• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାତି ପାହିଲେ ଶ୍ରାବଣ ମାସ ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠକୁ ପାଣି ଲାଗି କରିବାକୁ କାଉଡ଼ିଆମାନେ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଚାଲୁଛନ୍ତି ଶ୍ରଦ୍ଧାଳୁ । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ବୋଲ ବମ୍ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷର କଟକଣା ପରେ କାଉଡିଆ ମହାଦେବଙ୍କ ଠାରେ ଲାଗି କରିବେ ଜଳ । ଆଠଗଡ଼ର ବାରୁଣୀ ଘାଟରୁ କାଉଡିଆ ପାଣି ଉଠାଇବା ସହ ନିଜ ନିଜ ଯାତ୍ରା ଅଭିମୂଖେ ବାହାରିଛନ୍ତି ।

ଚଳଚଞ୍ଚଳ ହୋଇପଡିଛି କଟକର ଗଡ଼ଗଡ଼ିଆ ଘାଟ । ଶହ ଶହ ସଂଖ୍ୟାରେ କାଉଡିଆ ଏହି ଘାଟକୁ ଆସି ବୁଡ଼ ପକାଇବା ସହ ଜଳ ଉଠାଉଛନ୍ତି । ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ଶ୍ରଦ୍ଧାଳୁ ଏହି ଘାଟରୁ ଜଳ ଉଠାଉଛନ୍ତି । ତେବେ ଏହି ତ୍ରିବେଣୀ ସଙ୍ଗମ ଠାରେ କାଉଡିଆଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହଜାର ହଜାର ସଂଖ୍ୟାରେ କାଉଡିଆ ଜଳ ଉଠାଉଥିବାରୁ ଅଗ୍ନିଶମବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପହରା ଦିଆଯାଉଛି । ଅଗ୍ନିଶମ ବିଭାଗର ଏକ ଟିମସହ ଲାଇଫ ବୋଟ ଓ ଲାଇଫ୍ ଗାର୍ଡ ଘାଟରେ ୨୪ ଘଣ୍ଟିଆ ପଇଁତରା ଦେଉଛନ୍ତି । 

ସେପଟେ ପୁରୀ ଲୋକନାଥ ପୀଠରେ କିପରି ଶୃଙ୍ଖଳିତ ଦର୍ଶନ, ଜଳଲାଗି, ନୀତିକାନ୍ତି ହେବ ସେ ନେଇ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବୈଠକ ବସିଛି । ଲୋକନାଥ ମନ୍ଦିରର ସେବକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବଳିଆ ପଣ୍ଡା ଥାନା ଅଧିକାରୀ ଏହି ବୈଠକରେ ସାମିଲ ହୋଇ ଥିଲେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବାରିକେଡ ବ୍ୟବସ୍ଥା, ପୋଲିସ୍ ସହାୟତା କେନ୍ଦ୍ର ସମେତ ଅନ୍ୟାନ୍ୟ ଆନୁସଙ୍ଗକ ସୁବିଧା ଭକ୍ତଙ୍କ ପାଈଁ ଉପଲବ୍ଧ ରହିବ । ଯେଉଁ ଭକ୍ତ ମାନେ ମନ୍ଦିରକୁ ଯାଉଛନ୍ତି ସେବକ ମାନେ ତାଙ୍କଠାରୁ ଜୋର୍ ଜବରଦସ୍ତ ଦକ୍ଷିଣା ଆଦାୟ କରିବେ ନାହିଁ ଭଲ ବ୍ୟବହାର ଦେଖାଇବେ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି ।


ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା:-

କାଉଡ଼ିଆ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି । ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ନେଇପାରିବେ, ହେଲେ ଆଉ ଭିତରକୁ ନେଇପାରିବେନାହିଁ । ସେହିଠାରେ ହିଁ ବାହୁଙ୍ଗି ରଖିବେ । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ।

କାଉଡ଼ିଆଙ୍କ ପାଇଁ କୋଭିଡ୍‌ ନିୟମ:-

ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । କାଉଡିଆମାନେ ଶ୍ରାବଣ ମାସରେ ଜଳ ଲାଗି ଯାତ୍ରା କରନ୍ତୁ ହେଲେ ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମଧ୍ୟ ପାଳନ କରନ୍ତୁ । ଏହାସହ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଚାଲନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।