Advertisment

Mahakumbh 2025: ବରଦାନ ନୁହେଁ ଅଭିଶାପର ପରିଣାମ କୁମ୍ଭମେଳା

ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
Know About The Kumbh Mela Origin Story How Samudra Manthan Unveiled.

Mahakumbh Mela

ତୀର୍ଥନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ଆସ୍ଥା ଓ ବିଶ୍ୱାସର ମହାପର୍ବ ପବିତ୍ର ମହାକୁମ୍ଭ । ଉତ୍ତର ପ୍ରଦେଶର ଏହି ଧାର୍ମିକ ସହରରେ ଦେଶ ବିଦେଶରୁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ସାରା ବିଶ୍ୱକୁ ଭାରତୀୟ ପରମ୍ପରାର ଓ ଏକତାର ଏକ ଭିନ୍ନ ବାର୍ତ୍ତା ଦେଉଛି । ମହା ଶିବରାତ୍ରୀ ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନରେ ପ୍ରାୟ ୧ କୋଟି ୬୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି । ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ବରଫ ଭଳି ଥଣ୍ଡା ପାଣି ସତ୍ତ୍ୱେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଥିଲା। ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି। ପୌରାଣିକ ମାନ୍ୟତା ଅନୁସାରେ ମହାକୁମ୍ଭର ଆୟୋଜନ ଅମୃତ କଳସ ଅନୁସନ୍ଧାନର ପରିଣାମ, ହେଲେ ଏ କାହାଣୀ ପଛରେ ରହିଛି ଗୁଢ଼ ରହସ୍ୟ ।

Advertisment

ଦେବତାଙ୍କୁ ମିଳିଥଲା ଅଭିଶାପ

ଆଜି କୋଟି କୋଟି ଶ୍ରଦ୍ଧାଳୁ ଯେଉଁ ଆଧ୍ୟାତ୍ମିକତାର ପବିତ୍ର କୁଣ୍ଡରେ ବୁଡ଼ ପକାଉଛନ୍ତି, ତାହାର ପରମ୍ପରା ପଛରେ ରହିଛି ଗହନ ରହସ୍ୟ । ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

ସ୍କନ୍ଧପୁରାଣରେ ବର୍ଣ୍ଣିତ ଗାଥା

ପୌରାଣିକ ଗାଥା ଅନୁସାରେ ଏହି ପରମ୍ପରା ପଛରେ ରହିଛି ଜଣେ ଋଷିଙ୍କ ଅଭିଶାପ । ଦେବଲୋକରୁ ଉତ୍ପନ୍ନ ଏହି ପରମ୍ପରାର ଧାରା କେବଳ ମାନବିକତାର ଗୁଣ ଧାରଣ କରେନାହିଁ ବରଂ ଏହା ନୈତିକତା ଓ ଶିକ୍ଷାର ଏକ ଆଧାର ଅଟେ । କୁମ୍ଭମେଳାର ଏ କାହାଣୀକୁ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି । କାହାଣୀ ଅନୁସାରେ, ସେତେବେଳେ ସ୍ୱର୍ଗର ରାଜଧାନୀ ଅମରାବତୀ ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା । ସମସ୍ତେ ଖୁସିରେ ବାସ କରୁଥିଲେ । ଦେବତା ଓ ଅସୁର ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦେବତା ବିଜୟୀ ହେବାପରେ ଦେବଲୋକବାସୀ ଖୁସିରେ କାଳିତିପାତ କରୁଥିଲେ ।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ..

ସ୍ୱର୍ଗ ଉପରେ ଆସନ୍ନ ବିପତ୍ତି

ସ୍ୱର୍ଗରେ ସବୁବେଳେ ସୁଖ ହିଁ ସୁଖ। ଦୁଃଖର ଲେଶମାତ୍ର ନାହିଁ, ଅନିନ୍ଦ୍ୟ ସୁନ୍ଦରୀ ଅପସରାଙ୍କ ସାନ୍ନିଧ୍ୟ, ସୁସ୍ୱାଦୁ ସୋମରସ ଓ ଚିର ଯୌବନତ୍ୱର ନିଶ୍ଚିତତା. . . ଚାରିଆଡ଼଼େ ସୁଗନ୍ଧିତ ଫୁଲର ବାସ୍ନା... ଚାରି ଦିଗରେ ମଳୟ ପବନ ନୂତନ ସଙ୍ଗୀତର ଗାନ କରୁଥିଲା । ମୋଟ ଉପରେ ସ୍ୱର୍ଗରେ ଦେବଲୋକ ଗଣ ପ୍ରସନ୍ନ ଚିତ୍ତରେ ଜୀବନ ନିର୍ବାହ କରୁଥିଲେ । ହେଲେ ବିଳାସବ୍ୟସନରେ ମାତି ରହି ଧୀରେ ଧୀରେ ଦେବତାମାନେ ନିଜ କର୍ତ୍ତବ୍ୟ କଥା ଭୁଲିଯାଇଥିଲେ ।

ଅଭିମାନୀ ହୋଇଯାଇଥିଲେ ଦେବରାଜ ଇନ୍ଦ୍ର

ଏସବୁ ପଛର କାରଣ ଥିଲା ଦେବତା ଓ ଅସୁରଙ୍କ ସେହି ଯୁଦ୍ଧ, ଯେଉଁଥିରେ ଦେବରାଜ ଇନ୍ଦ୍ର ବିଜୟୀ ହୋଇଥିଲେ । ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କ ସହାୟତାରେ ଯୁଦ୍ଧରେ ବିଜୟୀ ହୋଇଥିଲେ ସୁଦ୍ଧା ତାଙ୍କ ମନ ଆତ୍ମସ୍ପର୍ଦ୍ଧାରେ ଭରିଯାଇଥିଲା । ଦେବଲୋକ ଉପରେ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ଭାବି ନେଇଥିଲେ । ଏଥିପାଇଁ ସୋମରସରେ ମସଗୁଲ ଥିବା ଦେବତା ଆଉ କାହାକୁ ମାନୁନଥିଲେ । ଫଳରେ ବ୍ରହ୍ମାଣ୍ଡର ସନ୍ତୁଳନ ପୁଣି ଥରେ ଖରାପ ହେବାକୁ ଲାଗିଲା ।

ଇନ୍ଦ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଋଷି ଦୁର୍ବାସା

ଦେବଗଣ ବିଳାସବ୍ୟସନରେ ମାତି ରହିଥିବା ଦେଖି ଋଷି ଦୁର୍ବାସା ଦେବରାଜ ଇନ୍ଦ୍ରଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଅନ୍ୟପଟେ ସପ୍ତଋଷି ମଧ୍ୟ ସ୍ୱର୍ଗର ସ୍ଥିତି ଦେଖି ଚିନ୍ତାରେ ପଡ଼ିଥିଲେ । ସନ୍ତୁଳନ ବିଗିଡ଼ିବାର ଆଶଙ୍କା କରି ଋଷି ଦୁର୍ବାସା ଏକ ବୈଠକ ଡକାଇଥିଲେ, ଯେଉଁଥିରେ ଦେବରାଜ ଇନ୍ଦ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ରାସ୍ତାରେ ଭେଟ ହୋଇଥିଲେ ନାରଦ ମୁନି

ଋଷି ଦୁର୍ବାସା, ଦେବରାଜ ଇନ୍ଦ୍ରଙ୍କ ଅଭିମାନ ସମ୍ପର୍କରେ ଅଳ୍ପବହୁତେ ଜାଣିଥିଲେ । ତଥାପି ସଙ୍କଟ ସମ୍ପର୍କରେ ଅବଗତ କରାଇଲେ ସେ ବୁଝିବେ ବୋଲି ଚିନ୍ତା କରିଥିଲେ । ଋଷି ଦେବରାଜଙ୍କୁ ବୁଝାଇବା ପାଇଁ ଯାଉଥିବା ବେଳେ ରାସ୍ତାରେ ଭେଟ ହୋଇଥିଲେ ନାରଦ ମୁନି । ତାଙ୍କ ହସ୍ତରେ ଥାଏ ଏକ ବୈଜୟନ୍ତୀ ପୁଷ୍ପ ମାଳ, ଯାହାର ସୁଗନ୍ଧ ତିନି ଲୋକକୁ ବ୍ୟାପି ଯାଉଥିଲା । ନାରଦ ମୁନି ଋଷ ଦୁର୍ବାସାଙ୍କ ଜିଜ୍ଞାସା ସମ୍ପର୍କରେ ଜାଣିବା ପରେ ଖୁସିରେ ପାଖରେ ଥିବା ମାଳାକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଋଷି ଦୁର୍ବାସା ମଧ୍ୟ ଦେବରାଜ ଇନ୍ଦ୍ରଙ୍କୁ ଦେବା ପାଇଁ ଉପହାରକୁ ଗ୍ରହଣ କରିନେଇଥିଲେ ।

ସ୍ୱର୍ଗରେ ଋଷିଙ୍କର ଅପମାନ

ଉପହାର ଦେଖି ଦେବରାଜ ଇନ୍ଦ୍ର ଖୁସିରେ ଗଦଗଦ ହୋଇଯିବେ ବୋଲି ଚିନ୍ତା କରି ସ୍ୱର୍ଗଲୋକ ଅଭିମୁଖେ ବାହାରି ପଡ଼ିଥିଲେ ଋଷି ଦୁର୍ବାସା । ହେଲେ ସ୍ୱର୍ଗରେ ପହଞ୍ଚିବା ପରେ ଇନ୍ଦ୍ରଙ୍କ ଅଭିମାନ ସମ୍ପର୍କରେ ଜାଣିପାରିଥିଲେ । ଦ୍ୱାରପାଳକୁ ସୂଚନା ଦେବାପରେ ମଧ୍ୟ ଋଷିଙ୍କୁ ପାଛୋଟି ନେବାଲାଗି ପହଞ୍ଚିନଥିଲେ ଦେବରାଜ ।

ଅନେକ ସମୟ ପରେ ସଭାରେ ପହଞ୍ଚି ଋଷି ଦେଖିଲେ ସଭାରେ ସମସ୍ତେ ଆମୋଦ ପ୍ରମୋଦରେ ମାତିଛନ୍ତି । ଦେବରାଜ ଇନ୍ଦ୍ର ଔପଚାରିକ ଭାବରେ ଋଷିଙ୍କୁ ଦେଖି ପ୍ରଣାମ କରିଥିଲେ । ତଥାପି ଋଷି ଆଶୀର୍ବାଦର ହାତ ବଢ଼ାଇ ଦେବରାଜ ଇନ୍ଦ୍ରଙ୍କୁ ସାଥୀରେ ଆଣିଥିବା ପୁଷ୍ପମାଲ୍ୟ ଭେଟି ଦେଇଥିଲେ । ହେଲେ ଅଭିମାନବଶତଃ ଦେବରାଜ ଇନ୍ଦ୍ର ପୁଷ୍ପମାଳାକୁ ଐରାବତ ବେକରେ ଗଳେଇ ଦେଇଥିଲେ ଆଉ ଐରାବତ ଗଳାରୁ ଟାଣି ତାକୁ ପାଦରେ ଦଳିଦେଇଥିଲା । ନିଜ ଉପହାରର ଅପମାନ ଦେଖି କ୍ରୋଧରେ ଜର୍ଜରିତ ହୋଇଯାଇଥିଲେ ଋଷି ଦୁର୍ବାସା ।

ଦେବତାଙ୍କୁ ଅଭିଶାପ ଦେଇଥିଲେ ଋଷି 

ଋଷି ଦୁର୍ବାସା ଭୀଷଣ କ୍ଷଣକୋପୀ ଥିଲେ । ହେଲେ ଜଗତର ହିତ ଦୃଷ୍ଟିରୁ ସେପର୍ଯ୍ୟନ୍ତ ଚୁପ ଥିଲେ । ଦେବରାଜ ଇନ୍ଦ୍ରଙ୍କ ବ୍ୟବହାର ଦେଖି ତାଙ୍କ କ୍ରୋଧର ଜ୍ୱାଳାମୁଖୀ ଫାଟିଯାଇଥିଲା । ରାଗରେ ଜର ଜର ହୋଇ ଦୁର୍ବାସା କହିଥିଲେ, ଯେଉଁ ଧନ, ଐଶ୍ୱର୍ଯ୍ୟ ଓ ବିଜୟର ଅଭିମାନରେ ତୁମମାନେ ନୈତିକତା ଭୁଲିଯାଇଛ, ସେସବୁ ତୁମ ଠାରୁ ଛଡ଼ାଇ ନିଆଯିବ । ସ୍ୱର୍ଗ ମଧ୍ୟ ତୁମ ହାତରୁ ଚାଲିଯିବ ଓ ସମସ୍ତେ ଲକ୍ଷ୍ମୀଛଡ଼ା ହୋଇଯିବ ।

ଲକ୍ଷ୍ମୀଛଡ଼ା ହୋଇଗଲା ସାରା ଜଗତ

ଦୁର୍ବସାଙ୍କ ଅଭିଶାପ ହେତୁ ଇନ୍ଦ୍ରଙ୍କର ସମସ୍ତ ଐଶ୍ୱର୍ଯ୍ୟ ନଷ୍ଟ ହୋଇଗଲା । ଦେବୀ ଲକ୍ଷ୍ମୀ ଜଗତରୁ ଅଦୃଶ୍ୟ ହୋଇ ସମୁଦ୍ରକୁ ଚାଲିଗଲେ । ତିନିଲୋକରେ ଭୟଙ୍କର ଦାରିଦ୍ର‌୍ୟ ମାଡ଼ି ଯାଇଥିଲା । ଲକ୍ଷ୍ମୀଛଡ଼ା ହୋଇଯାଇଥିବା ଇନ୍ଦ୍ରଙ୍କ ଉପରେ ଅସୁରମାନେ ମିଳିତ ରୂପରେ ଆକ୍ରମଣ କରିଥିଲେ । ଆଉ ଏଥର ଦୈତ୍ୟରାଜ ବଳିଙ୍କ ଠାରୁ ପରାଜିତ ହୋଇଥିଲେ ଦେବରାଜ ଇନ୍ଦ୍ର । ଏହାସହିତ ସଂସାରରୁ ସମସ୍ତ ଔଷଧ ମଧ୍ୟ ଲୁପ୍ତ ହୋଇଯାଇଥିଲା । 

ତା’ପରେ ହେଲା ସମୁଦ୍ର ମନ୍ଥନ

ଯୁଦ୍ଧରେ ବିଜୟୀ ହେବାପରେ ଅସୁରରାଜ ବଳି ତିନି ଲୋକ ଉପରେ ନିଜର ପ୍ରଭୁତ୍ୱ ଜାହିର କରିଥିଲେ । ନିରାଶ ହେବାପରେ ଦେବତାମାନେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଥିଲେ । ଆଉ ବିଷ୍ଣୁଙ୍କ ପରାମର୍ଶ କ୍ରମେ ସମୁଦ୍ର ମନ୍ଥନ କରାଯାଇଥିଲା । ସମୁଦ୍ର ମନ୍ଥନ ସମୟରେ ବାହରିଥିବା ଅମୃତ କଳସ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପୁଣି କଳି ହୋଇଥିଲା । ଅମୃତ କଳସକୁ ଛଡ଼ାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଦେଶର ୪ ସ୍ଥାନରେ ଖସିପଡ଼ିଥିଲା ଅମୃତର କିଛି ଛିଟା । ପ୍ରୟାଗ ହେଉଛି ଏଥି ମଧ୍ୟରୁ ଗୋଟିଏ, ଯେଉଁଠାରେ ମହାକୁମ୍ଭ ୨୦୨୫ ଆୟୋଜିତ ହୋଇଛି ।

ଅଧିକ ପଢ଼ନ୍ତୁ: ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ

ବି.ଦ୍ର.-ଏଥିରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ 

Kumbh Mela Prayagraj Maha Kumbh Mela Mahakumbh 2025
Advertisment
Advertisment