• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର (ସଞ୍ଜୀବ ନାୟକ) : ’ମୋତେ ଟିକେ ସାହାଯ୍ୟ କର । ମୁଁ ‍ବଞ୍ଚି ଯିବି । ମୋ ପିଲା ଦୁଇଟା ବଞ୍ଚି ଯିବେ ’ । ଏମିତି ଆକୁଳ ନିବେଦନ କରୁଛନ୍ତି ଯାଜପୁର ବ୍ଲକ ଚଇନିପୁରର ନୃତ୍ୟ କଳାକାର ଦୀପକ ନାୟକ । ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ ବଂଚିବାକୁ ସହାୟତା ଭିକ୍ଷା କରୁଛନ୍ତି । ଦିନ ଥିଲା ସେ ନୃତ୍ୟ କଳାକାର ଭାବେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ତାସହ କଳାକୁ ବଞ୍ଚାଇବା ଲାଗି ନୃତ୍ୟ ଗୁରୁଙ୍କ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରି ଜୀବନ ଜୀବିକା ଲାଗି ସୁଯୋଗ ସୃଷ୍ଟି କରୁଥିଲେ । କିନ୍ତୁ ଆଜି ସେ ଜୀବନ ସହ ଯୁଦ୍ଧ କରୁଛନ୍ତି । ସନ୍ତାନ ଓ ପତ୍ନୀ ପରିବାର ଲାଗି ବଂଚିବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଦୀପକଙ୍କ ଘର ଯାଜପୁର ବ୍ଲକ ଚଇନିପୁର ଗ୍ରାମରେ । ଆଜି ବି ଛଣ ଛପର ଘରେ ଦିନ କଟୁଛି । ନୃତ୍ୟ ଗୁରୁ ଭାବେ ବହୁ ନୃତ୍ୟ କଳାକାର ତିଆରି କରିଥିବା ବେଳେ ଜଲିଉଡରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ କିଣିଛନ୍ତି । କରୋନା କାଳରେ ଯାତ୍ରା ବନ୍ଦ ରହିବା ସହ ଅନ୍ୟାନ୍ୟ ପ୍ରୋଗ୍ରାମ ବନ୍ଦ ଥିବାରୁ ବହୁ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ । ଆଉ ଏହାରି ଭିତରେ ରୋଗଗ୍ରସ୍ତ ହୋଇ ପଡ଼ିଛନ୍ତି ଦୀପକ୍ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି ।

ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ସହି ପାରୁନାହାନ୍ତି ସ୍ତ୍ରୀ । ଆମ ପରିବାରକୁ ସାହାଯ୍ୟ କର । ସ୍ୱାମୀଙ୍କ ଦୁଇଟି କିଡନି ଖରାପ ହୋଇଯାଇଛି । ମୁଁ ମୋର କିଡନୀ ଦେଇ ସ୍ୱାମୀଙ୍କୁ ବଂଚାଇ ରଖିବାକୁ ଚାହୁଁଛି । ସ୍ତ୍ରୀ କିଡନି ଦେବାକୁ ପ୍ରସ୍ତତ ଥିଲେ ବି ଘରୋଇ ନର୍ସିଂ ହୋମରେ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେ ଭଲ ନହୋଇ ପାରିଲେ ମୋ ଛୁଆ ବାପା ମା ଛେଉଣ୍ଡ ହୋଇଯିବେ । ଗୋଟିଏ କଳାକାରର କଳା ଓ ପରିବାରର ଭେଳା ବୁଡିଯିବ । କାନ୍ଦି କାନ୍ଦି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରୁଛନ୍ତି ତାଙ୍କ ସ୍ତ୍ରୀ ।

ଏନେଇ ଆମେ ଯାଜପୁର ଜିଲ୍ଲାପ୍ରଶାସନସହ ଯୋଗାଯୋଗ କରାଯାଇଥିଲା । ନୃତ୍ୟ କଳାକାରଙ୍କୁ ଶୀଘ୍ର ସହାୟତା ଦିଆଯିବର ପ୍ରତିଶୃତି ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ସେପଟେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଗୋଟିଏ କଳାକାରର ବୃତ୍ତି ବଞ୍ଚିପାରିବ ଓ ତାଙ୍କ ତାଙ୍କ ପରିବାର ନୂଆ ଜୀବନ ପାଇପାରିବ ବୋଲି ଆଶା ରଖିଛନ୍ତି ଦୀପକ ଓ ତାଙ୍କ ପତ୍ନୀ ।