• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚଳିତ ବର୍ଷ ୧୦୦ରୁ ଅଧିକ ରୋଗୀ ଚିହ୍ନଟ

  • ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି

ନୂଆଦିଲ୍ଲୀ : କୋଭିଡ୍ ଭୟ ଦୂର ନହେଉଣୁ, ଭୟ ସୃଷ୍ଟି କରୁଛି ଡେଙ୍ଗୁ ଜ୍ୱର । ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ ରାଜଧାନୀବାସୀ ।  ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଦିଲ୍ଲୀରେ ଅତି କମରେ ୧୨୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଦିଲ୍ଲୀରେ କେବଳ ୯୬ ଡେଙ୍ଗୁ ମାମଲା ଦେଖିବାକୁ ମିଳିଥିଲା । ଏହାସହ ମ୍ୟାଲେରିଆର ୫୭ ଟି ମାମଲା ଏବଂ ଚିକନଗୁନିଆର ୩୭ ଟି ମାମଲା ସାମ୍ନାକୁ ଆସିଥିଲା ।

ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ଆକଳନ ଅନୁସାରେ ଏବେ ସୁଦ୍ଧା ପ୍ରାୟ ୫୫ ପ୍ରତିଶତ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ଲୋକଙ୍କ ମଧ୍ୟରେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାମ୍ପଲେଟ୍ ବଣ୍ଟାଯାଇଛି । ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଫୋକସ କରି ସଫେଇ ଓ ମଶାମରା ଅଭିଯାନକୁ ଜୋରଦାର କରାଯାଇଛି। ବହୁ ବର୍ଷର ଧାରା ଅନୁଯାୟୀ ଦିଲ୍ଲୀରେ ବର୍ଷା ଋତୁ ପରେ ଡେଙ୍ଗୁ ରୋଗ ବୃଦ୍ଧି ପାଇଥାଏ । ନାଳ-ନର୍ଦ୍ଦମା ସଫା, ଘାସ, ଲଟା ଓ ବୁଦା କଟେଇ ସାଙ୍ଗକୁ ରାସ୍ତାଘାଟ ଠିକରେ ପରିଷ୍କାର ହେଉନଥିବାରୁ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ଅଭିଯୋଗ ହେଉଛି ।

ସୂଚନା ଅନୁସାରେ ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ଆରମ୍ଭରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏହା ପରେ ପରବର୍ତ୍ତୀ ଏକ ମାସରେ ଡେଙ୍ଗୁ ରୋଗର ବୃଦ୍ଧି ରେକର୍ଡ କରାଯାଇଥିଲା । ଜାନୁଆରୀରେ ଜଣେ ହେଲେ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଫେବୃଆରୀରେ ଦୁଇଟି, ମାର୍ଚ୍ଚରେ ପାଞ୍ଚଟି, ଏପ୍ରିଲରେ ୧୦ଟି, ମେ ମାସରେ ୧୨ଟି , ଜୁନରେ ୭ଟି ଏବଂ ଜୁଲାଇରେ ୧୬ଟି ମାମଲା ମିଳିଥିଲା ।

ସହରରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି । ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି ।