• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଇଜା କବଜାରେ ରାୟଗଡ଼ା କାଶୀପୁର । RMRCର ରିପୋର୍ଟରେ ବିପଦଜନକ ଭିବ୍ରିଓ କଲେରା ବୀଜାଣୁ ଧରାପଡ଼ିବା ପରେ ମୁକାବିଲା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି ପ୍ରଶାସନ । କାଶୀପୁର ଝାଡ଼ାବାନ୍ତିରେ ଆକ୍ରାନ୍ତ ସଂଖ୍ୟା ୧୦୪ରେ ପହଞ୍ଚିଛି । ଗତକାଲି ସୁଦ୍ଧା ବିଭିନ୍ନ ମେଡିକାଲରେ ୫୪ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।

ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡକୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । କେବଳ ସେତିକି ନୁହେଁ, ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ କରିଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ପାଇଁ କଲେରା ପ୍ରୋଟୋକଲ୍ ଅନୁସାରେ, ଜାରି ରହିଛି ପ୍ରତିକାର ବ୍ୟବସ୍ଥା ।

ସେପଟେ ହଇଜା ପ୍ରଭାବିତ କାଶୀପୁର ବ୍ଲକର ଟିକିରି ଅଞ୍ଚଳ ପରିଦର୍ଶନ କରିଛି ରାଜ୍ୟ କଂଗ୍ରେସର ଏକ ଟିମ୍ । ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସଭାପତି ଭୂଜବଳ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛି । ତାସହ ଡାକ୍ତରୀ ଦଳ ସହ ଏହି ଟିମ୍ ଆଲୋଚନା କରିଛି । ସେଠାରୁ ଫେରିବା ପରେ ରାଜ୍ୟ କଂଗ୍ରେସକୁ ଏହି ଟିମ୍ ଏକ ରିପୋର୍ଟ ଦେବ ।

ଟିମରେ ଥିଲେ ପୂର୍ବତନ ସାଂସଦ ନକୁଳ ନାୟକ, କଂଗ୍ରେସ ନେତା ଚିନ୍ମୟ ବେଉରିଆ, ବିନୋଦ ପାତ୍ର ଏବଂ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସଭାପତି ଭୂଜବଳ ମାଝୀ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।