• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୯୭୧ ମସିହାରେ ଭାରତ ଓ ପାକିସ୍ତା ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ଯବାନ ମାନେ ନିଜର ବୀରତ୍ୱ ଦେଖାଇପାକିସ୍ତାନକୁ ପରାଜୟ କରିଥିଲେ । ଯୁଦ୍ଧରେ ସାମିଲ ହୋଇ ନିଜର ଅଦମ୍ୟ ସାହସ ଦେଖାଇଥିଲେ ଭାରତର ଶହ ଶହ ବୀର ଯବାନ । ଆଉ ଏହି ଯୁଦ୍ଧରେ ସାମିଲ ହୋଇ ନିଜର ପରାକାଷ୍ଠା ଦେଖାଇଥିଲେ କନ୍ଧମାଳ ଜିଲ୍ଲା ଗୁଂଜିବାଡି ଗ୍ରାମର ଟଙ୍କଧର ବିଶୋୟୀ । ଯୁଦ୍ଧରେ ସିନା ଭାରତକୁ ବିଜୟ କରିବାରେ ନିଜର ଶକ୍ତି ଜୁଟାଇଲେ ହେଲେ ଅବସର ପରେ ତାଙ୍କୁ ସରକାରଙ୍କ ତରଫରୁ ମିଳିଲାନି ସୁବିଧା ସୁଯୋଗ । ଏଥି ପାଇଁ ଯୁଦ୍ଧରୁ ଫେରି ଏବେ ବି ଅସହାୟ ଜୀବନ ଜିଉଁଥିବା କହିଛନ୍ତି ପୂର୍ବତନ ଯବାନ ଟଙ୍କଧର ବିଶୋୟୀ ।

ଟଙ୍କଧର ବିଶୋୟୀ ...ବୟସ ସିନା ଗଢି ଯାଇଛି, ହେଲେ ମନରେ ଏବେ ବି ଭରି ରହିଛି ଦେଶ ପାଇଁ ଲଢିବାର ଶକ୍ତି । ସୈନ୍ୟବାହିନୀରେ ନିଜର ପରାକାଷ୍ଠା ଦେଖାଇଥିବାରୁ ସରକାରଙ୍କ ତରଫରୁ ତାଙ୍କୁ ମିଳିଛି ଅନେକ ମେଡାଲ । ଯାହା କି ତାଙ୍କ ଛାତିରେ ଏବେ ବି ଝଲସୁଛି । ଦୀର୍ଘ ବର୍ଷ ଧରି ଭାରତ ମାତାର ସେବା କରିବା ପରେ ଅବସର ନେଇ ଏବେ ସେ ଘରେ ସମୟ ବିତାଉଛନ୍ତି । ତାଙ୍କ ପାଖକୁ ଗଲେ କିଭଳି ଓ କେଉଁ ପରିସ୍ଥିତିରେ ପାକିସ୍ତାନ ସେନାଙ୍କୁ ଧୂଳି ଚଟାଇଥିଲେ, ସେହି ବୀରତ୍ୱର ଗାଥା ଶୁଣାଉଛନ୍ତି । ଯେତେବେଳେ ଯୁଦ୍ଧ ଘୋଷଣା ହୋଇଥିଲା, ସେହି ସମୟରେ ଟଙ୍କଧର ସାଥି ଯବାନଙ୍କ ସହ ପାକିସ୍ତାନ ସୀମା ଭିତରକୁ ଯାଇ ଯୁଦ୍ଧ କରିଥିଲେ । ଶତ୍ରୁକୁ ମାରିବା ନଚେତ ନିଜ ଦେଶ ପାଇଁ ଜୀବନ ଦେବା । ଏହା ହିଁ ଥିଲା ତାଙ୍କର ଲକ୍ଷ୍ୟ ।

ଦେଶ ମାତୃକାର ସେବା କରି ସାରି ଅବସର ନେବା ପରେ ତାଙ୍କୁ ଆଜି ଯାଏ ମିଳିଥିବା ପ୍ରତିଶ୍ରୃତି ପାଣିର ଗାର ହୋଇ ରହିଯାଇଛି । ସରକାରଙ୍କ ତରଫରୁ ତାଙ୍କୁ ୫ ଏକର ଜମି ଯୋଗାଇ ଦେବାର ଆଶ୍ୱାସନ ମିଳିଥିଲା । ଏ ନେଇ ନିଜ ଗାଁରେ ପ୍ରଶାସନ ତରଫରୁ ଜମି ମଧ୍ୟ ଚିହ୍ନଟ ହୋଇଥିଲା । ହେଲେ ଆଜି ଯାଏ ତାଙ୍କୁ ସେହି ଜମିର ମାଲିକାନା ପ୍ରଦାନ କରାଯାଇ ନାହିଁ । ଏ ଅଭିଯୋଗ ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦଉଡିବା ପରେ ତାଙ୍କୁ ସେ ଜମି ଆଉ ମିଳି ପାରିବନାହିଁ ବୋଲି ସଫା ସଫା ଶୁଣାଇଛନ୍ତି । ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ ହେଲେ ସେହି ମାଟି ପାଇଁ ହାରି ଯାଇଛନ୍ତି ଟଙ୍କଧର । ଆଉ ଏବେ ସେ ରୋଗରେ ପଡି ହୀନସ୍ଥା ହେଉଛନ୍ତି । ଯାହା ତାଙ୍କୁ ପେନସନ ମିଳୁଛି, ସେଥିରେ ସେ ଚିକିତ୍ସା ହେଉଛନ୍ତି । ସରକାରଙ୍କ ତରଫରୁ ଯେଉଁ ଆଶା ଥିଲା, ତାହା ନମିଳିବା ପରେ ତାଙ୍କ ଜୀବନରେ ଅବଶୋଷ୍ ରହିଗଲା ବୋଲି କହିଛନ୍ତି ।

ଭାରତ ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇ ବିଜୟୀ ହୋଇଥିବା ନେଇ ଟଙ୍କଧରଙ୍କ ପତ୍ନୀ ଓ ପୁଅ ତାଙ୍କୁ ନେଇ ଖୁବ ଗର୍ବ କରନ୍ତି । ହେଲେ ଅବସର ପରେ ସରକାରଙ୍କ ତରଫରୁ ଯେଉଁ ସବୁ ସୁବିଧା ସୁଯୋଗ ମିଳିବା କଥା ତାହା ମିଳିନଥିବା ଯୋଗୁଁ ସେମାନଙ୍କ ମନରେ ଅସନ୍ତୋଷ ଥିବା ପତ୍ନୀ ଓ ପୁଅ କହିଛନ୍ତି ।

  • Reported by:
  • Ajit Kumar Nayak