• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସୁଛନ୍ତି ମାଆ । ଉତ୍ସବମୁଖର ହୋଇଛି ରାଜ୍ୟର ସମସ୍ତ ଶକ୍ତି ପୀଠ । ଘଣ୍ଟ ଘଣ୍ଟା, ହୁଳୁ ହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ମାଆଙ୍କ ଷୋଡ଼ଶ ଉପଚାର ଚାଲିଥିବା ବେଳେ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ଗଞ୍ଜାମ ଓ ଖୋର୍ଦ୍ଧାର ଦୁଇ ପ୍ରମୁଖ ଶକ୍ତି ପୀଠରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ।

ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିର । ନବରାତ୍ର ଉପଲକ୍ଷେ ଏଠି ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପ୍ରଥମ ଦିନରେ ସ୍ନାନ ମଣ୍ଡପରେ ମାଆଙ୍କୁ ସ୍ନାନ କରାଯାଇଥାଏ । କାହିଁ କେଉଁ କାଳରୁ କୁମାରୀ ପାହାଡ଼ ତଳେ ବହି ଯାଉଥିବା ଋଷିକୂଲ୍ୟା ନଦୀରୁ ୧୦୮ ଗରା ପାଣିକୁ ପୂଜକ ଘରର ମହିଳା ମାନେ ୯୯୯ ପାହାଚ ଚଢ଼ି ଆଣିଥାନ୍ତି । ଏଥିରେ ହିଁ ସ୍ନାନ ବିଧି ସରିବା ପରେ ଷୋଡ଼ଶ ଉପଚାର ହୁଏ । ବିଶ୍ୱାସ ରହିଛି ନବରାତ୍ର ବେଳେ ମାଆଙ୍କୁ ଦର୍ଶନ କଲେ ସବୁ ଦୁଃଖ କଷ୍ଟରୁ ଲାଘବ ହୁଏ ।

ସେହିପରି ମାଆ ଭଗବତୀଙ୍କ ଚଳନ୍ତି ପ୍ରତିମା-ବିରଜାଈଙ୍କ ମଧ୍ୟରେ ଭେଟ । ପ୍ରତି ବର୍ଷ ମହଳୟା ଅମବାସ୍ୟାରେ ଖୋର୍ଦ୍ଧା ବାଣପୁରରେ ଦେଖିବାକୁ ମିଳେ ଏହି ବିରଳ ଦୃଶ୍ୟ । ବାପଘର ଦକ୍ଷେଶ୍ୱର ମନ୍ଦିରରୁ ମାଆ ଭଗବତୀଙ୍କ ଚଳନ୍ତି କାଠି ଠାକୁରାଣୀ ଓ ବିରଜାଈ ଏକାଠି ହୁଅନ୍ତି । ଏହି ଅପୂର୍ବ ମିଳନକୁ ଦେଖିବାକୁ ଶହ ଶହ ଲୋକ ଭିଡ଼ ଜମିଥାଏ ।

ମୂଳାଷ୍ଟମୀରୁ ମାଆ ଭଗବତୀଙ୍କ ଷୋଡ଼ଶ ଦିନବ୍ୟାପୀ ଦୁର୍ଗାତ୍ସବରେ ମାଆ ଭଗବତୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୁଏ । ମାଆଙ୍କୁ ଦର୍ଶନ କରିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି ଅନେକ ଶ୍ରଦ୍ଧାଳୁ । ମାଆଙ୍କ ଆଗମନରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ତାସହ ଏକାକାର ହୋଇଛି ପ୍ରକୃତି ଓ ପରିବେଶ ।

ରିପୋର୍ଟ – ( ଗଞ୍ଜାମରୁ ବିଶ୍ୱାଳ ଓ ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ର )