• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ । ଏଥିସହ ଜଳବିଜେ ଓ ଛେରାପହଁରା ନୀତି ବେଳେ ଠାକୁରମାନଙ୍କ ଆଗରେ ଅଯଥା ଭିଡ଼ ନକରିବାକୁ ସେବାୟତମାନଙ୍କୁ କୁହାଯାଇଛି ।

ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବ୍‌କମିଟି ମିଟିଂ ପରେ ଛତିଶା ନିଯୋଗ ବୈଠକ ବସିଥିଲା । ନିର୍ଘଣ୍ଟ ନୀତିକାନ୍ତି ଅନୁସାରେ-ଜୁନ୍ ୧୪ ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇ ଡୋର ଲାଗି ଓ ପୁଷ୍ପାଞ୍ଜଳି ସରିବା ପରେ ଭୋର ୪ଟାରୁ ଆରମ୍ଭ ହେବ ସ୍ନାନ ପହଣ୍ଡି ।

ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳ ବିଜେ, ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ଓ ସାଢ଼େ ୨ଟା ସୁଦ୍ଧା ସରିବ ହାତୀ ବେଶ । ଏଥର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭକ୍ତମାନେ ଯେପରି ଅତି ପାଖରୁ ଠାକୁରମାନଙ୍କ ସାନିଧ୍ୟ ପାଇବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ସକାଳେ ପାରମାଣିକ ଟିକଟ୍ ଦର୍ଶନ ହେବ । ଭକ୍ତମାନେ ବଡ଼ଦାଣ୍ଡରୁ ଜଳଲାଗି ଦର୍ଶନ କରିବେ । ହାତୀବେଶ ସମ୍ପନ୍ନ ହେବା ପରେ ଭକ୍ତଙ୍କୁ ସ୍ନାନ ମଣ୍ଡପ ନିକଟକୁ ଛଡ଼ାଯିବ । ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ତିଆରି ହେବ । ସାଢ଼େ ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପକୁ ଚଢ଼ିବାକୁ ଅନୁମତି ମିଳିବ ।

ତେବେ ସ୍ନାନ ମଣ୍ଡପରୁ ଠାକୁରମାନଙ୍କୁ ଏଥର ଭକ୍ତମାନେ ଯେପରି ସ୍ପଷ୍ଟ ଭାବେ ଦର୍ଶନ କରିପାରିବେ, ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ଜଳ ଲାଗି ନୀତି ଓ ଛେରା ପହଁରା ନୀତି ଚାଲିଥିବା ସମୟରେ ଶ୍ରୀଜିଉମାନଙ୍କ ଆଗରେ ସେବାୟତମାନେ ଅଯଥା ଛିଡ଼ା ହୋଇ ଭିଡ଼ ନକରିବାକୁ ପରାମର୍ଶ ଦିଆଯିବା ସହ ହାତୀବେଶ ଓଲାଗି ବେଳେ ସମ୍ପୂର୍ଣ୍ଣ ଶୃଙ୍ଖଳା ରକ୍ଷା ଲାଗି ବି ତାଗିଦ୍ କରାଯାଇଛି । ରାତି ୧୧ଟାରୁ ରାତି ଗୋଟାଏ ଭିତରେ ଅଣସର ପିଣ୍ଡିକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ସ୍ନାନ ଯାତ୍ରା ପରେ ଜୁଲାଇ ୧ ରେ ବିଶ୍ୱ ପ୍ରସିଦ୍ଧ ଘୋଷାଯାତ୍ରା, ୯ରେ ବାହୁଡ଼ା, ୧୦ରେ ସୁନାବେଶ, ୧୧ରେ ଅଧରପଣା ଓ ୧୨ରେ ନିଳାଦ୍ରୀବିଜେ ପାଇଁ ବି ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏବେ ଏହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବାଜିବ ଅନ୍ତିମ ମୋହର । ୨ବର୍ଷର ବ୍ୟବଧାନ ପରେ ଏଥର ଦେଢ଼ରୁ ଦୁଇଗୁଣା ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ଶୃଙ୍ଖଳିତ ନୀତିକାନ୍ତିକୁ ପ୍ରାଧାନ୍ୟ ଦିଆଯାଇଛି ।

ରିପୋର୍ଟର- ମଧୁସୂଦନ ମିଶ୍ର