• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ( ପାର୍ଥସାରଥୀ ନାୟକ) : ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର କାଟିଦେଲେ ଖାଦ୍ୟନଳୀ ? ଏପରି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅସ୍ତ୍ରୋପଚାର ଖାଦ୍ୟ ଖାଇବା ବେଳେ ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତା’ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଉ ତା’ ପରେ ପୁଣି କଟକ ବଡ ମେଡିକାଲ ନିଆଗଲା । ସେଠାରେ ପୁଣି ଅପରେସନ ହେଲା । କାରଣ ଖୋଜିବା ବେଳେକୁ ଜଣାପଡିଲାରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାର ବେଳେ ଗର୍ଭନାଡି ସହ ଖାଦ୍ୟନଳୀ କଟିଯାଇଛି । ତେବେ ମହିଳା ଜଣକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । କିନ୍ତୁ ସେପଟେ ଡାକ୍ତର କହୁଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଅଭିଯୋଗ ସତ କି ମିଛ ସେ କଥା ଅପରେସନ କରିଥିବା ଡାକ୍ତର କହିବେ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ । ତେବେ ଘରକୁ ଫେରିବା ପରେ ଖାଦ୍ୟ ଖାଇଲେ କ୍ଷତିପ୍ରଭା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ କିଛି ଜଣାପଡ଼ିଲା ନାହିଁ । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଦେଖି ଭଦ୍ରକ ଡାକ୍ତରଖାନାରୁ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରଯାଇଥିଲା ।

ସେଠାରେ ଖାଦ୍ୟନଳୀରେ କଣା ହୋଇଥିବା ନେଇ ଜଣା ପଡିବା ପରେ ପୁଣି ଅପରେସନ କରଯାଇଥିଲା । କଟକ ଡାକ୍ତରଖାନାରେ ୧୦ ଦିନ ପରେ ତାଙ୍କୁ ଘରକୁ ପଠାଯାଇଥିଲା । କିନ୍ତୁ ଘରକୁ ଆସିବା ପରେ ମଧ୍ୟ ସମାନ ଅବସ୍ଥା । ସେଥିପାଇଁ କ୍ଷତିପ୍ରଭାଙ୍କୁ ୨୯ ତାରିଖରେ ପୁଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କୁ ଡାକ୍ତର ଘରକୁ ପଠାଇଥିଲେ ମଧ୍ୟ ରୋଗ ଉପଶମ ହୋଇ ନାହିଁ, ଫଳରେ ସେ ଘର ବିଛଣାରେ ପଡି ଛଟପଟ ହେଉଛନ୍ତି । କଷ୍ଟ ହେଉଥିଲେ ମଧ୍ୟ ନିରୁପାୟ ।

ଏପରି ସ୍ଥିତିରେ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବା ପାଇଁ ସରପଞ୍ଚ କହିଛନ୍ତି । କିନ୍ତୁ ଅପରେସନ ଜନିତ କ୍ଷତି ପାଇଁ କୌଣସି ଯୋଜନା ନଥିବାରୁ ତାଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନାରେ ସାମିଲ କରିବା ନେଇ ଦାବି କରାଯାଇଛି । ସେପଟେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି, ଖାଦ୍ୟନଳୀ କଟିବା ନେଇ ଅଭିଯୋଗ ନେଇ ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର ସ୍ପଷ୍ଟ କରିପାରିବେ । ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ଛଟପଟ ହେଉଥିବା ମହିଳାଙ୍କୁ ଭୁଲ ରହିଲା କେଉଁଠି ? ବିଶ୍ୱାସ କରି ଅସ୍ତ୍ରୋପଚାର କରାଇଥିଲେ । ଆଉ ଏବେ ଏପରି ଅବସ୍ଥା ।

ତେବେ କ୍ଷତିପ୍ରଭାଙ୍କ ଏମିତି ଅବସ୍ଥା ପାଇଁ ଦୋଷ କେହି ମୁଣ୍ଡକୁ ନେବାକୁ ପ୍ରସ୍ତୁତ ନାହାଁନ୍ତି । କିନ୍ତୁ ଅଭିଯୋଗ ଯଦି ସତ ହୁଏ ତେବେ କଥା ନିଶ୍ଚିତ ସାଂଘାତିକ ହେବ । ଏବେ ଏମିତି ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ ସହ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଏହିଭଳି ଘଟଣା ଜଣଙ୍କର ନୁହେଁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଅନ୍ୟ ଜଣେ ଦୁଇ ଜଣଙ୍କର ମଧ୍ୟ ସମାନ ଅଭିଯୋଗ ରହିଛି । ତଥାପି ବିଭାଗୀୟ ଅଧିକାରୀ କୋହଳ ମନୋଭାବ ପୋଷଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।