• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ହେବ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଆଣ୍ଟି ବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୁନା ପଠାଯାଇଥିବା ବେଳେ ଜିନମ୍ ସିକ୍ୱେସିଂ ପାଇଁ ILS କିମ୍ବା ICMR କୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ସେ କହିଛନ୍ତି, ଏବେ ରାଜ୍ୟରେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି । ନୂଆ କେସ ଆସିନି, ସେହି ୨୧ ଜଣ ଏବେ ଯାଏଁ ସଂକ୍ରମିତ ହୋଇଛନ୍ତି । ରାୟଗଡା ହସ୍ପିଟାଲରେ କେହି ରୋଗୀ ନାହାନ୍ତି । ସମସ୍ତେ ଡିସଚାର୍ଜ ହେଲେଣି । ଭବାନୀପାଟଣାରେ ଯେଉଁ ପାଞ୍ଚ ରୋଗୀ ଚିହ୍ନଟ ହୋଇଛନ୍ତି, ୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ କାଶୀପୁର ଯାଇଛନ୍ତି ।

ଡାକ୍ତରଖାନାରେ ଭର୍ତ୍ତି ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡିପଥେରିଆ ରୋଗୀ । ବାକି ୨ ଜଣ ଥଣ୍ଡା ଜ୍ୱରରେ ପୀଡ଼ିତ । ସଂକ୍ରମିତ ଜିଲ୍ଲାର ଆଖପାଖ ଜିଲ୍ଲାରେ ମଧ୍ୟ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ବନ୍ଧୁଗାଁର ରୋଗୀ MKCG ମେଡିକାଲରେ ଭେଣ୍ଟିଲେଟରରେ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଟୀକାକରଣ ଯୋଗୁ ୨୦ ବର୍ଷ ହେଲା ରାଜ୍ୟରୁ ଗାୟବ ହୋଇଯାଇଥିଲା ଡିପଥେରିଆ । ପ୍ରଶ୍ନ ଉଠୁଛି, ଏବେ କାହିଁକି ପୁଣି ଏହା ସଂକ୍ରାମକ ହେଉଛି ? ଶିଶୁ ନେଉଥିବା ଟୀକାର ପ୍ରଭାବ ହ୍ରାସ ହେଉଛି ନା ଅନ୍ୟ କିଛି କାରଣ ରହିଛି ? ୩ ସଂକ୍ରମିତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଏପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଡିପ୍ଥେରିଆ ସଂକ୍ରମଣରେ ତତ୍କାଳ ବ୍ରେକ୍ ଲଗାଇବାକୁ ଆଜିଠୁ କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ଏମିତିକି ଆଗକୁ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମଧ୍ୟ ଏନେଇ ସର୍ଭେ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now