Advertisment

ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା; ଚିକିମିକି ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ

ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା । ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Durga Puja 2024 In Odisha

Durga Puja

ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା । ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି । ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ । ବିଲ୍ବବରଣ ପରେ ମା’ଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି ।

Advertisment

ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକିମିକି ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜାମଣ୍ଡପ । ତାସହ ମୀନାବଜାର ସାଙ୍ଗକୁ ଦର୍ଶକଙ୍କୁ ମନମୋହିତ କଲାଭଳି କେତେ କଣ ରହିଛି। ନୟାପଲ୍ଲୀ, ସହିଦନଗର, ଝାରପଡା, ରସୁଲଗଡ, ବରମୁଣ୍ଡ, ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ: ପୂଜାରେ ସୁରକ୍ଷିତ ରହିବେ ରାଜଧାନୀ ବାସିନ୍ଦା, କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା

Advertisment

ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସିର ଗାଇଡଲାଇନ୍। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ଚଳିତ ବର୍ଷ ଦୁର୍ଗାପୂଜା ପାଳନ ବେଳେ ସହରରେ ବିଭିନ୍ନ ମଣ୍ଡପକୁ ନିରାପଦ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ କରିବା ଲାଗି ପୂଜା ମଣ୍ଡପଗୁଡ଼ିକୁ ଆହ୍ବାନ କରାଯାଇଛି।

ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, ବିଜୁଳି ବ୍ୟବସ୍ଥା ସୁରକ୍ଷିତ ଯାଂଚ, ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ସେହିଭଳି ପୋଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

ସେହିପରି ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ । ମଣ୍ଡପରୁ ନେଇ ରାସ୍ତା, ସବୁଠି ରହିବ ପୋଲିସର କଡା ନଜର । ସବୁ ମଣ୍ଡପରେ ସିସିଟିଭି ସହ ଆପାର୍ଟମେଣ୍ଟର ସିସିଟିଭି ମଧ୍ୟ ଯୋଡି ହେବ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ ସହ ।

ପୂଜାରେ ସୁରକ୍ଷିତ ରହିବା ସହ ଶାନ୍ତିରେ ବୁଲିବେ ରାଜଧାନୀ ବାସିନ୍ଦା । ଏଭଳି ଆଶ୍ୱସ୍ତ କରିଛନ୍ତି ପୋଲିସ କମିଶନର । ପୂଜା ପାଇଁ କଡା ସୁରକ୍ଷା ବଳୟରେ ରହିବ ଟ୍ୱିନସିଟି । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସିପି । ପୂଜା ସମୟରେ ଭାରିଯାନ ନିଷେଧ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଚଳିବର୍ଷ ରାଜଧାନୀ ଭୁବନେଶ୍ୱରରେ ୧୮୭ଟି ପୂଜା ପେଣ୍ଡାଲ ପାଇଁ ୩୮ ପ୍ଲାଟୁନ ପୋଲିସ ମୁତୟନ ରହିବେ । ସେହିଭଳି କଟକରେ ୧୬୬ ମେଢ ପାଇଁ ମୁତୟନ ରହିବେ ୬୪ ପ୍ଲାଟୁନ ପୋଲିସ । ପୂଜା ବେଳେ ଛିନତାଇ ରୋକିବାକୁ ସାଦା ପୋଷାକରେ ରହିବେ ସ୍ୱତନ୍ତ୍ର ପୋଲିସ । ଏହାସହ ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ୍ ଆକ୍ସନ୍ ଫୋର୍ସ ବି ମୁତୟନ ରହିବେ ବୋଲି କହିଛନ୍ତି ସିପି ।

Durga Puja
Advertisment
Advertisment