• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

(ପ୍ରସନଜିତ ରାୟ) ନବେ ଦଶକରେ ଜନ୍ମ ହୋଇଥିବା ମୋ ଭଳି ଅନେକ ପିଲାଙ୍କ ପାଇଁ ଓଡ଼ିଆ ସିନେମା କହିଲେ ଦୁଇ ମହାନ୍ତି ଆଉ ଜଣେ ଦାସଙ୍କୁ ବୁଝାଏ। ବିଜୟ ମହାନ୍ତି, ଉତ୍ତମ ମହାନ୍ତି ଆଉ ମିହିର ଦାସ। ଲମ୍ବା ଚଉଡ଼ା ବ୍ୟକ୍ତିତ୍ଵ, ମୋଟା ନିଶ ରଖି ଲମ୍ବା ଲମ୍ବା ପାଦ ପକାଇ ଆସନ୍ତି ବିଜୟ ମହାନ୍ତି। ଆମ ସାହିରେ ବୋଧେ ସବୁ ଲମ୍ବା ଲୋକ ନିଜକୁ ବିଜୟ ମହାନ୍ତି ସେ ସମୟରେ ଭାବୁଥିଲେ। ଆଉ ରହିଲା ଉତ୍ତମ ମହାନ୍ତିଙ୍କ କଥା। ହିରୋ ଖଣ୍ଡିଏ ମିହିର ଦାସ, ଦେଖିବାକୁ ଯେମିତି ହ୍ୟାଣ୍ଡସମ୍, କଥା ବି ସେମିତି। ହାଲକା ମୁଣ୍ଡ ହଲାଇ ଚାହିଁବା ହେଉ ଅବା ଡ୍ୟାନ୍ସ । ଓଃ...ସେମିତି ହେବା ପାଇଁ ଭାବିବା ବି କଷ୍ଟ। ଓଡ଼ିଶା ଓ ବିଶେଷ ଭାବେ ବ୍ରହ୍ମପୁରର ସିନେମା ହଲ ଉପରେ ହିନ୍ଦି, ତେଲୁଗୁ ଫିଲ୍ମର ଦବଦବା ଥିବା ବେଳେ ଉତ୍ତମ ମହାନ୍ତିଙ୍କ ଷ୍ଟାର ଡମ୍ ଏସବୁକୁ ଫିକା କରୁଥିଲା।

ହେଲେ ଏମାନଙ୍କଠୁ ଭିନ୍ନ, ସବୁ ଚରିତ୍ରରେ ଫିଟ୍ ଆଉ କମିଡିରେ ମାହିର ଥିଲେ ଜଣେ...ସେ ହେଉଛନ୍ତି ମିହିର ଦାସ। ଦେଖିବାକୁ ଦୁଇ ମହାନ୍ତିଙ୍କ ଭଳି ନଥିଲେ ହେଲେ ଥିଲେ ସେ ପୋଖତ ଅଭିନେତା। ନହେଲେ କଣ ସବୁ ଚରିତ୍ରରେ ଅଭିନୟ କରିବାକୁ ରାଜି ହେଇଥାନ୍ତେ ! ସେ ସମୟରେ ହଲ୍ ନେବାକୁ କେହି ନଥିଲେ ନା ଏବେକା ଭଳି ବ୍ୟବସ୍ଥା ଥିଲା। ଭିସିଆର ବି ଥିଲା ସ୍ୱପ୍ନ ଆଉ ମିଳିଲେ ବି ସେତେ ଟଙ୍କା ଘରୁ ମିଳୁନଥିଲା ଯେ ସେଥିରେ ଆମେ ସ୍କୁଲ ପଢୁଥିବା ପିଲାଏ ଫିଲ୍ମ ଦେଖି ପାରିବୁ।

ସୁଯୋଗ ଆଉ ବ୍ୟବସ୍ଥା ଗୋଟିଏ...ଦୂରଦର୍ଶନ। ପୁଅ ମୋର ଭୋଳା ଶଙ୍କରରେ ନିଶ କାଟି ନିଜକୁ କଦର୍ଥ କରି ଲୋକଙ୍କୁ ପାରିବାରିକ କାହାଣୀକୁ ସେ ପରଶି ଦେଇଥିଲେ। ଗୋପରେ ବଢୁଛି ମୋ କଳା କହ୍ନେଇରେ କେମ୍ପା ସୁଦାମା, ସୁହାଗ ସିନ୍ଦୂରରେ ହାସ୍ୟ ଅଭିନେତା, କିଏ ସେ ପୋଛିବ ମାଆ ଆଖିର ଲୁହ, ସମୟ ଖେଳୁଛି ଚକା ଭଉଁରୀରେ ଭିଲିଆନ ରୋଲରେ ଲୋକଙ୍କ ମନ ଜିତିଥିଲେ।

ସୁନା ହରିଣୀ, ମହସଂଗ୍ରାମରେ ପାଗଳ ଭୂମିକାକୁ ଆଜି ବି ମନେ ରଖିଛୁ। ଖାଲି ଅଭିନୟ ତ୍ ନୁହେଁ ସତେ ଯେମିତି ସମାଜର ଗୋଟି ଗୋଟି ଚରିତ୍ରକୁ ନିଜ ଭିତରେ ଆଙ୍କି ଦେଉଥିଲେ ସେ। ଖାଲି ନବେ ଦଶକରେ ନୁହେଁ ଯେତେବେଳେ ଓଡ଼ିଆ ସିନେମା ଆଧୁନିକତା ଆଡ଼କୁ ଗତି କରିଥିଲା, ବାହାର ସଂସ୍ଥା ଓଡ଼ିଶାରେ ପ୍ରଯୋଜନା ଆରମ୍ଭ କରିଥିଲେ ସେ ସମୟରେ ବି ମିହିର ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମିହିରଙ୍କ ବୟସ ବଢିବା ସହ ଆମେ ବି ସିନେମା ହଲକୁ ଯିବା ଭଳି ସକ୍ଷମତା ଆସିଥିଲା। ଯାହାକୁ ଛୋଟ ପରଦାରେ ଦେଖି ଖୁସି ହେଉଥିଲୁ ତାଙ୍କୁ ସିଲଭର ସ୍କିନରେ ନୂଆ ଅଭିନେତାଙ୍କ ସହ ଦେଖିଥିଲୁ। ସେ ସେତେବେଳେ ବି ଯେମିତି ଥିଲେ ଏବେ ବି ସେମିତି। ହଁ... ଗୁରୁ ଗାମ୍ଭିର୍ଯ୍ୟ ସ୍ୱର ଆଉ ଅଭିନୟରେ ଅଧିକ ପରିପକ୍ୱତା ଆସି ଯାଇଥିଲା। ସେଥିପାଇଁ ତ୍ ସେ ସବୁ ପିଢ଼ି ପାଇଁ ଥିଲେ ଭାଇ...ମିହିର ଭାଇ।

ମିହିର ଦାସ ଏପରି ଜଣେ ଅଭିନେତା ଥିଲେ ଯିଏ ତିନି ପିଢ଼ିଙ୍କ ସହ କାମ କରିଛନ୍ତି। ମହମ୍ମଦ ମହସିନ, ଗୋବିନ୍ଦ ତେଜଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ସିନେମା କ୍ୟାରିଅର ଆରମ୍ଭ କରିଥିଲେ। ପରେ ପରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ ଆଉ ପରେ ସିଦ୍ଧାନ୍ତ ମହାପାତ୍ର, ବାବୁଶାନ ଆଉ ନିଜ ପୁଅ ଅମ୍ଳାନଙ୍କ ସହ। ଏଥିରୁ ଜଣାପଡେ ଅଭିନେତା କେବଳ ବଞ୍ଚେ ନିଜ ଅଭିନୟ ଆଉ ଚରିତ୍ର ପାଇଁ। ଭୁବନେଶ୍ଵରରେ ସାମ୍ବାଦିକତାକୁ ପେଶା ବାଛିବା ପରେ ଅନେକ ଥର ଦେଖା ହେଇଛି।

କିନ୍ତୁ ସେ ଏତେ ବଡ ଷ୍ଟାର ବୋଲି କେବେ ଅନୂଭବ କରେଇ ନାହାନ୍ତି। ବୋଧେ ବଡ଼ ଅଭିନେତା, ଭଲ ମଣିଷ ୟାକୁ ହିଁ କୁହାଯାଏ। ସେ ସିନା ଚାଲିଗଲେ ହେଲେ ପଛରେ ଆମ ଭଳି ଅନେକଙ୍କ ପାଇଁ ଛାଡ଼ି ଯାଇଛନ୍ତି ଅଭୁଲା ସ୍ମୃତି।