• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର (ଗୁଲାମ ଗସ୍‌) : ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟସ୍ଥ ମିର୍ଜାପୁର ଗାଁର ଦୁର୍ଗାପୂଜା ପରମ୍ପରା ଶହ ଶହ ବର୍ଷର । ଏଠାରେ ମାଙ୍କୁ ସମର୍ପଣ ପୂର୍ବକ ରାସ୍ତାରେ ନୂତନ ଶାଢ଼ୀ ବିଛାଯାଇ ପୂଜା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥାଏ । ଯାହାକୁ ଦେଖିବାକୁ ଆଖାପାଖ ଅଂଚଳର ଲୋକଙ୍କ ସମାଗମ ହୋଇଥାଏ ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟ ମିର୍ଜାପୁର ଗାଁରେ ଏଠାକାର ୫୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ଏହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି । ସପ୍ତମୀ ତିଥିରେ ନିକଟସ୍ଥ ନଦୀ କୂଳରେ ପରମ୍ପରା ଅନୁଯାୟୀ କଳସ ପୂଜା ସହ ଏକ କଦଳୀ ଗଛକୁ ନୂତନ ବସ୍ତ୍ର ପରିଧାନ କରାଯାଇ ସମସ୍ତ ଦେବାଦେବୀଙ୍କୁ ସନ୍ନିବେଷ୍ଟିତ କରାଯାଇଥାଏ । ପରେ ଘଂଟଘଂଟା ଓ ନାମ ସଂକୀର୍ତ୍ତନର ତାଳେ ତାଳେ ହେଉଥିବା ଶୋଭାଯାତ୍ରା ଗାଁ ପରିକ୍ରମା କରିଥାଏ । ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ନଦୀ କୂଳରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ନୂତନ ଶାଢ଼ୀ ବିଛାଯାଇ ମାଙ୍କୁ ସ୍ୱାଗତ କରାଯାଇଥାଏ । ପ୍ରତ୍ୟେକ ପରିବାରର ମହିଳାମାନେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ।

କାହିଁ କେଉଁ ବର୍ଷରୁ ମିର୍ଜାପୁର ଗ୍ରାମର ବୁଣାକାର ସଂପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି । ଯିଏ ଯେଉଁଠି ଥିଲେ ବି ଏହି ସମୟର ଗାଁକୁ ଫେରିଥାନ୍ତି । ସମସ୍ତେ ଏକାଠି ହୋଇ ପୂଜାକୁ ଧୁମଧାମର ସହ ପାଳନ କରିଥାନ୍ତି । ତେବେ ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେବ ଏହି ପରମ୍ପରାରେ ରୋକ ଲାଗିଥିଲା । ଚଳିତବର୍ଷ ସରକାରଙ୍କ କଟକଣାକୁ ମାନି ପୂଜାକୁ ଆୟୋଜନ କରୋଯାଇଛି । ମାଙ୍କ ମୃଣ୍ମୟୀ ମୂର୍ତ୍ତ ସାଙ୍ଗକୁ ୪ରୁ୫ଜଣ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି ।

ଏପଟେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । କେବଳ ନିରାଡମ୍ବର ଭାବେ ମାଙ୍କର ପୂଜାବିଧିକୁ ପାଳନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ବହୁ ବାଧାବିଘ୍ନ ସତ୍ତ୍ୱେ ଏଠାକାର ବୁଣାକାର ପରିବାର ଲୋକେ ମାଙ୍କ ଉପରେ ଅତୁଟ ବିଶ୍ୱାସ ରଖିବା ସହ ବର୍ଷ ବର୍ଷର ପରମ୍ପରାକୁ ଭୁଲିନାହାନ୍ତି ।