• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଡ୍ରାଇଭିଂ କିମ୍ବା କାମ କରିବା ସମୟରେ ମୋବାଇଲ୍ ରେ କଥା ହେବା ପାଇଁ ହେଉ କିମ୍ବା ଗୀତ କିମ୍ବା ପଡ଼କାଷ୍ଟ ଶୁଣିବା ପାଇଁ ହେଉ, କିମ୍ବା ଶୋଇବା ବା ପଢ଼ିବା ସମୟରେ ଗୀତ ଶୁଣିବା ପାଇଁ ହେଉ, ଇଅରଫୋନର ବ୍ୟବହାର ପ୍ରାୟ ସମସ୍ତେ କରନ୍ତି। ଏବେ ପୁଣି ବଜାରରେ ଓଟନ୍-ବ୍ୟାକ୍, କ୍ଲୋଜ୍ଡ-ବ୍ୟାକ୍, ଓଭର-ଦ-ଇଅର୍, ଇନ୍-ଇଅର୍, ଅନ୍-ଇଅର୍, ନଏଜ୍-କ୍ୟାନ୍ସେଲିଂ, ବ୍ଲୁଟୁଥ୍ ଇଅର୍ ଫୋନ ଏବଂ ଇଅର୍-ବଡ୍ ପରି ଆଠରୁ ଦଶ ପ୍ରକାରର ଇଅରଫୋନ ଉପଲବ୍ଧ ହେଲାଣି।

ଆମ ଚାରିପାଖରେ ପ୍ରାୟ ସମସ୍ତେ ବହୁଳ ବ୍ୟବହାର କରୁଥିବା ଏହି ଇଅରଫୋନ୍ ଯଦିଓ ଅନେକ ସମୟରେ କାମ ସହଜ କରିଦିଏ ଏବଂ ଚାରିପାଖର ଲୋକଙ୍କୁ ଡିଷ୍ଟର୍ବ ମଧ୍ୟ କରେ ନାହିଁ, କିନ୍ତୁ ଅନେକ ସମୟରେ ବିଶେଷଜ୍ଞମାନେ ’ଏହାର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହାନିକାରକ’ ବୋଲି କହିଥା'ନ୍ତି। ଶ୍ରବଣଶକ୍ତି ହରାଇବାଠୁ ଆରମ୍ଭ କରି ମୁଣ୍ଡ ବୁଲାଇବା ଏବଂ ଅନ୍ୟ ବିଭିନ୍ନ ସ୍ନାୟୁଗତ ବ୍ୟାଧିର ମଧ୍ୟ କାରଣ ହୋଇଥାଏ।

୧. ଶ୍ରବଣଶକ୍ତି ହରାଇବା:

ଇଅରଫୋନର ବ୍ୟବହାର ଦ୍ବାରା ସାମୟିକ କିମ୍ବା ସ୍ଥାୟୀ ଭାବରେ ଶ୍ରବଣଶକ୍ତି ହରାଇବାର ଆଶଙ୍କା ରହିଥାଏ। ଆମ କାନ ଭିତରେ ମସ୍ତିଷ୍କ ମଧ୍ଯକୁ ଶବ୍ଦ ତରଙ୍ଗର ପ୍ରସାରଣ (transmission) ପାଇଁ ଅତି ଛୋଟ ଛୋଟ କେଶ ରହିଥାନ୍ତି। ଏମାନେ ଯେକୌଣସି ଶବ୍ଦ ଦ୍ବାରା ସୃଷ୍ଟି ହେଉଥିବା ତରଙ୍ଗ ବା vibration ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଲଗାତାର, ଅନେକ ସମୟ ପର୍ଯ୍ୟନ୍ତ ଇଅରଫୋନ୍ ବ୍ୟବହାର କରିବା ଦ୍ୱାରା ଆମ କାନ ଭିତରେ ହିଁ ଶବ୍ଦ ତରଙ୍ଗ ସୃଷ୍ଟି ହୁଏ, ଯାହା ଦ୍ୱାରା ଏହି କେଶଗୁଡିକ ନିଜର ସମ୍ବେଦନଶୀଳତା ହରାଇଥାନ୍ତି।

ଅନେକ ସମୟରେ ସେମାନଙ୍କ ପ୍ରାକୃତିକ ରୂପ ହରାଇ ସ୍ଥାୟୀ ଭାବରେ ବଙ୍କା ହୋଇଯାଗ ନିଜର ଶବ୍ଦ ତରଙ୍ଗ ପ୍ରସାରଣ କରିବା କ୍ଷମତା ହରାଇ ବସନ୍ତି। ଏହା ଦ୍ବାରା ମଣିଷ ଶ୍ରବଣଶକ୍ତି ହରାଏ ବା କାଲା ହୋଇଯାଏ। NIHL ବା Noise- Induced Hearing Loss (ଶବ୍ଦ କାରଣରୁ ଶ୍ରବଣଶକ୍ତି ହରଣ)ର ଆଶଙ୍କା ମଧ୍ୟ ରହିଛି। କେବଳ ଯେ ଭୀଷଣ ଶବ୍ଦ ସୃଷ୍ଟିକାରୀ ଡିଜେ ମ୍ୟୁଜିକ, ବାଣ, ବିସ୍ଫୋରଣ କିମ୍ବା ଲାଉଡ୍ ମ୍ୟୁଜିକ ଶ୍ରବଣଶକ୍ତି ନଷ୍ଟ କରିବ ତାହା ନୁହେଁ, ଅଧିକ ସମୟ ଧରି ଇଅରଫୋନ ମାଧ୍ୟମରେ ଅଧିକ ଭଲ୍ୟୁମର ଗୀତ ଶୁଣିବା ମଧ୍ୟ NIHLର କାରଣ ହୋଇପାରେ।

୨. ମୁଣ୍ଡ ବୁଲାଇବା:

ଆମ କାନ ଏବଂ କାନର ପରଦା ଭିତରେ ଗୋଟିଏ ସୁଡ଼ଙ୍ଗ ସଦୃଶ ବାଟ ଥାଏ, ଏହାକୁ ଇଅର କାନାଲ୍ (ear canal) କୁହାଯାଏ। ଏହି ଇଅର କାନାଲ୍ ହିଁ ବାହାରେ ସୃଷ୍ଟି ହେଉଥିବା ଶବ୍ଦ ତରଙ୍ଗକୁ, କାନ ଭିତର ପର୍ଯ୍ୟନ୍ତ ବହନ କରେ। ଇଅରଫୋନ ବ୍ୟବହାର ଦ୍ବାରା ଲଗାତାର କାନ ଭିତରେ ଉଚ୍ଚ ଶବ୍ଦ ବା high volume ସୃଷ୍ଟି ହୋଇ, ଇଅର କାନାଲ୍ ଭିତରେ ଉଚ୍ଚଚାପ ବା high pressure ସୃଷ୍ଟି ହୋଇଥାଏ। ପ୍ରକୃତରେ କାନ ଯେ ଆମକୁ କେବଳ ଶୁଣିବାରେ ସାହାଯ୍ୟ କରେ ତା’ ନୁହେଁ, ଆମ ଶରୀର ଭାରସାମ୍ୟ ବା balance ରକ୍ଷା କରି, ଆମକୁ ସିଧା ଠିଆ ହେବାରେ ସାହାଯ୍ୟ କରେ। ତା ସହିତ, ଚାଲିବାରେ ମଧ୍ୟ ମୂଖ୍ୟ ଭୂମିକା କାନର ହିଁ ରହିଥାଏ। କିନ୍ତୁ ଇଅର କାନାଲ୍ ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେବା ଦ୍ବାରା, ଏହା ଆମ କାନ ଭିତର, ମସ୍ତୁ ଏବଂ ଶରୀରର balance ରକ୍ଷାକାରୀ ପ୍ରଣାଳୀରେ ବ୍ୟାଘାତ ସୃଷ୍ଟି କରେ ଏବଂ ଚାରିଆଡ ଟଳମଳ ହୋଇ ଘୁରିଲା ପରି ଲାଗେ। ମୁଣ୍ଡ ବୁଲାଏ, ଅଇ ଉଠାଏ, ଅନେକ ସମୟରେ କିଛି ବ୍ୟକ୍ତି ସିଧା ଠିଆ କିମ୍ବା ବସି ନପାରି ପଡି ମଧ୍ୟ ଯାଆନ୍ତି।

୩. କାନର ସ°କ୍ରମଣ:

ଗୋଟିଏ ଇଅରଫୋନକୁ ଏକାଧିକ ବ୍ୟକ୍ତି ବ୍ୟବହାର କରିବା ଦ୍ୱାରା ଜଣଙ୍କ କାନର ସ°କ୍ରମଣ (ଜୀବାଣୁ ଏବଂ ଫଙ୍ଗାଲ୍ ଉଭୟ) ଅନ୍ୟକୁ ବ୍ୟାପିଥାଏ। ଏହାଛଡା ଇଅର-ପିସ୍ କୁ ବ୍ୟବହାର ପରେ ସାଧାରଣତଃ କେହି ସଫା କରନ୍ତି ନାହିଁ, କାନର ଓ୍ବାକ୍ସ ଏବଂ ମଇଳା ବାୟୁମଣ୍ଡଳ ସ°ସ୍ପର୍ଶରେ ଆସିଲେ ଏଥିରେ ହାନିକାରକ ଜୀବାଣୁ ବଢିବା ସହଜ ହୋଇଥାଏ ଏବଂ ଦ୍ୱିତୀୟ ଥର ବ୍ୟବହାର ବେଳକୁ କାନ ସ°କ୍ରମଣ ହୁଏ। ଇଅର କାନାଲ୍ ମଧ୍ୟରେ ଇଅରଫୋନ ଚାପି ହୋଇ ରହିବା ଦ୍ବାରା ପବନ ଆତଯାତ ହୁଏ ନାହିଁ ଏବଂ ସ°କ୍ରମଣର ଆଶଙ୍କା ବଢିଥାଏ।

୪. କାନ ବିନ୍ଧା:

ଅଧିକ ସମୟ ପର୍ଯ୍ୟନ୍ତ କାନ ଭିତରେ ଇଅରଫୋନ ରହିବା କିମ୍ବା ଠିକ୍ ଭାବରେ ଖାପ ଖାଉ ନଥିବା (miss fit) ଇଅରଫୋନ ବ୍ୟବହାର ଦ୍ବାରା କାନର ଭିତର ଅ°ଶରେ ଚାପ ସୃଷ୍ଟି ହୁଏ ଏବଂ କାନ ବ୍ୟଥାର କାରଣ ହୋଇଥାଏ।

୫. ଟିନାଇଟସ୍:

ଲଗାତାର ଉଚ୍ଚ ଭଲ୍ୟୁମର ଶବ୍ଦ ସ°ସ୍ପର୍ଶରେ ଆସି ଏବଂ ଇଅରଫୋନ କାନ ଭିତରେ ରହିବା ଦ୍ବାରା କକଲିଆ (internal ear ର ଅ°ଶ) ଭିତରେ ଥିବା ସୂକ୍ଷ୍ମ କେଶ କୋଷ ଗୁଡିକ ନଷ୍ଟ ହୋଇଯାଆନ୍ତି। ଏହା ଦ୍ବାରା କାନ ଭିତରେ ଲଗାତାର ଝାଇଁଝାଇଁ ବାଜିବା, ଝିଙ୍କାରୀ ପରି ଶବ୍ଦ ଏବଂ ଘଣ୍ଟି ବାଜିଲା (ଯାହାକୁ ଇଂରାଜୀରେ roaring or ringing noise କୁହାଯାଏ) ପରି ଶବ୍ଦ ଶୁଭୁଥାଏ ଏବଂ ମୁଣ୍ଡ ଭିତରେ ମଧ୍ୟ ଏମିତି ଶବ୍ଦ ଶୁଭିଲା ପରି ଲାଗେ, ଏହି ଅବସ୍ଥାକୁ ଟିନାଇଟସ୍ (tinnitus) କୁହାଯାଏ।

୬.ହାଇପେରାକ୍ବୁସିସ୍ (Hyperacusis):

କକଲିଆର ସୂକ୍ଷ୍ମ କେଶ କୋଷ ନଷ୍ଟ ହେବା କାରଣରୁ ଏବଂ ଟିନାଇଟସ୍ କାରଣରୁ ଅନେକ ସମୟରେ ବ୍ୟକ୍ତି ଶବ ପ୍ରତି ଅତି ସମ୍ବେଦନଶୀଳ ହୋଇ ପଡନ୍ତି, ଯାହାକୁ ହାଇପେରାକ୍ବୁସିସ୍ କୁହାଯାଏ। ହାଇପେରାକ୍ବୁସିସ୍ ଭୋଗୁଥିବା ବ୍ୟକ୍ତି ପାଇଁ ଦୈନନ୍ଦିନ ଜୀବନର ଓ ବାତାବରଣର ଅତି ସାଧାରଣ ଓ କମ୍ ଭଲ୍ୟୁମର ଶବ୍ଦ ମଧ୍ୟ ଖୁବ୍ ଶୃତିକଟୁ ଏବଂ କଷ୍ଟ ଦାୟକ ହୋଇଥାଏ। ଅତି ମାମୁଲି ଶବ୍ଦ ମଧ୍ୟ ଏହି ବ୍ୟକ୍ତିମାନଙ୍କୁ ବ୍ୟସ୍ତ ବିବ୍ରତ ଓ ଅସ୍ତବ୍ୟସ୍ତ କରିଦିଏ।

୭.ଇଅର ଓ୍ବାକ୍ସ:

ଅଧିକ ସମୟ ଧରି ଇଅରଫୋନର ବ୍ଈ କରୁଥିବା ବ୍ୟକ୍ତିଙ୍କ ଠାରେ ଖୁବ୍ ଶିଘ୍ର ଶିଘ୍ର ଏବଂ ଅଧିକ ମାତ୍ରାରେ ଇଅର ଓ୍ବାକ୍ସ ବା କାନର ଅଠାଳିଆ ପଦାର୍ଥ ଜମିବାର ଆଶଙ୍କା ବଢିଥାଏ, ଯାହା କାନବିନ୍ଧା, ସ°କ୍ରମଣ , ଶ୍ରବଣଶକ୍ତି ହ୍ରାସ କାରଣ ହୋଇପାରେ।

୮. ଏକାଗ୍ରତାର ଅଭାବ:

କୌଣସି କାମ କରିବା, ପଢିବା, ଯାନବାହାନ ଚଲାଇବା ଆଦି ସମୟରେ ଇଅରଫୋନ ବ୍ୟବହାର ଦ୍ବାରା ଏକାଗ୍ରତାର ଅଭାବ ଦେଖାଯାଏ। ମଣିଷ କରୁଥିବା କାମ ଉପରେ ଧ୍ୟାନ ରଖିପାରେ ନାହିଁ। ଯାନବାହନ ଚଲାଇବା ସମୟରେ ଇଅରଫୋନର ବ୍ୟବହାର ଦୁର୍ଘଟଣାର ମଧ୍ୟ କାରଣ ହୋଇଥାଏ।