ଆଦ୍ୟ ସମୟରୁ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିବା ତଥା ଜୀବନ ଯାପନ କରିବା ପାଇଁ ମନୁଷ୍ୟର ଯେଉଁ କେତୋଟି ସର୍ବନିମ୍ନ ଆବଶ୍ୟକତା ଥାଏ ସେଥିରୁ ଖାଦ୍ୟ ହେଉଛି ମୁଖ୍ୟ। ଆମର ଭୌଗୋଳିକ ସ୍ଥିତି ଅନୁସାରେ ଖାଦ୍ୟର ଚାହିଦା ଓ ରନ୍ଧନ ଆଦି ଅଲଗା ଅଲଗା ହୋଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ଖାଦ୍ୟର ସ୍ୱତନ୍ତ୍ରତା ରହିଥିବା ଜଣାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଖାଦ୍ୟ ମିଳେ, ଯେପରିକି ଭୁବନେଶ୍ୱର କୋରାଖଇ, ନୟାଗଡ଼ ଛେନାପୋଡ଼, ପୁରୀର ଖଜା ବା ଫେଣୀ, ଢେଙ୍କାନାଳ ବରା, ସମ୍ବଲପୁର ସରସତିଆ, ମୟୁରଭଞ୍ଜର ମୁଢ଼ି ମାଂସ, ବ୍ରହ୍ମପୁରର ପୁରୀ, ଉପମା, ଆଚାର ପାମ୍ପଡ଼, କଟକର ଦହିବରା, କେନ୍ଦ୍ରାପଡ଼ାର ରସାବଳୀ, ଏମିତି ଅନେକ ପ୍ରକାର ସ୍ଥାନୀୟ ଖାଦ୍ୟର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି, ଯାହା ଉକ୍ତ ସ୍ଥାନର ସଂସ୍କୃତିର ଏକ ଅବିଛେଦ୍ୟ ଅଂଶ ହୋଇଥାଏ। ତେବେ ଆଜି ଏପରି କିଛି ଖାଦ୍ୟ ବିଷୟରେ କଥା ହେବା।
ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ। ତେବେ ତାର ମହାପ୍ରସାଦ ହେଉଛି ପୃଥିବୀର ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ ଯାହା ଅତ୍ୟନ୍ତ ପାରମ୍ପାରିକ ଓ ପ୍ରାକୃତିକ ମସଲା ଦ୍ରବ୍ୟରେ ପ୍ରସ୍ତୁତ ହୁଏ। ଆସନ୍ତୁ ପ୍ରଥମେ ଆମ ଅବଢ଼ାର କିଛି ବିଶେଷତ୍ୱ ଜାଣିବା।
ସମସ୍ତେ ଜାଣନ୍ତି ଆମ ଜଗନ୍ନାଥ ନିତିଦିନ ଷାଠିଏ ପଉଟିଭୋଗ ଖାଆନ୍ତି। ଏଥି ମଧ୍ୟରେ ଅନେକ ପ୍ରକାର ପିଠା ଯେପରିକି ଅନ୍ନ, ଘି ଅନ୍ନ, କାନିକା, ଖେଚୁଡ଼ି, ମିଠା ଡାଲି, ଡାଲେମା, ବେସର, ମହୁର, ବିଭିନ୍ନ ପ୍ରକାର ପିଠା, ବିରି ପିଠା, ଖଜା, ଲଡ଼ୁ, ଖୁଆ ମଣ୍ଡା, ଅମାଲୁ, ସରପୁଳି, କାକରା, ଏମିତି ଅନେକ ପ୍ରକାର ଖାଇବା ରହିଛି। ଏହା ସହ ଏକ ପ୍ରକାର ମିଠା ଥାଏ ଝଡ଼େଇନେଦା। ଏହା ସୂପକାର ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ସୁସ୍ୱାଦୁ ଖାଦ୍ୟ। ସବୁଖାଦ୍ୟର ପ୍ରସ୍ତୁତି ପରେ ଝଡ଼ିଥିବା ଅବଶେଷରୁ ଏହା ପ୍ରସ୍ତୁତ, ତେଣୁ ଏହାର ନାମ ଝଡ଼େଇନେଦା। ଧିରେ ଧିରେ ଅପଭ୍ରଂଶ ହୋଇ ଏହା କେତେକଙ୍କ ପାଟିରେ ଚଢ଼େଇନେଦା ହୋଇଯାଇଛି। ଘିଅ ଜୁଡ଼ୁବୁଡ଼ୁ ବାସ୍ନାରେ ମୋହିତ ଏ ଭୋଗ ଅମୃତ ପରି ଲାଗେ। ଏଣୁ ଆମ ମଣିମା ଟିକିଏ ଭଲ ପାଇବା ପାଇଲେ ଭକ୍ତହାତର ଖାଦ୍ୟ ଖାଇବାକୁ ଦଉଡ଼ି ଆସନ୍ତି।
Also Read
ଏପରି ଆଉ ଏକ ଭୋଗ ଯାହା ଭକ୍ତର ମାନ ରଖିବାକୁ ଜଗନ୍ନାଥ ଖାଇବା ଆରମ୍ଭ କରିଥିଲେ। ତାହା ହେଲା ବାଳ ଭୋଗ। ମହାପ୍ରଭୁଙ୍କ ପାଖରେ ହେଉଥିବା ଭୋଗସବୁର ତାଲିକା କଲେ ସୀମିତ ଶବ୍ଦ ଭିତରେ ବର୍ଣ୍ଣନା ଅସମ୍ଭବ ହେବ। ମହାପ୍ରଭୁଙ୍କ ପାଇଁ ଏକ ବେଣ୍ଟ ମୁଆଁ ଭୋଗ ହୁଏ ଯାହା ପ୍ରାୟ କାର୍ତ୍ତିକ ମାସ ଆରମ୍ଭରେ ମିଳେ। ଏହା ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ। ଆପଣ ମଖାନା ଖାଇଥିବେ। ଏହା ଯେପରି ଏକ କଇଁଫୁଲର ମଞ୍ଜି ସେପରି ସାଧାରଣ ଭାବେ ମିଳୁଥିବା କଇଁ ମଞ୍ଜିକୁ ଶୁଖାଇ ଘିଅରେ ଭାଜି ଗୁଡ଼ରେ ପାଗ କରି ପ୍ରସ୍ତୁତ ହୁଏ ବେଣ୍ଟ ମୁଆଁ। ପୁରୀ ସନ୍ନିକଟ ସାକ୍ଷୀଗୋପାଳ ମନ୍ଦିରର ଛତୁଆ ମୁଆଁ ଓ ଲଡ଼ୁ ଭୋଗ ଅତିବ ସୁସ୍ୱାଦୁ।
ପୁରୀର ଖାଦ୍ୟ କଥା ଆସିଲେ କେତେକ ସ୍ୱତନ୍ତ୍ର ମିଠା ବିଷୟରେ ଆଲୋଚନା ନକରି ରହି ହେବନି। ଫେଣୀ ବା ଖଜା ବ୍ୟତୀତ ଗୁରୁନ୍ଦା, ସରପୁଳି, ଖୁଆ ମଣ୍ଡା, କଷ ଖୁଆ, ଛେନା ପାମ୍ପୁଡ଼ି, ପଟ୍ଟା ତାଡ଼ିଆ, ଲିଚି ରାବିଡ଼ି, ଖୁଆ ପୁର ଦେଇ ତିଆରି ମିଠା ସିଙ୍ଗଡ଼ା ଏପରି ଅନେକ ପ୍ରକାର ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମିଠା ରହିଛି ଯାହା ପ୍ରାୟ ଓଡ଼ିଶାର ଅନ୍ୟ କୌଣସି ଜାଗାରେ ମିଳେ ନାହିଁ। ତେବେ ଏହିସବୁ ଖାଦ୍ୟର ଇତିହାସ ଜାଣିବାକୁ ଚେଷ୍ଟା କଲେ କିନ୍ତୁ କୌଣସି ଲିଖିତ ତଥ୍ୟ ମିଳେ ନାହିଁ। କାରଣ ଏହାର ଆରମ୍ଭ କାହିଁ କେଉଁ କାଳରୁ। ପୁରୁଖା ଲୋକେ କୁହନ୍ତି ଯେବେଠୁ ଜଗନ୍ନାଥଙ୍କ ଭୋଗ ଆରମ୍ଭ ସେବେଠୁ ପୁରୀର ଖାଦ୍ୟ ସଂସ୍କୃତି ଆରମ୍ଭ। ତେଣୁ ପୁରୀର ଖାଦ୍ୟପେୟକୁ ନେଇ ଲିଖିତ ପ୍ରମାଣ ଖୁବ୍ କମ୍ ମିଳେ।
କ୍ଷୀରକୁ ଏକ ବଡ଼ ଚୁଲିରେ କଡ଼େଇରେ ବସାଯାଇ ଫୁଟାଯାଏ। ବାରମ୍ବାର ସର ପକାଯାଇ କଡ଼ା ଯାଏ। ମୋଟା ସରଟିକୁ ଏକ ସରୁ କାଠି ସାହାଯ୍ୟରେ କାଢ଼ି ପତ୍ରରେ ରଖି ସେଥିରେ ଖୁଆ ପୁର ଦେଇ ସର ପାମ୍ପୁଡ଼ି ଭାବେ ପରସାଯାଏ। ଏହା ପରେ ଯେଉଁ ପତଳା ସରର ଆସ୍ତରଣ ଜମେ ତାହାକୁ ଚାରି ଚଉତ କରି ଏକ ଓଳିରେ ଥିବା କ୍ଷୀର ଉପରେ ରଖି ଦିଆଯାଏ ଯାହାର ନାମ ଗୁରୁନ୍ଦା। ଏହା ଅତ୍ୟନ୍ତ ପୁଷ୍ଟିକର ଓ ସୁସ୍ୱାଦୁ ହୋଇଥାଏ। ଆପଣ ପୁରୀର ମନ୍ଦିର ଚାତୁର୍ପାର୍ଶ୍ୱରେ ଗଳିଗୁଡ଼ିକରେ ସ୍ଥାନେ ସ୍ଥାନେ ଯେଉଁ ବି ମିଷ୍ଟାନ୍ନ ଭଣ୍ଡାରକୁ ଯିବେ ଏପରି କଡ଼େଇ ବସାଇ କ୍ଷୀରରୁ ରାବିଡ଼ି ଓ ଖୁଆ ପ୍ରସ୍ତୁତ ହେଉଥିବାର ଦେଖିପାରିବେ। କ୍ଷୀରକୁ ଅଳ୍ପ ଆଞ୍ଚରେ ବସାଇ ମାରି ମାରି ଶେଷରେ ରାବିଡ଼ି ଓ ଖୁଆ ପ୍ରସ୍ତୁତ ହୁଏ। ଖୁଆ ନରମ ଓ ଧଳା ଥିବା ଅବସ୍ଥାରେ ଏହାକୁ କଷଖୁଆ କୁହାଯାଏ। ଏହାକୁ ଆହୁରି ମରାଗଲେ ଏହା ଇଷତ୍ ଖଇରିଆ ରଙ୍ଗର ହୋଇଥାଏ। ଏହାପରେ ଏଥିରୁ ଲଡ଼ୁ ପ୍ରସ୍ତୁତ ହୁଏ ଯାହାକୁ ଖୁଆ ମଣ୍ଡା କୁହନ୍ତି।
ଆଉ ଏକ ଅତିବ ସ୍ୱାଦିଷ୍ଟ ମିଠା ହେଲା ପଟ୍ଟା ତାଡ଼ିଆ। ଆପଣ ତାଡ଼ିଆ ଖାଇଥିବେ। ଛେନାକୁ ପୁରି ପରି ଆକୃତିର କରି ଛଣା ଯାଇଥାଏ ଏବଂ ଚିନି ଦେଇ ପରସା ଗଲେ ଏହା ପଟ୍ଟ ତାଡ଼ିଆ କୁହାଯାଏ। ଏହା ସହ ଡାଲେମା ଖୁବ୍ ଜମେ। ରାବିଡିରେ ଲିଚୁକୋଳି ପଡ଼ି ଲିଚି ରାବିଡ଼ି ପ୍ରସ୍ତୁତ ହୁଏ। ଆପଣ ବିଭିନ୍ନ ପ୍ରକାର ଇଟିଲି ଖାଇଥିବେ। ତେବେ ପୁରୀର ପ୍ରସିଦ୍ଧ ଛେନା ଇଟଲି ଥରେ ଖାଇବେ। ଇଟଲି ଛାଞ୍ଚରେ ଛେନାକୁ ରଖି ପ୍ରସ୍ତୁତ ହୋଇ ଏହା ଉପରେ କାଜୁ କିମ୍ୱା ଖୁଆରେ ସଜାଇ ପରସା ଯାଏ। ଏହା ଅତ୍ୟନ୍ତ ସୁସ୍ୱାଦୁ ଲାଗେ।
ଆପଣ ଛେନାରେ ପ୍ରସ୍ତୁତ କେତେ ପ୍ରକାର ମିଠା ଖାଇଛନ୍ତି? ଛେନାଗଜା, ରସଗୋଲା ଏପରି କିଛି ଖାଇଥିବେ। ଆମ ପୁରୀରେ ଏହା ସହ ଆହୁରି ଅନେକ ରକମର ଛେନାରୁ ପ୍ରସ୍ତୁତ ମିଠା ମିଳେ ଯେପରିକି ଚମ୍ ଚମ୍, ଛେନା କଟା, ପାପୁଡ଼ି ଖଜା, ଛେନାଖଇ ଇତ୍ୟାଦି। ଚମ୍ ଚମ୍ ଛୋଟ ଛୋଟ ଛେନା କାଟି ଛାଣି ଏହାକୁ ଶିରାରେ ପକାଇ ପ୍ରସ୍ତୁତ ହୁଏ। ଏହା ସହ କ୍ଷୀର ସାଗର ଏକ ବହୁଳ ବ୍ୟବହୃତ ମିଠା ଯାହା ପୁରୀର ପ୍ରାୟ ଭୋଜିଭାତରେ ପରଶା ଯାଏ। ଆପଣ ପୁରୀ ଆସିଯଦି ଜଗନ୍ନାଥ ବଲ୍ଲଭ ଏବଂ ମଗଜ ଲଡ଼ୁ ଖାଇନାହାନ୍ତି ତେବେ ସବୁ ବୃଥା। ଅଟା ଓ ଚିନିରେ ଅଳେଇଚ ଗୋଲମରିଚ ଆଦି ମସଲା ଦେଇ ପାଗ ହୋଇ ମଗଜ ଲଡ଼ୁ ଓ ଜଗନ୍ନାଥ ବଲ୍ଲଭ ପ୍ରସ୍ତୁତ ହୁଏ।
କେବଳ ମିଠା ନୁହେଁ, ପୁରୀର ଆଉ କିଛି ପ୍ରସିଦ୍ଧ ଖାଦ୍ୟ ହେଲା ଡାଲେମା, କାନିକା, ଘି- ଅନ୍ନ, ଝଡ଼ା ବେସର, ଅଦା ହେଙ୍ଗୁ ଖେଚୁଡ଼ି ଇତ୍ୟାଦି। ଆମ ମହାପ୍ରଭୁ ମଧ୍ୟ ଏସବୁ ଖାଆନ୍ତି। ମୁଗ, ଚାଉଳ, ଅଦା, ହେଙ୍ଗୁ ଓ ନଡ଼ିଆ ପକାଇ ପ୍ରସ୍ତୁତ ଖେଚୁଡ଼ିର ବାସ୍ନାରେ ପେଟ ପୁରିଯାଏ। ଏହି ଖେଚୁଡ଼ି ଆମ ଜଗା ସକାଳୁ ଖାଏ। ଡାଲମାରେ ଗୋଲମରିତ, ପାନମହୁରୀ ଆଦି ମସଲା ଦେଇ ହେଉଥିବା ମସଲା ଡାଲମା ସହ କାନିକା ଖାଇଲେ ଆପଣ ବିରିୟାନି ଭୁଲିଯିବେ। ପୁରୀର ଷ୍ଟ୍ରିଟ୍ ଫୁଡ୍ ଭାବେ ପ୍ରସିଦ୍ଧ ମଟରସୁପ୍, ପାପୁଡ଼ି ଚାଟ୍, ଝାଲମୁଢ଼ି, ସୋଲା ନଡ଼ିଆ ବା ଜୁଆନ କଷ (କଳା ବୁଟ ସିଝାରେ ନଡ଼ିଆ ଦେଇ ପ୍ରସ୍ତୁତ ଚାଟ୍ ପରି) ଚନ୍ଦନ ଯାତ୍ରାର ପାମ୍ପଡ଼ ଭଜା, ନିମିକି ଇତ୍ୟାଦି ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ।
ଆପଣ ସର୍ବଦା ପିଉଥିବା ଲସି କିପରି ପ୍ରସ୍ତୁତ ହୁଏ। ଦହି, ବରଫ ସହ ଚିନି ପଡ଼ି ଗ୍ରାଇଣ୍ଡିଂ ହୁଏ ଏହାର ଉପରେ ନଡ଼ିଆ ଓ ବର୍ନ ବିଟା ଦେଇ ପରସା ଯାଏ। କିନ୍ତୁ ଆପଣ ପୁରୀରେ କେବେ ଲସି ପିଅନ୍ତୁ। ଜାଣିବେ ଏହା ସେ ଲସିରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ରାବିଡ଼ି ପଡ଼ି ଦହିକୁ ଏକ ପାରମ୍ପାରିକ ହାଣ୍ଡିରେ ଫେଣ୍ଟାଯାଏ। ଘରେ ଦହିଘୋରା ଚରଖା ପରି ଏକ ଚରଖା ଏକ ମେସିନ୍ ସହ ସଂଯୁକ୍ତ ଥାଏ ଏବଂ ଏହା ସାହାଯ୍ୟରେ ଦହି ରାବିଡ଼ି ବରଫ ପକାଇ ଭଲରେ ମିଶାଯାଏ। ଏହା ଉପରେ ଖୁଆ ପକାଇ ପରସା ଯାଏ। ଏହାର ସ୍ୱାଦ ଅନନ୍ୟ। ଆପଣ ଏହାକୁ ପିଇଲେ ହିଁ ସ୍ୱାଦ ଜାଣିବେ। ଏହା ସହ ଖରାଦିନେ ପୁରୀ ଆସି କୋଲଡ୍ରିଙ୍କସ୍ ବଦଳରେ ଯଦି କିଛି ସ୍ୱାସ୍ଥ୍ୟକର ପିଇବାକୁ ଚାହୁଁଛନ୍ତି ତେବେ ହାତପାଣି ପିଅନ୍ତୁ। ମିଶ୍ରି ପାଣିରେ ନାଣ୍ଡିବଗୁଲି ମଞ୍ଜି, ପାନ ମହୁରୀ, ଜାଇଫଳ ଆଦି ପକାଯାଇ ପ୍ରସ୍ତୁତ ଏହି ପାଣି ପେଟ ଥଣ୍ଡା ରଖେ।
ଆପଣ ବଜାରରୁ କ୍ୟାସ୍ୟୁ ବା କାଜୁ କିଣି ଆଣୁଥିବେ। କିନ୍ତୁ କେବେ ଏହି କାଜୁ ତରକାରି ଖାଇଛନ୍ତି। ପୁରୀରେ ନୂଆ ନୂଆ କାଜୁ ମଞ୍ଜି ବା ଲଙ୍କା ଆମ୍ବ ମଞ୍ଜି ଉତ୍ପାଦନ ପରେ ଏହାକୁ ପରିବା ପରି ଧରି ଦାଣ୍ଡରେ ବିକିବାକୁ ବସନ୍ତି ବୁଲା ବିକାଳିମାନେ। କଞ୍ଚା କାଜୁ ମଞ୍ଜିକୁ ପୋଟଳ, ଆଳୁ, ଇତ୍ୟାଦି ସହ ରାନ୍ଧି ପ୍ରସ୍ତୁତ ତରକାରିର ସ୍ୱାଦ ଚିକେନ୍ କି ମଟନ୍ ଦେବ ନାହିଁ।
ପୁରୀର ଖାଦ୍ୟପେୟକୁ ଏତେ କମ୍ ଶବ୍ଦ ଭିତରେ ଆଲୋଚନା କରିବା ସମ୍ଭବ ନୁହେଁ। ଆମ କାଳିଆ ଠାକୁର ତ କେତେ କଣ ଦରବ ଖାଇବାକୁ ଭଲ ପାଆନ୍ତି। ଆମେ ପୁରୀ ଲୋକ ସେଥିରୁ ବାଦ୍ ଯିବୁ କେମିତି। ତେବେ ଶ୍ରୀମନ୍ଦିର ରୋଷଶାଳାର ପାକ ପଦ୍ଧତି ଅନନ୍ୟ। ଅତ୍ୟନ୍ତ ସ୍ୱାସ୍ଥ୍ୟକର ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ପାକମାନଙ୍କର ସ୍ୱାଦ ଅନନ୍ୟ। ଦେଶୀ ମସଲା ଓ ଘିଅରେ ପ୍ରସ୍ତୁତ ହୁଏ ଆମ ଜଗା ପାଇଁ ଖାଇବା। ତେବେ ସେସବୁ ଆଉ କେବେ ଆଲୋଚନା କରିବା। ଏବେ ପୁରୀର ଖାଦ୍ୟପେୟ ବିଷୟରେ ସମ୍ୟକ୍ ଧାରଣା ହୋଇଯାଇଥିବ ଆପଣଙ୍କର ନିଶ୍ଚୟ। ଏହା ସହ ଆଉ ଥରେ କେବେ ଆମ ଜଗାର ଖାଇବା ସହ କିଛି ଇତିହାସ କଥା କହିବି। ତେବେ ଆମେ ସଚେତନ ନ ହେଲେ ଆମ ଖାଦ୍ୟପେୟର ପ୍ରଚାର ହେବ ନାହିଁ। ଆମେ ସ୍ଥାନୀୟ ଖାଦ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରଦର୍ଶନୀ ଓ ମେଳା ଆଦି ଆୟୋଜନ କରିବା ସହ ଇଣ୍ଟରନେଟ୍ ତଥା ସୋସିଆଲ ମିଡ଼ିଆ ଯୁଗରେ ଏହାର ପ୍ରସାର ପାଇଁ ଯୁବପିଢ଼ି ଯତ୍ନବାନ୍ ହେବା ଜରୁରୀ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)