କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ ରହିଛି ।
ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ । ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ ଆସୁଛି । ଯେତିକି ବେଡ ରହିଛି ପ୍ରତ୍ୟେକ ବେଡରେ ଦୈନିକ ୩ଟି ସିଟିଂରେ ଡାଇଲେସିସ କରାଯାଉଛି । ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି । ସେହିପରି ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର ହୋଇ ଚାଲୁ କରାଯିବ ।
ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି । ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା । ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ଗତ କିଛିଦିନ ତଳେ ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା ।
Also Read
ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି
ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ପଡ଼ିଥିବା ବେଳେ ୧୪ ଜଣ ଡାକ୍ତର ଠିକାରେ କାମ କରୁଛନ୍ତି । ସେହିପରି ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ବି ଫାଙ୍କା । ଯାହାକୁ ନେଇ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ସହିତ ବଢୁଛି ଅସନ୍ତୋଷ । ରାଜ୍ୟ ରାଜଧାନୀର ସର୍ବ ବୃହତ୍ ତଥା ପ୍ରମୁଖ ସରକାରୀ ହସ୍ପିଟାଲରେ କାହିଁକି ଏଭଳି ସ୍ଥିତି ?
ହସ୍ପିଟାଲ୍ କାର୍ଯ୍ୟକାରୀ କମିଟି ବୈଠକରେ ଉପସ୍ଥାପିତ ତଥ୍ୟ କହୁଛି, ଏଠି ପଡିଛି ଡାକ୍ତର ମରୁଡ଼ି । ରହିବା କଥା ୧୭୫ ଡାକ୍ତର, ଅଛନ୍ତି ମାତ୍ର ୧୧୧ । ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବି ଖାଲି ସେହିପରି ପୂରଣ ହୋଇଥିବା ୧୧୧ ପଦବିରୁ ୯୭ ନିୟମିତ ହୋଇଥିବା ବେଳେ ୧୪ ଜଣ ଠିକାରେ କାମ କରୁଛନ୍ତି । ନର୍ସିଂ ଅଫିସର କ୍ଷେତ୍ରରେ ବି ସେଇ ସମାନ ସ୍ଥିତି ।
୨୧୪ ପଦବି ରହିଥିଲେ ବି ଫାଙ୍କା ପଡ଼ିଛି ୫୩ଟି ପୋଷ୍ଟ । ମାସ ମାସ ହେଲା,କ୍ୟାପିଟାଲ ହସ୍ପିଟାଲର ଏମିତି ଦୁରବସ୍ଥା । ଏଠାରେ ୭୫୦ ବେଡ୍ ରହିଥିବା ବେଳେ ପ୍ରତିଦିନ ହାରାହାରି ୩୫୨ ରୋଗୀ ଆଡମିଶନ୍ ହେଉଛନ୍ତି । ଖାଲି ସେତିକି ନୁହେଁ, ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରୁ ପ୍ରତିଦିନ ହାରାହାରି ୫ ହଜାର ୪୬୩ ରୋଗୀ କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ଆସୁଛନ୍ତି । ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ତାର ସିଧାସଳଖ ପ୍ରଭାବ ପଡୁଛି ରୋଗୀ ସେବା ଉପରେ ।
ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ଦୁଇଗୁଣା ବଢ଼ିଛି । ୨୦୨୧ରେ ଯେଉଁଠି କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ମାସକୁ ହାରାହାରି ୫୭ ହଜାର ୯୮ଜଣ ରୋଗୀ ଆସୁଥିବା ବେଳେ ୨୦୨୩ରେ ଏ ସଂଖ୍ୟା ୧ ଲକ୍ଷ ୫ ହଜାର ଟପିଛି । ଡାକ୍ତର ଅଭାବ ଭିତରେ ରୋଗୀ ସଂଖ୍ୟାରେ ଏଭଳି ଆଶାତୀତ ବୃଦ୍ଧି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି ।