/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745061074.jpg)
ଖରାଦିନିଆ ପେଟ ସମସ୍ୟା
ଗ୍ରୀଷ୍ମ ଋତୁରେ ବାୟୁମଣ୍ଡଳର ବର୍ଦ୍ଧିତ ତାପମାତ୍ରା ସହ ଖାପଖୁଆଇ ଚଳିବା ପାଇଁ ଆମ ଶରୀର ପ୍ରାକୃତିକ ଉପାୟରେ ଅନେକ ପ୍ରୟାସ କରିଥାଏ। କିନ୍ତୁ ଯେତେବେଳେ ଏହା ବିଫଳ ହୁଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ, ସେଥିରୁ ପେଟ ବା ପାଚନତନ୍ତ୍ରର ସମସ୍ୟା ଅନେକ ସମୟରେ ଗୁରୁତର ହୋଇପାରେ। ତେବେ ପେଟର ଏହି ସବୁ ସାଧାରଣ ସମସ୍ୟାରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି ନିଜ ଖାଦ୍ୟ-ପାନୀୟ ଏବଂ ଜୀବନ ପ୍ରଣାଳୀ ଉପରେ ଧ୍ୟାନ ଦେବା।
ଗ୍ରୀଷ୍ମ ଋତୁର ସାଧାରଣ ପେଟ ସମସ୍ୟା:
ପତଳା ବା ତରଳ ଝାଡା:
(୧) ଗ୍ରୀଷ୍ମ ଋତୁରେ ଅନେକ ସମୟରେ ଷ୍ଟ୍ରୀଟ୍-ଫୁଡ୍, ଠେଲା, ରେଷ୍ଟୋରାଣ୍ଟ୍ ଆଦିରୁ ଖାଦ୍ୟ ଗ୍ରହଣ କରିବା ପରେ ତରଳ ଝାଡା ହୋଇଥାଏ। ଏହାର ମୁଖ୍ୟ କାରଣ ବାୟୁମଣ୍ଡଳୀୟ ତାପମାତ୍ରା ବୃଦ୍ଧି କାରଣରୁ ପ୍ରସ୍ତୁତ ଖାଦ୍ୟରେ ଜୀବାଣୁ ସ°କ୍ରମଣ ସହଜ ହୋଇଯାଏ। ଏହି ସ°କ୍ରମିତ ଖାଦ୍ୟ ଗ୍ରହଣ କରିବା ଦ୍ବାରା ପତଳା ଝାଡା ଏବଂ ଫୁଡ୍-ପଏଜନି°ର ସମସ୍ୟା ଦେଖାଯାଏ।
(୨) ଅଧିକ ଗରମ ଏବଂ ଝାଳ କାରଣରୁ ଡିହାଇଡ୍ରେସନ୍ ହୋଇ ମଣିଷ ଶରୀରରୁ ଜଳୀୟ ଅ°ଶ କରମିଯାଏ, ଏହା ଆମ ପାଚନତନ୍ତ୍ରରେ ସାଧାରଣ ଭାବରେ ରହୁଥିବା ଉପକାରୀ ଜୀବାଣୁମାନଙ୍କୁ ନଷ୍ଟ କରିଦିଏ, ଯାହା ଖାଦ୍ୟ ସ°କ୍ରମଣକୁ ସହଜ, ଆଇ ବି ଏସ୍ ଏବଂ ପୂର୍ବରୁ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ମଣିଷ ଏବଂ ସାଧାରଣ ମଣିଷରେ ମଧ୍ୟ ତରଳ ଝାଡାର କାରଣ ହୋଇଥାଏ।
(୩) ଗରମ ଏବଂ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ମଣିଷ ତରଭୁଜ, କାକୁଡ଼ି, ଜାମୁରୋଳ ଏବଂ ଅନ୍ୟାନ୍ୟ ତନ୍ତୁଯୁକ୍ତ ଫଳ, କଞ୍ଚା ପରିବା ଓ ସାଲାଡ୍ ଅଧିକ ମାତ୍ରାରେ ଗ୍ରହଣ କରନ୍ତି। ସାଧାରଣ ଭାବରେ ଏତେ ମାତ୍ରାରେ ତନ୍ତୁଯୁକ୍ତ ଖାଦ୍ୟ ସହ ପରିଚିତ ନଥିବା ଆମ ପାଚନତନ୍ତ୍ର, ଏହାକୁ ସହଜରେ ହଜମ କରିପାରେ ନାହିଁ, ଯାହା ପରୋକ୍ଷରେ ପତଳା ଝାଡାର କାରଣ ହୋଇଥାଏ।
(୪) ଆହୁରି ମଧ୍ୟ ଗରମରେ ସାମାନ୍ୟ ସହଜ ଅନୁଭବ କରିବା ପାଇଁ ପ୍ରାୟ ସମସ୍ତେ ଅଧିକ ଥଣ୍ଡା ପାନୀୟ ଏବଂ ଥଣ୍ଡା- ଶୀତଳ ଖାଦ୍ୟ ଗ୍ରହଣ କରନ୍ତି, ଯାହା ପାକସ୍ଥଳୀରେ ଅଧିକ ସ°କୋଚନ ଓ କ୍ରାମ୍ପସର କାରଣ ହୋଇ ତରଳ ଝାଡାର କାରଣ ହୁଏ।
କୋଷ୍ଠକାଠିନ୍ୟ: ପ୍ରବଳ ଝାଳ ସତ୍ତ୍ୱେ ଯଦି ଜଣେ କମ୍ ପାଣି ଗ୍ରହଣ କରେ ଏହା ଡିହାଇଡ୍ରେସନ କରି କୋଷ୍ଠକାଠିନ୍ୟ ସମସ୍ୟା ଆଣିଥାଏ। ସେହିପରି ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଚନତନ୍ତ୍ରରେ ଡାଇଜେଷ୍ଟିଭ୍ ଏନଜାଇମ ସିକ୍ରେସନରେ ବାଧା ସୃଷ୍ଟି କରେ, ଯାହା ମଳକୁ କଠିନ କରେ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ।
ଇରିଟେବଲ୍ ବାଓ୍ବେଲ୍ ସିଣ୍ଡ୍ରୋମ୍ ବା ଆଇ ବି ଏସ୍: ଆଇ ବି ଏସ୍ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଅତ୍ୟଧିକ ଗରମ ଏବଂ ପାଚନତନ୍ତ୍ରର ବିଭିନ୍ନ ଅନିୟମିତତା କାରଣରୁ ଲକ୍ଷଣଗୁଡିକରେ ବୃଦ୍ଧି ଘଟେ। ଯେମିତିକି ପେଟ ଯନ୍ତ୍ରଣା, ଅଇ ଉଠାଇ ବାନ୍ତି ହେବା, ବାରମ୍ବାର ମଳତ୍ୟାଗ, ମଳରେ ଲାଳ ପଡିବା, ଅଦଳବଦଳ କରି କୋଷ୍ଠକାଠିନ୍ୟ ଓ ପତଳା ଝାଡା ହେବା।
ପେଟ ଫମ୍ପେଇବା ଏବଂ ଏସିଡିଟି ସମସ୍ୟା: ଖାଦ୍ୟ- ପାନୀୟ ଓ ନିଦ୍ରାରେ ଅନିୟମିତତା, ପାଚନତନ୍ତ୍ରର ଉପକାରୀ ଜୀବାଣୁମାନଙ୍କୁ ନଷ୍ଟ ହେବା ଏବଂ ଡାଇଜେଷ୍ଟିଭ୍ ଏନଜାଇମ ସିକ୍ରେସନରେ ବାଧା ଆଦି କାରଣରୁ ଶରୀରର ହଜମ କରିବା ଶକ୍ତି ବାଧା ପାଏ, ଯାହା ପେଟ ଫମ୍ପେଇବା, ଅଧିକ ଅମ୍ଳ କ୍ଷରଣ ହେବା, ଖଟାଳିଆ ହେକୁଟି ଆସିବା, ପେଟ ଭାରି ଲାଗିବା ଆଦି ସମସ୍ୟା ସୃଷ୍ଟି କରିଥାଏ।
ପାଚନତନ୍ତ୍ରକୁ ସୁସ୍ଥ ରଖିବାର ସହଜ ଉପାୟ:
ସନ୍ତୁଳିତ ଏବଂ ହାଲୁକା ଖାଦ୍ୟ ଖାଆନ୍ତୁ। ଆମିଷ, ଅଧିକ ମସଲା ଯୁକ୍ତ ବା ଗରିଷ୍ଠ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଆମ ଜଳବାୟୁ ଅନୁସାରେ ପଖାଳ ଭାତ ଓ ତୋରାଣି ଶରୀରରେ ଜରୁରୀ ଲବଣର ମାତ୍ରା ଠିକ୍ ରଖିବା ସହ ଡିହାଇଡ୍ରେସନରୁ ସୁରକ୍ଷା ଦିଏ।
ଏକାଥରେ ବହୁତ ମାତ୍ରାର ବା ପେଟପୁରା ଖାଦ୍ୟ ଗ୍ରହଣ ନକରି, ଅଳ୍ପ ଅଳ୍ପ ବା ଭାଗ କରି, ବ୍ୟବଧାନ ଦେଇ ଖାଆନ୍ତୁ।
ଘରେ ପ୍ରସ୍ତୁତ ତଟକା ଏବଂ ତାଜା ଖାଦ୍ୟ ଖାଆନ୍ତୁ। ଷ୍ଟ୍ରିଟ୍-ଫୁଡ୍ ଏବଂ ବାହାରେ କିମ୍ବା ମେଳା ଆଦିରେ ବିକ୍ରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ।
ବସା ଦହି, ଘୋଳ ଦହି, ତୋରାଣି, କାଞ୍ଜି, ଭୁଷି, ଚିଆସିଡ୍ସ ପରି ପ୍ରୋବାୟୋଟିକ୍ସ ଖାଦ୍ୟ ଖାଆନ୍ତୁ। ଏହା ପାଚନତନ୍ତ୍ରର ଉପକାରୀ ଜୀବାଣୁମାନଙ୍କ ସ°ଖ୍ୟା ସନ୍ତୁଳିତ ରଖେ, ହଜମରେ ସାହାଯ୍ୟ କରେ। (ସବିଶେଷ ବିବରଣୀ ପୂର୍ବପ୍ରକାଶିତ “ପ୍ରିବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ କ’ଣ?” ସ୍ବାସ୍ଥ୍ୟ ଲେଖାରୁ ପାଇଯିବେ)
ଫଳ ଏବଂ ପନିପରିବାକୁ ଭଲରେ ଧୋଇ ନିଅନ୍ତୁ
ଅଧିକରୁ ଅଧିକ ପାଣି ଗ୍ରହଣ କରନ୍ତୁ। ବାହାରକୁ ବୁଲିଯିବା ସମୟରେ ମଧ୍ୟ ଘରୁ ସଫା ପାଣି ସାଙ୍ଗରେ ନିଅନ୍ତୁ। ନିଜ ଶାରୀରିକ ପରିଶ୍ରମ ଏବଂ ଝାଳର ମାତ୍ରା ଅନୁସାରେ ପାଣିର ମାତ୍ରା ବଢାନ୍ତୁ।
ଜୀରା, ପାନମଧୁରୀ, ପୁଦିନା, ଲେମ୍ବୁ ପାଣି ଏବଂ ପଇଡ ପାଣି ଶରୀର ଏବଂ ପେଟ ପାଇଁ କୁଲାଣ୍ଟ୍ ପରି କାମ କରେ ବା ପେଟକୁ ଥଣ୍ଡା ରଖେ।
ଦିନରେ ଥରେ ଦୁଇଥର ହିଁ ତରଭୁଜ, ଜାମୁରୋଳ, ଫୁଟି କାକୁଡି ପରି ଋତୁଗତ ଫଳକୁ ଖାଦ୍ୟରେ ସାମିଲ କରନ୍ତୁ।
ପେଟ ଫମ୍ପେଇବା ଏବଂ ଆଇ ବି ଏସ୍ ପରି ସମସ୍ୟା ଅଧିକ ହେଉଥିଲେ ରୁଟି କିମ୍ବା ଗହମଜାତ ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
ଶରୀରର ତାପମାତ୍ରା ବଢିଲେ ବା ଜ୍ବର ଆସିଲେ (high grade fever)
ବାରମ୍ବାର ବାନ୍ତି ହେଲେ
ପତଳା ବା ତରଳ ଝାଡା ଲାଗି ରହିଲେ
ମଳରେ ରକ୍ତ ପଡିଲେ
ପେଟ ଫମ୍ପେଇବା ଏବଂ ଆଇ ବି ଏସ୍ ପରି ସମସ୍ୟା ଅଧିକ ହେଉଥିଲେ
ମଧୁମେହ, ଉଚ୍ଚରକ୍ତଚାପ, ଶ୍ବାସ ସମସ୍ୟା ଥିଲେ ଉପୋରକ୍ତ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)