ମଣିଷ ମାତ୍ରକେ ରୋଗ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୋଗରେ ଘାଣ୍ଟି ହୁଏ ମଣିଷ । କେବଳ ଯେ ଶାରିରୀକ ରୋଗ ତାହା ନୁହେଁ, ମାନସିକ ରୋଗରେ ମଧ୍ୟ ମଣିଷ ପୀଡିତ ହୁଏ । ଶାରିରୀକ ରୋଗ ତ ଔଷଧ ଖାଇଲେ କିମ୍ବା ସହଜରେ ଚିକିତ୍ସା କଲେ ଭଲ ହୋଇଯାଏ । ହେଲେ, ମାନସିକ ବ୍ୟାଧି ଭାରୀ ଜଟିଳ । ଏହି ମାନସିକ ରୋଗ ଅନେକ ପ୍ରକାର ହୋଇଥାଏ ।
ଯେପରିକି ଭୁଲି ଯିବା, ମାନସିକ ଭାରସାମ୍ୟ ହରାଇବା ଓ ଚିନ୍ତାଗ୍ରସ୍ତ ରହିବା । ତେବେ ଆପଣ ଜାଣିଛନ୍ତି କି, ଏହି ସମସ୍ୟା କେବଳ ଆପଣଙ୍କ ପାଖରେ ନୁହେଁ, ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଏ । ଆଜିକାଲି ଅନେକ ସମୟରେ ଭୁଲିଯିବା, ନିର୍ଦ୍ଦିଷ୍ଟ କାମରେ ଧ୍ୟାନ ନ ଲାଗିବା ଏକ ସାଧାରଣ କଥା ହୋଇଗଲାଣି । ଜାଣିଛନ୍ତି କି ଏପରି କାହିଁକି ହେଉଛି? କଣ ରହିଛି ଏହା ପଛରେ କାରଣ?
ଅଧିକ ପଢନ୍ତୁ: ହୃଦରୋଗୀ ଓ ଡାଏବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ 'ବ୍ଲାକ୍ କଫି', ପିଇଲେ ମିଳେ ଏହି ଫାଇଦା...
Also Read
କେବଳ ଶୋଇବା ପ୍ରଭାବିତ ହେବା ଦ୍ୱାରା ସ୍ମୃତି ଶକ୍ତି ହ୍ରାସ ପାଏ ନାହିଁ, ଏହା ପଛରେ ଅନେକ କାରଣ ରହିଛି ।
ଜାଣନ୍ତୁ କଣ ରହିଛି ମୁଖ୍ୟ କାରଣ:
୧. ଖାଦ୍ୟାଭାବ:
ମାନସିକ ବ୍ୟାଧିରୁ ମୁକୁଳିବା ପାଇଁ କେବଳ ଔଷଧ ନୁହେଁ ତା’ ସହିତ ଖାଦ୍ୟପାନୀୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ । ଯାହାକୁ ଅନେକ ସମୟରେ ଧ୍ୟାନ ଦେଇନଥାଉ । ମସ୍ତିଷ୍କ କାର୍ଯ୍ୟକ୍ଷମ ହେବା ପାଇଁ ଇନ୍ଧନ ଆବଶ୍ୟକ । ଏହି ଇନ୍ଧନ ଆମକୁ କିଛି ଭିଟାମିନ୍ସରୁ ମିଳିଥାଏ । ଭିଟାମିନ B12, ଭିଟାମିନ୍ D, ଓମେଗା-3 ଫାଟି ଏସିଡ୍ ଏବଂ ଆଇରନ ଆମ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ଭିଟାମିନ୍- B12 ମସ୍ତିଷ୍କର ସ୍ନାୟୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । B12 ର ଅଭାବ ଦେଖାଗଲେ ସ୍ମୃତିଶକ୍ତି ପ୍ରଭାବିତ ହୋଇଥାଏ, କୌଣସି ନିଷ୍ପତ୍ତି ନେବାରେ ଦ୍ୱନ୍ଦ ସୃଷ୍ଟି ହେବା ଓ ବାରମ୍ବାର ମନୋଭାବ ବଦଳିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଏହି ଲକ୍ଷଣକୁ ଏଡାଇବା ପାଇଁ ହେଲେ ଆମକୁ କିଛି ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣର ଶାଗ, ବାଦାମ, ଅଣ୍ଡା, କ୍ଷୀର ଓ ମାଛ ଖାଇବା ଆବଶ୍ୟକ । ଯେଉଁମାନେ ଶାକାହାରୀ, ସେମାନେ B12 ସପ୍ଲିମେଣ୍ଟ ଖାଇବା ଜରୁରୀ । କିନ୍ତୁ ସପ୍ଲିମେଣ୍ଟ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
୨. ବିଳମ୍ବରେ ଶୋଇବା ବା ନିଦ୍ରାଭାବ:
କେବଳ ବିଶ୍ରାମ ନେବା ବା ଶରୀରର ଥକାପଣ ଦୂର କରିବା ପାଇଁ ଶୋଇବା ଆବଶ୍ୟକ ହୋଇନଥାଏ । ଶୋଇବା ଦ୍ୱାରା ଆମ ମସ୍ତିଷ୍କ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥାଏ । ଗଭୀର ନିଦ୍ରାରେ ଶୋଇବା ଦ୍ୱାରା ଆମର ସ୍ମୃତିଶକ୍ତିର ପ୍ରକ୍ରିୟାକରଣ ହୋଇଥାଏ । ଯଦି ଦିନକୁ ୬-୭ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି, ତାହାଲେ ତାର ସିଧା ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଅଳ୍ପ ସମୟ ଶୋଇବା ଦ୍ୱାରା ଆମେ ଶୀଘ୍ର ଭୁଲି ଯାଇଥାଉ ଏବଂ କୌଣସି କାମରେ ଧ୍ୟାନ କେନ୍ଦ୍ର୍ରୀଭୂତ ହୋଇନଥାଏ । କିନ୍ତୁ ୮ ଘଣ୍ଟା ଶୋଇବା ପରେ ବି ଯଦି ଥକାପଣ ଅନୁଭବ କରୁଛନ୍ତି, ତାହାଲେ ତାହା ମସ୍ତିଷ୍କ ଓ ଶରୀର ଉପରେ କୁପ୍ରଭାବ ପକାଇଥାଏ ।
୩. ଅତ୍ୟଧିକ ଚିନ୍ତା:
ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ଆମ ଶରୀର ସହ ମସ୍ତିଷ୍କ ମଧ୍ୟ ଚାପଗ୍ରସ୍ତ ରହିଥାଏ । ମନେ ରଖିବା ପାଇଁ ଯେଉଁ ହରମୋନ (ଡୋପାମାଇନ) ସାହାଯ୍ୟ କରେ, ଚିନ୍ତାରେ ରହିବା ଫଳରେ ତାହା ପ୍ରଭାବିତ ହୋଇଥାଏ । ଚିନ୍ତାରେ ରହିଲେ କେବଳ ମସ୍ତିଷ୍କ ଚାଲୁ ରହିଥାଏ । କିନ୍ତୁ କୌଣସି କାମରେ ଧ୍ୟାନ କେନ୍ଦ୍ର୍ରୀଭୂତ ରହିନଥାଏ କି କୌଣସି ନୂଆ ଜିନିଷ ଆମେ ଶିଖି ପାରି ନଥାଉ । ତେଣୁ ଚିନ୍ତାରୁ ଦୂରେଇ ରହିବାକୁ ହେଲେ ଆମକୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ । ଯେପରିକି ନିୟମିତ ଏକ୍ସରସାଇଜ, ଲେଖିବା (ଜର୍ଣ୍ଣାଲିଂ) ଦ୍ୱାରା ଆମ ମସ୍ତିଷ୍କ କାର୍ଯ୍ୟକ୍ଷମ ହୋଇଥାଏ ।
୪. ଥାଇରଏଡ ଅସନ୍ତୁଳିତ:
ଥାଇରଏଡ ଗ୍ଲାଣ୍ଡ ଶରୀରର ମେଟାବୋଲିଜମ, ଶକ୍ତି ଏବଂ ମନୋଭାବକୁ ନିୟନ୍ତ୍ରଣ କରିଥାଏ । ହାଇପୋଥାଇରଏଡିଜିମ୍ ମସ୍ତିଷ୍କର କାର୍ଯ୍ୟକୁ ଧୀର ଗତିରେ କରିଥାଏ । ଯାହା ଦ୍ୱାରା ସବୁବେଳେ ନିଦ ଲାଗିବା, ଚିନ୍ତା କରିବା ଓ ସ୍ମରଣ ଶକ୍ତି ହ୍ରାସ ପାଇବା ସହ ଡିପ୍ରେସନ ଭଳି ଲକ୍ଷଣ ଦେଖାଯାଏ । ଯଦି ଆପଣଙ୍କର କୌଣସି କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ, ଓଜନ ବଢୁଛି, ଚୁଟି ଝଡୁଛି ଏବଂ ଥଣ୍ଡା ଲାଗି ରହୁଛି, ତାହାଲେ TSH ଏବଂ T3/T4 ଲେବେଲ (ଥାଇରଏଡ ପରୀକ୍ଷା) ଯାଞ୍ଚ କରାଇ ନିଅନ୍ତୁ ।
୫. ହରମୋନ ପରିବର୍ତ୍ତନ (ବିଶେଷ କରି ମହିଳାଙ୍କ କ୍ଷେତ୍ରରେ):
ମସ୍ତିଷ୍କର କାର୍ଯ୍ୟ ଉପରେ ଇସଟ୍ରୋଜେନ ଏବଂ ପ୍ରୋଗେଷ୍ଟେରନ ବିଶେଷ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥା, ମେନୋପଜ୍ ପୂର୍ବରୁ ଏବଂ ମେନୋପଜ ସମୟରେ ମହିଳାମାନଙ୍କ କ୍ଷେତ୍ରରେ ମାନସିକ ପରିବର୍ତ୍ତନ ହୋଇଥାଏ । ଏହି ହରମୋନ ପରିବର୍ତ୍ତନ ହେବା ଫଳରେ ସ୍ମୃତିଶକ୍ତି ହ୍ରାସ ହେବା ସହ ଧ୍ୟାନ କେନ୍ଦ୍ରୀଭୂତ ହୋଇନଥାଏ । ଏହି ହରମୋନ କମିବା ଫଳରେ ମସ୍ତିଷ୍କର ସ୍ମୃତିକେନ୍ଦ୍ର ହିପୋକ୍ୟାମ୍ପସ ପ୍ରଭାବିତ ହୋଇଥାଏ ।
ଯଦି କିଛି ସପ୍ତାହ ପର୍ଯ୍ୟନ୍ତ ଏପରି ମାନସିକ ପରିବର୍ତ୍ତନ ଦେଖାଦିଏ, ତାହାଲେ ଶରୀରରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଦୃଷ୍ଟି ଶକ୍ତି ହ୍ରାସ ପାଏ, ପାଟିରୁ ସ୍ପଷ୍ଟ କଥା ବାହାରି ନଥାଏ ଏବଂ ମନୋଭାବ ପରିବର୍ତ୍ତନ ଦେଖାଯାଏ । ଏହା ଡିମେନ୍ସିଆ, ଅଟୋଇମ୍ୟୁନ ରୋଗ ଏବଂ ସ୍ଥାୟୁଗତ ସମସ୍ୟାର ପ୍ରାରମ୍ଭିକ ଅବସ୍ଥା ହୋଇପାରେ । ତେଣୁ ଏଭଳି ସମସ୍ୟା ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।