Advertisment

ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ, ଅତୁଟ ବନ୍ଧନର ନିବିଡ଼ ସେତୁ

ସବୁଠି ରକ୍ଷାବନ୍ଧନର ଉଲ୍ଲାସ । ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ଡୋରି ।

author-image
Satyendu Shekher Mishra
undefined

Raksha Bandhan

ରାକ୍ଷୀ। ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ। ଅତୁଟ ବନ୍ଧନର ନିବିଡ଼ ସେତୁ। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ଗାଁଠୁ ସହର। ସକାଳୁ ସକାଳୁ ବେଶ୍ ଆନନ୍ଦ-ଉତ୍ସାହର ସହ ପୂଜାର୍ଚ୍ଚନା ଓ ବନ୍ଦାପନା କରି ଭାଇ ହାତରେ ଭଉଣୀ ବାନ୍ଧି ଦେଇଥିଲା ସ୍ନେହବୋଳା ସମ୍ପର୍କର ରଜୁ। ଆଉ ପ୍ରତି ବଦଳରେ ଭଉଣୀ ପାଇଥିଲା ଭାଇଠୁ ସାରା ଜୀବନ ପାଇଁ ସୁରକ୍ଷାର ସଂକଳ୍ପ। ଘର, ବାହାର, ଅଫିସ, ଅନୁଷ୍ଠାନ ସବୁଠି ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ।

Advertisment

ଏପଟେରକ୍ଷା ବନ୍ଧନରେ ମୁଖରିତ ହୋଇଥିଲା ରାଷ୍ଟ୍ରପତି ଭବନ। ବିଭିନ୍ନ ରାଜ୍ୟରୁ ଆସିଥିବା ସ୍କୁଲ ପିଲାଙ୍କ ସହ ରକ୍ଷାବନ୍ଧନ ଉତ୍ସବ ପାଳିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ହାତରେ ସମ୍ପର୍କର ଡୋରି ବାନ୍ଧିଥିଲେ ସ୍କୁଲ ଛାତ୍ରୀ। ରକ୍ଷା ବନ୍ଧନର ପବିତ୍ର ମୁହୂର୍ତ୍ତର ଅନୁଭବ ଲାଗି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଯାଇଥିଲେ ନିଜ ଘର ଜାମସେଦପୁର।

ଏପଟେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅତିଥି ଭବନରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗା ରକ୍ଷା ବନ୍ଧନ ଉତ୍ସବ। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ବହୁ ସ୍କୁଲ ଛାତ୍ରୀ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ସମ୍ପର୍କର ସୂତା ବାନ୍ଧି ମଙ୍ଗଳ ମନାସିଥିଲେ। ଏହାପୂର୍ବରୁ ମୋହନଙ୍କ ହାତରେ ପ୍ରଥମ ରାକ୍ଷୀ ବାନ୍ଧିଥିଲେ ତାଙ୍କ ଭଉଣୀ ରାସମଣୀ ମାଝୀ।

Advertisment

ଆମ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇଥିବା ରକ୍ଷା ବନ୍ଧନ ଉତ୍ସବ ଅବସରରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ପାଟେରା ବିଶୋଇଙ୍କ ଦ୍ୱାରା ପ୍ରସ୍ତୁତ ୪ଟି ବିଶାଳ ରାକ୍ଷୀ ଶ୍ରୀମନ୍ଦିର ଯାଇଥିବା ବେଳେ ଏହାକୁ ଭଉଣୀ ସୁଭଦ୍ରା, ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧିବାର ଅନନ୍ୟ ପରମ୍ପରା ପାଳିତ ହୋଇଛି।

ସେହିଭଳି ବଳଭଦ୍ରଙ୍କ ଜନ୍ମନୀତି ଅବସରରେ ମାର୍କଣ୍ଡ ପୁଷ୍କରିଣୀରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ। ଏପଟେ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ରାକ୍ଷୀ।

ଏପଟେ ରକ୍ଷା ବନ୍ଧନ ପରମ୍ପରାକୁ ଭିନ୍ନ ଆଉ ସ୍ୱତନ୍ତ୍ର ଢଙ୍ଗରେ ପାଳିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଭିନ୍ନ ଭିନ୍ନ ଆୟୋଜନ। ଗଜପତି ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ବେଶ୍ ଧୂମଧାମରେ ପାଳିତ ହୋଇଥିଲା ରକ୍ଷା ବନ୍ଧନ ଉତ୍ସବ। ଭୁବନେଶ୍ୱର ଆନନ୍ଦବନରେ ଗଛ ଡାଳରେ ରାକ୍ଷୀ ବାନ୍ଧିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେପଟେ ରାଜଧାନୀର ପଟିଆ ଅଞ୍ଚଳରେ ଥିବା କଳିଙ୍ଗ ଗୋଶାଳା ଧାମରେ ଦେଖିବାକୁ ମିଳିଥିଲା ବିଶେଷ ଆୟୋଜନ। ଏଠି ଗୋମାତାଙ୍କ ପୂଜାର୍ଚ୍ଚନା ସହ ସୁସ୍ୱାଦୁ ପିଠାପଣାର ବ୍ୟବସ୍ଥା ବି ହୋଇଥିଲା ।

Raksha Bandhan
Advertisment
Advertisment