• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଡୁଛି ହଇଜା, ବଢୁଛି ଭୟ । କଲେରାର ଭୟାବହତାରେ ଥରୁଛି କାଶୀପୁର । ଜଣଙ୍କ ପରେ ଜଣେ ଭର୍ତ୍ତି ହେଉଛନ୍ତି ମେଡ଼ିକାଲ୍‌ରେ । କିଏ ଝାଡ଼ାବାନ୍ତିର ଶିକାର ତ ଆଉ କାହାକୁ ଜ୍ୱର ବି ହେଉଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିରି, ଡୁଡୁକାବାହାଲ, ମାଇକଞ୍ଚ, କୋଡ଼ିପରି, ଶଙ୍କରଡ଼ା ଡଙ୍ଗାସିଲ, ତାଲଝିରି ପଞ୍ଚାୟତବାସୀ ସଂକ୍ରମିତ ହେଉଛନ୍ତି ଝାଡ଼ାବାନ୍ତିରେ । ଇତିମଧ୍ୟରେ ମେଡ଼ିକାଲ୍‌ରେ ଭର୍ତ୍ତି ହେଲେଣି ଶହେରୁ ଅଧିକ ରୋଗୀ । ଆଉ ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ହଇଜା ବିରୋଧୀ ଅଭିଯାନ ।

ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡ୍‌କୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । କେବଳ ସେତିକି ନୁହେଁ, ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ ।

କାଶୀପୁର ବ୍ଲକରେ ହଇଜା ନୂଆ ନୁହେଁ । ଗତ ୧୫ ବର୍ଷ ତଳ ତଥା ୨୦୦୭ର କଥା ଥରେ ମନେ ପକାନ୍ତୁ । ଏହି ବର୍ଷ ପ୍ରତି ଘରେ ଘରେ ବ୍ୟାପିଥିଲା ମାରାତ୍ମକ ହଇଜା । ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ବି ହୋଇଥିଲା । କେବଳ ୨୦୦୭ ନୁହଁ, ୨୦୧୦ ଏବଂ ୨୦୧୨ରେ ବି କଲବଲ କରିଥିଲା କଲେରୋ । ଆଉ ସେହି କଲେରା ଏବେ ପୁଣି ମୁଣ୍ଡ ଟେକି ମାଡ଼ିଚାଲିଛି କାଶୀପୁରର ଏ ଗାଁରୁ ସେ ଗାଁକୁ । ୧୪ଟି ରେକ୍‌ଟାଲ୍ ସ୍ୱାବ୍ ତଥା ମଳ ନମୂନାରୁ ୭ଟିରେ ଏବଂ ୭ରୁ ୮ଟି ଜଳ ଉତ୍ସର ନମୂନାରୁ ୩ଟିରେ ଭିବ୍ରିଓ କଲେରାରେ ପାଇଛି RMRC । ଅର୍ଥାତ ସଂଗୃହିତ ନମୂନାର ପ୍ରାୟ ୫୦ ପ୍ରତିଶତରେ ମିଳିଛି କଲେରା । ଗତ ୫ ଦିନ ଧରି ଝାଡ଼ାବାନ୍ତିର କାରଣ ଖୋଜିବା ପରେ ଗତକାଲି ହଇଜା ମିଳିବା ନେଇ ସ୍ପଷ୍ଟ କରିଥିଲେ ଜିଲ୍ଲାପାଳ । ଏପଟେ ଆଜି ସ୍ଥିତି ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏପଟେ କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଟାଗେର୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଝାଡ଼ାବାନ୍ତି ବୋଲି କହୁଛନ୍ତି, ହେଲେ ଜିଲ୍ଲାପାଳ କହୁଛନ୍ତି କଲେରା । କାଶୀପୁରରେ କଣ ହୋଇଛି ସେନେଇ ସ୍ପଷ୍ଟତା ଆଣନ୍ତୁ ବୋଲି ନରସିଂହ ଗୃହରେ ଦାବି କରିଛନ୍ତି । କାଶୀପୁରରେ ଆମ୍ବ ଟାକୁଆ, ବିଷାକ୍ତ ପାଣି, ମଦ ପିଇ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି କଥା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନରସିଂହ । ରାୟଗଡ଼ା ବିଧାୟକ ବି ରାଜ୍ୟ ସରକାରଙ୍କ ପଦକ୍ଷେପ ଲୋଡ଼ିଛନ୍ତି ।

 

ତେବେ କଲେରା କେବଳ କାଶୀପୁରରେ ସୀମିତ ନା ସୀମାନ୍ତ ଜିଲ୍ଲାକୁ ବି ବ୍ୟାପିଛି, ସେନେଇ ନାନା ଆଶଙ୍କା ଭିତରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବ୍ୟାପୁଥିବା ଝାଡ଼ାବାନ୍ତିକୁ ନେଇ ଆତଙ୍କ ଦେଖାଦେଇଛି । ବିଶେଷ କରି ତୁମ୍ବାଗୁଡ଼ା ପଞ୍ଚାୟତରେ ଏଭଳି ସ୍ଥିତି ଲାଗିରହିଛି । ଜଣଙ୍କର ମୃତ୍ୟୁ ବି ହୋଇଥିବା କୁହାଯାଉଛି । ଏହାପରେ ପରେ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।