• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ଚଳିତବର୍ଷ ବାଲିଯାତ୍ରା ପଡିଆରେ ଲୋକଙ୍କୁ ମିଳିବ ଏକ ନିଆରା ଅନୁଭୂତି । ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ । କଳା, ଧଳା, ନାଲି, ହଳଦିଆ, ଛାପିଛାପିକା ମାଛ ସାଂଗକୁ ଛୋଟ ସାର୍କ, ଜେଲି ଫିସ ଆଉ କେତେ କଣ । କଟକ ବାଲିଯାତ୍ରା ପଡିଆରେ କରାଯାଇଥିବା ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ୨୦୦ ଫୁଟ ଲମ୍ବ, ୬୦ ଫୁଟ ଚଉଡ଼ା । ଏହି ଟନେଲରେ ରହିଛି ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ । ଟନେଲରେ ପଶିଲେ ଆପଣଙ୍କୁ ଲାଗିବ ଯେମିତି ସମୁଦ୍ର ଭିତରେ ଆପଣ ଚାଲି ଚାଲି ଯାଉଛନ୍ତି । ତେବେ ଏହି ଟନେଲ ଫିସ୍ ଆକ୍ୱାରିୟମକୁ ନେଇ ଦର୍ଶକଙ୍କ ମିଳିଛି ମିଶ୍ରିତ ପ୍ରତିକ୍ରିୟା ।

କେବଳ ଯେ ଏହି ଅଣ୍ଡର ୱାଟର ଟନେଲ ଆକ୍ୱାରିୟମ ଭିତରେ ମାଛ ଅଛନ୍ତି, ତାନୁହେଁ ବରଂ ଫଟୋ ସେସନ୍ ପାଇଁ ବଡ ବଡ ହାତୀ ପ୍ରତିମୂର୍ତ୍ତି ବି ରହିଛି । ଲୋକେ ବୁଲି ବୁଲି ମାଛ ଦେଖିବା ସହ ହାତୀ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇ ଫଟୋ ବି ଉଠାଉଛନ୍ତି । ଏହି ଟନେଲ ଆକ୍ୱାରିଅମକୁ ଉଦଘାଟନ କରିଛନ୍ତି ସିଏମସି ମେୟର ସୁବାଷ ସିଂ । ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ ।

  • Reported by:
  • Biswajit Acharya