Advertisment

ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି...

ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ।

author-image
Rajalaxmi Sahoo
Special Rituals In Puri Srimandir On The Occasion Of Diwali

Special Rituals In Puri Srimandir On The Occasion Of Diwali

ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ। ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ଦୀପାବଳି ପାଳନ ହେଉଛି। ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମୁଖର।

Advertisment

ସେପଟେ ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ। ମଙ୍ଗଳବାର ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି। ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି। ଗ୍ରହଣ ସ୍ପର୍ଶ ଦିନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି।

ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାର ଫିଟା ସାଢ଼େ ୨ଟାରୁ ୩ଟା ଭିତରେ ସକାଳ ଧୂପ, ୪ଟାରେ ବାଳ ଧୂପ, ୪ଟା ୫୫ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ। ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ବଢ଼ିବ। ଛତିଶା ନିଯୋଗରେ ଏହି ସମସ୍ତ ନୀତି ର୍ନିଘଣ୍ଟ କରାଯାଇଛି।

Advertisment

ମୋଟ୍‌ ୧୬ ମିନିଟ୍‌ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ତେଣେ ଚଳିତ ବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମା’ କାକୁଡ଼ିଖାଇ ମନ୍ଦିର ନିକଟରେ କାଉଁରିଆ ଜଳାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ନିକଟରେ ଶ୍ରାଦ୍ଧ କରିପାରିବେ ଏବଂ ଦୁଇଟି ସ୍ଥାନରେ କାଉଁରିଆ ଜାଳିପାରିବେ ଶ୍ରଦ୍ଧାଳୁ। ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀ ନିୟୋଜିତ ହେବା ସହିତ ଗାଡ଼ି ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।

ଜାଣନ୍ତୁ, ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଉଚିତ୍‌ ନୁହେଁ...

  • ଠାକୁର ପୂଜା ବନ୍ଦ ରହିବା ସହ ଠାକୁର ଘର ମଧ୍ୟ ବନ୍ଦ ରଖନ୍ତୁ
  • ରନ୍ଧନ କାର୍ଯ୍ୟ ବନ୍ଦ ରହିବ 
  • ଖାଦ୍ୟ ଗ୍ରହଣ ବନ୍ଦ ରହିବ 
  • କୌଣସି ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ
  • କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ
  • ଘରର ଝରକା, କବାଟ ଖୋଲା ରଖନ୍ତୁ ନାହିଁ 
  • ସ୍ୱାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ
  • ଗର୍ଭବତୀ ମହିଳା ଏହି ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ
  • କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ
Diwali 2022
Advertisment
Advertisment