• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାୟଗଡ଼ା ଜିଲ୍ଲା କାଶୀପୁରକୁ ପୁଣି ଡାଇରିଆ ଡର । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ଦୁଇ ଦିନରେ କାଶୀପୁର ବ୍ଲକ୍ର ଟିକିିରି ଓ ଧୁଡୁକାବାହଲ ଗାଁରେ ୫ ଜଣଙ୍କର ମୃତ୍ୟୁ ହେବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ଗଲା ୪-୫ ଦିନ ଧରି ଆରମ୍ଭ ହୋଇଥିବା ଝାଡ଼ାବାନ୍ତିରେ ଏବେ ସୁଦ୍ଧା ୪ଟି ପଞ୍ଚାୟତକୁ ବ୍ୟାପିଯିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆକ୍ରାନ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ।

ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ । ଉଦ୍‌ବେଗର କଥା ହେଉଛି ଲୋକଙ୍କ କହିବା ଅନୁସାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର କେଇ ଘଣ୍ଟା ଭିତରେ ସେହି ସାହିର ଉଲୁଡ଼ି ଝଡ଼ିଆ, ଅଞ୍ଜା ଝଡ଼ିଆ ଓ ସରସ୍ୱତୀ ଝଡ଼ିଆଙ୍କ ଜୀବନ ଯାଇଛି ।

ଟିକିରି ହସ୍ପିଟାଲ୍ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଘରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତକାଲି ସେହି ଟିକିରି କାରାକୁପୁଲି ସାହିର ଧବାଝୁଡ଼ିଆ ଏବଂ ପାଖ ଧୁଡୁକାବାହାଲ ପଞ୍ଚାୟତର ସବିତା ନାୟକଙ୍କର ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ ୪-୫ ଦିନ ଧରି ବ୍ୟାପିଥିବା ଝାଡ଼ାବାନ୍ତିରେ ସେହି ଦୁଇ ପଞ୍ଚାୟତ ସହ ୪ଟି ପଞ୍ଚାୟତର ପ୍ରାୟ ୧୭ରୁ ଅଧିକ ଆକ୍ରାନ୍ତ ହୋଇ ଏବେ କାଶୀପୁର ଓ ଟିକିରି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏହା ବାଦ୍ ଗାଁ ଗାଁରେ ମଧ୍ୟ ଆହୁରି ଅନେକ ଲୋକ ଆକ୍ରାନ୍ତ ହୋଇଥିବାରୁ ଭୟ ଖେଳିଯାଇଛି ।

 

ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ଆଜି ସ୍ୱାସ୍ଥ୍ୟ ବିଭାଗର ୧୧ ଜଣିଆ ଟିମ୍ ଟିକିରି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଟିନ୍‌ର ସଦସ୍ୟମାନେ ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା କରି ପାଖ ମେଡିକାଲ୍‌କୁ ପଠାଇବା ସହ ଗାଁର ଜଳାଶୟ, ପିଇବା ପାଣି ଉତ୍ସ ଆଦିକୁ ବିଶୋଧିତ କରିଛନ୍ତି । ତେବେ କେଉଁ କାରଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି, ମୃତ୍ୟୁର କାରଣ ଜାଣିବା ଲାଗି ଆକ୍ରାନ୍ତଙ୍କ ରକ୍ତ ନମୁନା ଓ ପିଇବା ପାଣିକୁ ସଂଗ୍ରହ କରାଯାଇଛି । ଏସବୁ ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ା ସିଡିଏମ୍ଓ ଲାଲମୋହନ ରାଉତରାୟ ।

ବର୍ଷା ଦିନ ଆସିଲେ ଆଦିବାସୀ ଅଧ୍ୟୁଷିତ କାଶୀପୁରରୁ ଝାଡ଼ାବାନ୍ତିରେ ମୃତ୍ୟୁ ଖବର ନୂଆ ନୁହେଁ । ପୂର୍ବରୁ ୨୦୦୭ ମସିହାରେ ଡାଇରିଆରେ ଆକ୍ରାନ୍ତ ହୋଇ ଏକ ବ୍ଲକ୍ର ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଖବର ସେତେବେଳେ ହଇଚଇ ସୃଷ୍ଟି କରିଥିଲା । ୨୦୧୭ ମସିହାରେ ମଧ୍ୟ ଅନୁରୂପ ଭାବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ଜଣଙ୍କ ଜୀବନ ଯାଇଥିଲା । ଆଉ ଏବେ ସେଇ ବର୍ଷା ଦିନେ ପୁଣି ଝାଡ଼ାବାନ୍ତିରେ ଦୁଇ ଦିନରେ ୫ ଜଣଙ୍କ ମୃତ୍ୟୁ ଖବର ଉଦ୍‌ବେଗ ସୃଷ୍ଟି କରିଛି ।

ରିପୋର୍ଟର- ମାଉଡ଼ି ବାରିକ