• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି ରାଉରକେଲା ଓ ଭୁବନେଶ୍ୱର ସହର । ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠୁ କମ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଗତ କାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଏଯାଏଁ ଚିହ୍ନଟ ହୋଇଛନ୍ତି । ଏହା ସହ କଟକ, ବଲାଙ୍ଗିର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ୍ ଡ୍ରାଇଭ୍ ମୋଡ଼ରେ ଅଛନ୍ତି ସରକାର । ଟେଷ୍ଟିଂକୁ ମଧ୍ୟ ବଢାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି । ସେପଟେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ନେଇ ବିଏମସିର ପାରିଲା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଉଠିଛି । ଏକାମ୍ର ବିଧାୟକ ଏଥିପାଇଁ ବିଏମସି ଉପରେ କାର୍ଯାୟନୁଷ୍ଠାନ ଦାବି କରିଥିଲା ବେଳେ ମେୟର କିନ୍ତୁ କହିଛନ୍ତି, ଗତବର୍ଷଠୁ ସ୍ଥିତି ଏଥର ନିୟନ୍ତ୍ରଣରେ ରହିଛି ।

ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳର ଲୁମ୍ବିନିବିହାର ରହିଛି ଜୁଏଲଙ୍କ ଘର । ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଯେଉଁ ନୀଳାଦ୍ରିବିହାର ଗତବର୍ଷ ଥିଲା ଡେଙ୍ଗୁ ହଟ୍‌ସ୍ପଟ୍‌ । ରାଜଧାନୀର ଡେଙ୍ଗୁ ସ୍ଥିତି ପାଇଁ ବିଏମ୍‌ସିକୁ ଦାୟୀ କରି ଅବହେଳା ପାଇଁ ସରକାରୀ ସ୍ତରରେ ବିଏମ୍‌ସି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ ଏକାମ୍ର ବିଧାୟକ ବାବୁ ସିଂ । ତେବେ ମେୟରଙ୍କ କହିବା କଥା ଗତବର୍ଷଠୁ ରାଜଧାନୀରେ ଏଥର ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଅଛି । ତଥାପି ଆମେ ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ପଦକ୍ଷେପ ନେଉଛୁ ।

ଏପଟେ ଗତବର୍ଷ ପରି ଏଥର ବି ରାଜ୍ୟର ସବୁ ଜିଲ୍ଲାକୁ ମାଡ଼ି ଗଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗଲାବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧାରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ ଥିବା ବେଳେ ଏଥର ବି ସଂଖ୍ୟା ୧୯ ଶହ ୨୨ ରହିଛି । ସବୁଠୁ ବଡ଼ କଥା ହେଉଛି ଗତବର୍ଷ ଭଳି ଏଥର ବି ସର୍ବାଧିକ ଡେଙ୍ଗୁ ରୋଗୀ ରାଜଧାନୀ ସହର ଆସୁଥିବା ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now