• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଘ୍ନ ବିନାଶକ, ସେ ଲମ୍ବୋଦର, ପୁଣି ସେ ଗୌରୀ ନନ୍ଦନ । ଗଜାନନଙ୍କ ଅନେକ ରୂପ । ଚାରି ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଆଦିଦେବ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ୧୦ ବର୍ଷର କି ୨୦ ବର୍ଷର କଥା ନୁହେଁ ବରଂ ଦୀର୍ଘ ୭୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ଆଉ ମାତ୍ର ଦିନକ ପରେ ଦୁଲୁକିବ ପୂଜା ମଣ୍ଡପ, ଧରାବତରଣ କରିବେ ବିଘ୍ନ ବିନାଶକ । ସେଥିପାଇଁ ତ ସବୁଠି ଏଥର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଏଭଳି ନିଆରା ପରମ୍ପରାରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଆଉ ପୂଜା ହେଉଥିବା ମଣ୍ଡପ ବି ବହୁ ପୁରାତନ । ମୋଗଲ ସାମ୍ରାଜ୍ୟର ଏହି ମଣ୍ଡପରେ ଛାପ ଥିବା ବେଳେ ମୋଗଲ ତାମସାରେ ମଧ୍ୟ ବାବା ବୁଢା ଗଣେଶଙ୍କ ବିଷୟରେ ବର୍ଣ୍ଣନା ହୋଇଛି । ତେବେ ପ୍ରତ୍ୟେକ ବର୍ଷ ବାବାଙ୍କ ମୂର୍ତ୍ତି ସମାନ ଭାବେ ତିଆରି ବି ହୁଏ । ବିଶ୍ୱାସ ରହିଛି, ବାବାଙ୍କ ପାଖରେ ଭକ୍ତ ଯାହା ମାନସିକ କରନ୍ତି, ତାହା ସେମାନଙ୍କୁ ନିଶ୍ଚୟ ମିଳେ । ଆଉ ଚାନ୍ଦିମେଢ ଦେଖିବାକୁ ତ ଭକ୍ତଙ୍କ ପ୍ରବଳ ଗହଳି ହୁଏ ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ସ୍ଥାନରେ ଆପଣମାନେ ଦେଖିଥିବେ ଗଣେଶଙ୍କ ମୂର୍ତ୍ତି ୪ ରୁ ୫ ଦିନ ରହିବା ପରେ ବିସର୍ଜନ ହୁଏ । ହେଲେ ଏଠାରେ ପୂରା ୩୦ ଦିନ ପୂଜା ପାଆନ୍ତି ପ୍ରଭୁ ଗଣେଶ । ଆଉ ଗଣପତିଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସନ୍ତି ଯେ, ତାହାର ହିସାବ ବି ନାହିଁ। ଗଣପତି ବାବା ମାସେ ପୂଜା ପାଇବା ପରେ ବହୁ ଜାକ ଯମକରେ ବିସର୍ଜନ ହୁଏ । ହେଲେ ଏଠାରେ ପରମ୍ପରା ଅନୁସାରେ ମଣ୍ଡପରେ ଲାଗି ହୁଏ ବଡଭୋଗ । ଏହାସହ ବାବା ଯେତେଦିନ ରୁହନ୍ତି ଗାଁରେ ଆମିଷ ମଧ୍ୟ ହେଉନଥିବା କୁହାଯାଏ । ମୋଟ୍ ଉପରେ ଟୋକା ଗଣେଶ ପୂଜା ପାଇଁ ଏବେ ଚଳଚଂଚଳ ହୋଇ ଉଠିଛି ପୂରା ଭଦ୍ରକ ସହର।

ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ