• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୂଜା ବଜାରରେ ଅସମ୍ଭାଳ ଟ୍ୱିନସିଟିରେ ଟ୍ରାଫିକ ବ୍ୟବସ୍ଥା । ମ୍ୟାନେଜମେଣ୍ଟରେ ଫେଲ୍ କମିଶନରେଟ ପୋଲିସ, କଲବଲ ହେଉଛନ୍ତି ଜନତା । ସଂଧ୍ୟା ସମୟର ଚିତ୍ର ଦେଖିଲେ ଲାଗିବ ଯେମିତି ପୂଜା ପାଇଁ ପୋଲିସ୍‌ର ବୋଧେ ଏଯାଏଁ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।

ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ଶନିବାର ସଂଧ୍ୟା ସାଢେ ୬ଟା ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ ତଳ ରାସ୍ତା ପ୍ରବଳ ଜାମ୍ । ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଫସିରହିଥିଲା । ଡ୍ରାଇଭର୍‌ ହର୍ଣ୍ଣ ମାରି ମାରି ହାଲିଆ ହେଲେ ବି ବାଟ ପୂରା ଜାମ୍‌ । ୧ କିଲୋମିଟର ବାଟ ଅତିକ୍ରମ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଯାଉଛି ।

ସହିଦନଗର ରୂପାଲି ଛକର ଚିତ୍ର ମଧ୍ୟ ସମାନ । ଟ୍ରାଫିକ୍ ଜାମ୍‌ରେ ଫସିଛନ୍ତି ଖୋଦ୍ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଜୟଦେବବିହାର-ପଟିଆ ରାସ୍ତା ହେଉ କି କଟକ ରୋଡ୍ ଅବା କଳ୍ପନା-ରବିଟକିଜ୍ ରାସ୍ତା, ଯୁଆଡେ ଯିବେ ସିଆଡ଼େ ନାକେଦମ୍ ହେବାକୁ ପଡୁଛି । ମଣ୍ଡପ ବୁଲିବାକୁ ଇଛା ଥିଲେ ବି ଲୋକେ ଆଉ ଡରରେ ଘରୁ ବାହାରୁ ନାହାନ୍ତି । ଲାଗୁଛି ଯେମିତି କମିଶନରେଟ୍ ପୋଲିସ ପୂଜାରେ ଗାଡ଼ି ଭିଡ଼ କଥା ଭୁଲି ହିଁ ଯାଇଛି ।

ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ନିଜେ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ସହର ଭିତରକୁ ଭାରିଯାନ ପ୍ରବେଶ କଟକଣା ସହ ପୁରୀ ଭୁବନେଶ୍ୱର ବସ୍ ରୁଟ୍ ବି ବଦଳିଛି । ଭଷାଣି ଯାଏଁ ଟ୍ରାଫିକ ମ୍ୟାନେଜମେଣ୍ଟ ଦାୟିତ୍ୱରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି, ହେଲେ ସ୍ଥିତିରେ କିଛି ସୁଧାର ନାହିଁ ।

ଦୁର୍ଗାପୂଜା ପାଇଁ ବାଉନ ବଜାର ତେପନ ଗଳିର ସହର କଟକରେ ନାହିଁ ନଥିବା ଭିଡ । ମାଆଙ୍କ ସୁନା-ଚାନ୍ଦି ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ହେଲେ ଟ୍ରାଫିକ୍ ଅବସ୍ଥା ଏଠି ପୁରା ବେହାଲ୍ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ଆଜିଠୁ ୫ ତାରିଖ ଯାଏଁ ସହରରେ ଲାଗିଛି କଟକଣା । ଅତ୍ୟଧିକ ଭିଡ଼ ରହୁଥିବା ରୁଟରେ ଯାନବାହନ ଚଳାଚଳ ବି ନିଷେଧ କରାଯାଇଛି । ଏମିତିକି ୪୪ଟି ଟ୍ରାଫିକ ଏଡ୍ ପୋଷ୍ଟ ସହ ଲାଗୁ ହୋଇଛି ୱାନ ୱେ ଟ୍ରାଫିକ୍‌ ବ୍ୟବସ୍ଥା । ସହରର ଗତିବିଧିକୁ ଜଗିିଛି ୩ଶହରୁ ଅଧିକ ସିସିଟିଭି । ହେଲେ ମୁଖ୍ୟ ରାସ୍ତା ଗୁଡ଼ିକରେ ସ୍ଥିତି ଏଭଳି ହୋଇଛି ଯେ, ଅଧ କିଲୋମିଟର ବାଟକୁ ଦୁଇଘଣ୍ଟା ଲାଗୁଛି ।

ଆଗକୁ ପୂଜା ଆହୁରି ୩ଦିନ ବାକି ଥିବାବେଳେ ଭସାଣି ଉତ୍ସବ ରହିଛି । ତେଣୁ ଏବେଠୁ କମିଶନରେଟ୍ ପୋଲିସ୍ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିକ କରିବାକୁ ଦାବି ହେଉଛି ।

(ରିପୋର୍ଟ- ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ, କଟକରୁ ଦେବାଶିଷ ମହାନ୍ତି ଓ ପ୍ରଭାତ ବିଷୋୟୀ)