିବାର ଦେଖି ସେଠାକାର ଡାକ୍ତର ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସକୁ ରେଫର୍ କଲେ । ଏମ୍ସ ପହଞ୍ଚୁ ପହଞ୍ଚୁ କାର୍ଡିଓଜେନିକ ସକ୍ ଯୋଗୁଁ ଶୁଭକାନ୍ତଙ୍କ ହାର୍ଟ ଫଙ୍କସନ୍ କରିବା ବନ୍ଦ କରି ସାରିଥିଲା । ରକ୍ତଚାପ ବି ବହୁତ୍ କମି ଯାଇଥିଲା । ଏମ୍ସ ଡାକ୍ତର ଔଷଧ ଦେଇ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ ବି ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା ।
Also Read
ଅଧିକ ପଢ଼ନ୍ତୁ: ଅନ୍ୟ ଜାତିରେ ପୁଅ ବାହା ହେଲା ବୋଲି .. ପ୍ରଫେସରଙ୍କୁ ଜାତିରୁ ବାସନ୍ଦ ଦଣ୍ତ !
ଏହାରି ଭିତରେ ହଠାତ୍ ହୋଇଥିଲା କର୍ଡିଆକ୍ ଆରେଷ୍ଟ । ବନ୍ଦ ହୋଇଗଲା ହାର୍ଟ ବିଟ୍ । ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ । ୪୦ ମିନିଟ୍ ପରେ ବି ହାର୍ଟ ବିଟ୍ ଫେରି ନଥିଲା । ୨୪ ବର୍ଷୀୟ ଯୁବ ଶୁଭକାନ୍ତଙ୍କୁ ମୃତ ଘୋଷଣା କରିବା ପୂର୍ବରୁ ଏହାକୁ ଏକ ଚ୍ୟାଲେଞ୍ଜ୍ ଭାବେ ନେଇ, ଏକମୋ ମେସିନ ଲଗାଇ ସିପିଆର୍ ଦେଇ ପୁଣି ହାର୍ଟ ବିଟ୍ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।
ପ୍ରାୟ ୨ ଘଣ୍ଟା ପରେ ଧିରେ ଧିରେ ଫେରିଥିଲା ହୃତ୍ ସ୍ପନ୍ଦନ । ଏକମୋ ସପୋର୍ଟ ସହ ସିପିଆର କାରଣରୁ ୩୬ ଘଣ୍ଟା ପରେ ହାର୍ଟ ବିଟ୍ ନିୟମିତ ହେବାକୁ ଲାଗିଲା । ଆଉ ୪ ଦିନ ପରେ ହାର୍ଟ ପମ୍ପିଂ କରିବା ଆରମ୍ଭ କଲା । ହେଲେ ସେତେବେଳକୁ ଶୁଭକାନ୍ତଙ୍କ ଲଙ୍ଗସ୍, କିଡନୀ, ଲିଭର ଆଦି ଅଙ୍ଗଗୁଡ଼ିକ ଖରାପ ହୋଇଯାଇଥିଲା । ତାଙ୍କୁ ସୁସ୍ଥ କରିବାକୁ ପାଖାପାଖି ଦେଢ଼ ମାସ ଲାଗିଲା । ସେ ଏବେ ସୁସ୍ଥ ଅଛନ୍ତି । ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଦିନେ ଦୁଇ ଦିନ ମଧ୍ୟରେ ହସପିଟାଲରୁ ଡିସଚାର୍ଜ କରାଯିବ ।