• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘାରିଲାଣି ଡିଜିଜ୍-ଏକ୍ସ ଭୟ ! ଆସୁଛି କି କୋଭିଡ୍ ଭଳି ଆଉ ଏକ ଅଜଣା ମହାମାରୀ ? ନିକଟ ଅତୀତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHO ଏନେଇ ସତର୍କ କରାଇବା ପରେ ସଭିଏଁ ଚିନ୍ତିତ ।ଏମିତିକି WHO ଚେତେଇଥିବା ଡିଜିଜ୍-X କେଉଁ ରୂପରେ ଆସିବ ? କେଉଁଠୁ ଆସିବ ? ତାହା ବି ଅଜଣା । ହୁଏତ, ଏହା ପଶୁ ଶରୀରରୁ ମଣିଷ କିମ୍ବା ମଣିଷ ଶରୀରରୁ ପଶୁଙ୍କୁ ବ୍ୟାପିବାର ଆଶଙ୍କା ରହିଛି ।

ଏଣୁ ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି । ତେଣୁ ଭବିଷ୍ୟତରେ ଆମ ଦେଶରେ ଏଭଳି ରୋଗର ମୁକାବିଲା ପାଇଁ WHO, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ- NCDC, ଆମେରିକାର ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ- CDC ସହଯୋଗରେ ଓଡ଼ିଶା ସମେତ କିଛି ରାଜ୍ୟରେ ପାଇଲଟ୍ ପ୍ରକଳ୍ପ ଆଧାରରେ ଆରମ୍ଭ ହୋଇଛି ୱାନ୍ ହେଲ୍ଥ କାର୍ଯ୍ୟକ୍ରମ ।ଏହା ଅଧୀନରେ ସ୍ୱାସ୍ଥ୍ୟ, ପଶୁସମ୍ପଦ, ବନ୍ୟପ୍ରାଣୀ ଓ କୃଷି ବିଭାଗର ମିଳିତ ପ୍ରଚେଷ୍ଟାରେ ସମ୍ଭାବ୍ୟ ରୋଗ ମୁକାବିଲା ପାଇଁ ତିଆରି ହେଉଛି ରଣନୀତି ।

ଓଡ଼ିଶାରେ ଡିଜିଜ୍-ଏକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ବି ଆପଣେଇଛନ୍ତି ନୂଆ ରଣନୀତି ।ଜୁନୋଟିକ୍ ଡିଜିଜ୍ ଚିହ୍ନଟ ସହ ଏହାର ମୁକାବିଲା ପାଇଁ ପଶୁସମ୍ପଦ, ବନ୍ୟପ୍ରାଣୀ ଓ କୃଷି ବିଭାଗ ସହଯୋଗରେ ସ୍ୱାସ୍ଥ୍ୟ ବିଭାଗ ତିଆରି କରୁଛି ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେବଳ ଜୁନୋଟିକ୍ ଡିଜିଜ୍ ମୁକାବିଲା ପାଇଁ ରାଜ୍ୟର ୭ଟି ସ୍ଥାନରେ ଖୋଲାଯିବ ସ୍ୱତନ୍ତ୍ର ଲ୍ୟାବ୍ ।କୋରାପୁଟ, ବଲାଙ୍ଗୀର ଓ ବାରିପଦା ମେଡିକାଲ କଲେଜ ସମେତ ରାଜ୍ୟର ଆଉ ୪ଟି ସେଣ୍ଟିନେଲ ସାଇଟରେ ଖୋଲିବ ଏହି ଲ୍ୟାବ୍ ।

ଯେଉଁଠି ଜୁନୋଟିକ୍ ଡିଜିଜ୍ ପାଇଁ ପରୀକ୍ଷାନିରୀକ୍ଷା ଓ ଜିନମ୍ ସିକ୍ୱେନ୍ସିଂ କରାଯିବ ।ୱାନ ହେଲ୍ଥ କାର୍ଯ୍ୟକ୍ରମ ଅଧୀନରେ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଛି ଦୁଇ ଦିନିଆ ମାନସ ମନ୍ଥନ କାର୍ଯ୍ୟକ୍ରମ ।

କୋଭିଡ୍ ମହାମାରୀ ବେଳେ କୌଣସି ପୂର୍ବ ପ୍ରସ୍ତୁତି ନଥିବାରୁ ଅନେକ ଜୀବନହାନୀ ସହ ଅର୍ଥନୀତି ସହିଥିଲା ବଡ଼ ଧରଣର କ୍ଷତି ।ଏବେ ୱାନ୍ ହେଲ୍ଥ କାର୍ଯ୍ୟକ୍ରମ ଡିଜିଜ୍-ଏକ୍ସକୁ ରୋକିବାରେ କେତେ ସମର୍ଥ ହେବ, ତାହା ସମୟ କହିବ ।

  • Reported by:
  • KAPILENDRA PRADHAN